ପୁଣେ: ପୁଣେରୁ ବହୁ ସଂଖ୍ୟକ ମହିଳା ଓ ବାଳିକା ବିଗତ ୩ ମାସ ମଧ୍ୟରେ ନିଖୋଜ ହୋଇଥିବା ଜଣାପଡିଛି। ରିପୋର୍ଟ ଅନୁଯାୟୀ ପୁଣେର ସହରାଞ୍ଚଳ ପିମ୍ପରି ଚିଞ୍ଚୱାଡ ଓ ପୁଣେର ଗ୍ରାମାଞ୍ଚଳରୁ ଗତ ୩ ମାସ ମଧ୍ୟରେ ୪୪୭ ଜଣ ମହିଳା ଏବଂ ବାଳିକା ନିଖୋଜ ହୋଇଛନ୍ତି।
ମହାରାଷ୍ଟ୍ର ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ରୁପାଲି ଚଙ୍କର ମୁମ୍ବାଇରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଖୁଲାସା କରିଛନ୍ତି। ମହିଳା କମିଶନର ଅଧ୍ୟକ୍ଷା ରୁପାଲି ଚଙ୍କର ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ ବିଗତ ୩ ମାସ ମଧ୍ୟରେ ସମଗ୍ର ରାଜ୍ୟରୁ ୫,୬୧୦ ଜଣ ମହିଳା ଓ ବାଳିକା ଗତ ତିନି ମାସ ମଧ୍ୟରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନିଖୋଜ ହୋଇଛନ୍ତି। ନିଖୋଜ ହୋଇଥିବା ଏହି ମହିଳା ଓ ବାଳିକାମାନଙ୍କ ବୟସ ୧୬ରୁ ୨୫ ବର୍ଷ।
ମିଳିଥିବା ସୂଚନା ଅନୁଯାୟୀ ନିଖୋଜଙ୍କ ମଧ୍ୟରେ ପୁଣେରୁ ଅତି କମରେ ୧୪୮ ଜଣ ମହିଳା ଓ ବାଳିକା ଥିବା ଜଣାପଡିଛି। ପୁଣେର ସହରାଞ୍ଚଳ ପିମ୍ପରି ଚିଞ୍ଚୱାଡରୁ ୧୪୩ ଏବଂ ପୁଣେ ଗ୍ରାମାଞ୍ଚଳରୁ ୧୫୬ ଜଣ ଚଳିତ ବର୍ଷ ଜାନୁଆରିରୁ ମାର୍ଚ୍ଚ ମାସ ମଧ୍ୟରେ ନିଖୋଜ ଥିବା ସୂଚନା ମିଳିଛି।
ମହିଳା କମିଶନ ଅଧ୍ୟକ୍ଷା ଚଙ୍କର ଆହୁରି ମଧ୍ୟ କହିଛନ୍ତି ଯେ ନିଖୋଜ ହୋଇଥିବା ୮୨ ଜଣ ମହିଳା ଓ ବାଳିକା ନିଖୋଜ ହେବାପରେ ମଧ୍ୟ ସେମାନଙ୍କ ପରିବାର ସହିତ ଯୋଗାଯୋଗ କରିଛନ୍ତି। ଚାକିରି କିମ୍ବା ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟ ପାଇଁ ବିଦେଶ ଯିବା ନିଖୋଜ ମହିଳା ଓ ବାଳିକାଙ୍କ ନିଖେଜେ ହେବାର ସମ୍ଭାବ୍ୟ କାରଣ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ଏଭଳି ମହିଳା ଓ ବାଳିକାମାନଙ୍କୁ ଓମାନ ଓ ଦୁବାଇକୁ ଚାଲାଣ କରାଯାଉଥିବା ଅନୁମାନ କରାଯାଉଛି।
ରାଜ୍ୟ ମହିଳା କମିଶନ ଏସଂପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟକୁ ଏକ ଚିଠି ଲେଖିବା ସହ ଏହି ଘଟଣାର ଯାଞ୍ଚ ସହ ଏପରି ନିଖୋଜ ଘଟଣା ଉପରେ ନିୟମିତ ନଜର ରଖିବା ପାଇଁ ଏକ ଟିମ୍ ଗଠନ କରିବାକୁ ରାଜ୍ୟ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଟିମ୍ ପ୍ରତି ୧୫ ଦିନରେ ରାଜ୍ୟ ମହିଳା କମିଶନଙ୍କୁ ରିପୋର୍ଟ ପ୍ରଦାନ କରିବ।