ଇସ୍ଲାମାବାଦ : ନିଜର ପରମ ମିତ୍ର ପାକିସ୍ତାନ ଉପରେ ରାଗିଯାଇଛି ଚୀନ । ପାକିସ୍ତାନ ବିପୁଳ ପରିମାଣର ଅର୍ଥ ନେଇଥିଲେ ବି ସେଠାରେ କାର୍ଯ୍ୟକାରୀ ହେଉଥିବା ଚୀନର ପ୍ରକଳ୍ପ ଗୁଡ଼ିକ ଆଗେଇ ପାରୁନାହିଁ ।
ପାକିସ୍ତାନରେ ଚୀନର ମହତ୍ତ୍ବାକାଂକ୍ଷୀ ସିପିଇସି ବା ଚାଇନା ପାକିସ୍ତାନ ଇକନୋମିକ କରିଡର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଏହି ପ୍ରକଳ୍ପ ମାଧ୍ୟମରେ ଚୀନର ମୁଖ୍ୟ ଭୂମି ସହ ଆରବ ସାଗରକୁ ଯୋଡ଼ାଯାଉଛି । କିନ୍ତୁ ପାକିସ୍ତାନରେ ଚାଲିଥିବା ରାଜନୈତିକ ଅସ୍ଥିରତା, ଆତଙ୍କବାଦ, ବେଲୋଚ ଆନ୍ଦୋଳନ ଯୋଗୁଁ ଏହି ପ୍ରକଳ୍ପ ଆଗେଇ ପାରୁନାହିଁ । ଏହା ସହିତ ଚୀନର କର୍ମଚାରୀମାନେ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଏହାକୁ ନେଇ ଚୀନ ଅସନ୍ତୁଷ୍ଟ ରହିଛି ।
ପାକିସ୍ତାନ ଏବେ ଘୋର ଆର୍ଥିକ ସଂକଟରେ ପଡ଼ିଥିବାବେଳେ ଚୀନ ପାକିସ୍ତାନକୁ ଆର୍ଥିକ ସହାୟତା କରିବା ସହ ଋଣଗୁଡ଼ିକର ପରିଶୋଧ ମିଆଦ ବଢାଇଦେଇଥିଲା । ଏହି ସହାୟତା ପରେ ଚୀନ ଆଶା କରୁଥିଲା ଯେ ପ୍ରକଳ୍ପ କାମ ଆଗେଇବ । କିନ୍ତୁ ପାକିସ୍ତାନ ସରକାରଙ୍କ ଦ୍ବାରା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ଗିରଫ କରାଯିବା ପରେ ପାକିସ୍ତାନର ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଥିଲା । ସାରା ଦେଶରେ ଜଳାପୋଡ଼ା ଓ ହିଂସାକାଣ୍ଡ ଯୋଗୁଁ ପୁଣି ଥରେ ଚୀନର ପ୍ରକଳ୍ପଗୁଡ଼ିକ ଅଟକି ରହିଛି । ଚୀନ ସରକାରଙ୍କ ଏହି ଅସନ୍ତୋଷ ସଂପର୍କରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କୁ ଜଣାଇଦିଆଯାଇଛି । ଚୀନର ଏହି ଅସନ୍ତୋଷକୁ ନେଇ ପାକିସ୍ତାନୀ ସରକାରଙ୍କ ମଧ୍ୟରେ ଚିନ୍ତା ଖେଳିଯାଇଛି ।