କଟକରେ ପୋଲ ଭୁଶୁଡ଼ି ନାବାଳିକା ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ମୃତ୍ୟୁ

ରାଜ୍ୟ
Share

କଟକ: ପୁରୀଘାଟ ଥାନା ଅନ୍ତର୍ଗତ କେଶରପୁର ନିକଟରେ ଆଜି ଅପରାହ୍‌ଣ ସମୟରେ ପୋଲ ଭୁଶୁଡ଼ିବା କାରଣରୁ ଗୁରୁତର ହୋଇଥିବା ନାବାଳିକାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ନାବାଳିକା ହେଲେ କେଶପୁର ନୂଆ ରାଉସପାଟଣା ଅଞ୍ଚଳର ମୋହିନୀ ଦାସ (୧୭)। ସେ ଇମର୍ତ୍ତି ଦେବୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ର ଛାତ୍ରୀ ଥିଲେ।
ସୂଚନା ଅନୁସାରେ ଆଜି ଅପରାହ୍‌ଣରେ ନାବାଳିକା ଜଣକ ପାଇପ୍‌ ଡେଇଁ ପୋଲ ଉପରକୁ ଯାଉଥିଲେ। ଏହି ସମୟରେ ବକ୍ସ ଡ୍ରେନ୍ ଉପରେ ଯାଇଥିବା ପୁରୁଣା ଲୁହା ପୋଲ ଭୁଶୁଡ଼ି ପଡ଼ିବାରୁ ଏହି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା। ସେ ପୋଲ ଓ କଡ଼ରେ ଥିବା ଲୁହା ପାଇପ୍‌ରେ ଚାପି ହୋଇଯାଇଥିଲେ। ତାଙ୍କୁ ଗୁରୁତର ଭାବେ ପ୍ରଥମେ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଅଶ୍ବିନୀ ହସ୍‌ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ତାଙ୍କୁ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ମୃତ ଘୋଷଣା କରିଥିଲେ।
ସୂଚନାଯୋଗ୍ୟ, ଘଟଣା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘଟଣାସ୍ଥଳରେ ଜାଇକା କିମ୍ବା ଅନୁରୋଧ କୌଣସି କର୍ତ୍ତୃପକ୍ଷ ପହଂଚି ନଥିଲେ। ସ୍ଥାନୀୟ ଲୋକ ଉଦ୍ଧାର କରିବାରେ ବିଫଳ ହୋଇଥିଲେ। ୪୫ମିନିଟ ପରେ କ୍ରେନ ସାହାଯ୍ୟରେ ପାଇପ ତାଡ଼ିବ ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପ୍ରଶାସନ ଅବହେଳା ଯୋଗୁଁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *