ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩%, ବାଣିଜ୍ୟରେ ୮୧.୧୨%

ରାଜ୍ୟ
Share

ଭୁବନେଶ୍ବର : ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ। ଭୁବନେଶ୍ୱର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଗଣ ଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଆନୁଷ୍ଠାନିକ ଭାବେ ପରୀକ୍ଷା ଫଳ ଘୋଷଣା କରିଛନ୍ତି। ଏଥର ଯୁକ୍ତ ଦୁଇ ବିଜ୍ଞାନରେ ପାସ୍ ହାର ୮୪.୯୩% ରହିଛି।
ଚଳିତବର୍ଷ ବିଜ୍ଞାନରେ ୯୩,୭୩୪ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୭୮,୯୩୮ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୩୯,୫୭୩ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୨୪,୨୫୭ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୧୪,୮୫୨ ଛାତ୍ରଛାତ୍ରୀ ପାସ କରିଛନ୍ତି।
ଯୁକ୍ତ ଦୁଇ ବିଜ୍ଞାନରେ ନୟାଗଡ଼ ଜିଲ୍ଲାରେ ଭଲ ରେଜଲ୍ଟ ହୋଇଛି। ବିଜ୍ଞାନରେ ୯୬.୪୧% ରେଜଲ୍ଟ ସହ ନୟାଗଡ଼ ଆଗରେ ରହିଛି। ହେଲେ ଗଜପତି ଜିଲ୍ଲାରେ ଭଲ ରେଜଲ୍ଟ ହୋଇ ନାହିଁ। ବିଜ୍ଞାନରେ ୬୧.୫୫% ରେଜଲ୍ଟ ସହ ସର୍ବନିମ୍ନ ସ୍ଥାନରେ ଗଜପତି ଜିଲ୍ଲା ରହିଛି।
ସେହିପରି ଏଥର ଯୁକ୍ତ ଦୁଇ ବାଣିଜ୍ୟରେ ପାସ୍ ହାର ୮୧.୧୨% ରହିଛି। ଚଳିତବର୍ଷ ବାଣିଜ୍ୟରେ ୨୪,୦୮୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ୯,୫୩୬ ପରୀକ୍ଷାର୍ଥୀ ପାସ କରିଛନ୍ତି। ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭,୪୧୦ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଦ୍ୱିତୀୟ ଶ୍ରେଣୀରେ ୪୫୪୩ ଛାତ୍ରଛାତ୍ରୀ ପାସ କରିଥିବାବେଳେ ତୃତୀୟ ଶ୍ରେଣୀରେ ୭୪୯୨ ଛାତ୍ରଛାତ୍ରୀ ପାସ କରିଛନ୍ତି।
ବିଜ୍ଞାନ ପରି ବାଣିଜ୍ୟରେ ଭଲ ରେଜଲ୍ଟ କରିଛି ନୟାଗଡ଼ ଜିଲ୍ଲା। ଯୁକ୍ତ ଦୁଇ ବାଣିଜ୍ୟରେ ନୟାଗଡ଼ ଜିଲ୍ଲାରେ ୯୩.୯% ଛାତ୍ରଛାତ୍ରୀ ପାସ କରିଛନ୍ତି। ହେଲେ ବୌଦ୍ଧ ଜିଲ୍ଲାରେ ବାଣିଜ୍ୟ ଭଲ ରେଜଲ୍ଟ ହୋଇ ନାହିଁ ।ବାଣିଜ୍ୟରେ ୬୧.୫୫% ରେଜଲ୍ଟ ସହ ସର୍ବନିମ୍ନ ସ୍ଥାନରେ ବୌଦ୍ଧ ରହିଛି।
ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟରେ ପୁଅଙ୍କୁ ପଛରେ ପକାଇଛନ୍ତି ଝିଅ। ଯୁକ୍ତ ଦୁଇ ବିଜ୍ଞାନରେ ଝିଅଙ୍କ ପାସ୍ ହାର ୮୫.୬୭ ପ୍ରତିଶତ ରହିଥିବା ବେଳେ ପୁଅଙ୍କ ସଫଳତା ହାର ୮୪.୨୮% ରହିଛି। ସେହିପରି ବାଣିଜ୍ୟରେ ୮୩.୮୭% ଝିଅ ପାସ୍ କରିଥିବା ବେଳେ ୭୯.୫୨% ପୁଅ ପାସ୍ କରିଛନ୍ତି।
ସୂଚନାଯୋଗ୍ୟ, ଚଳିତ ବର୍ଷ ମାର୍ଚ୍ଚ ୧ରୁ ଏପ୍ରିଲ୍ ୫ ଯାଏ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଚଳିତ ବର୍ଷ ୧୧୪୫ ପରୀକ୍ଷା କେନ୍ଦ୍ରରେ ସାଢେ଼ ୩ ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକରେ ୫ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।
ଆସନ୍ତା ବର୍ଷ ଠାରୁ ଯୁକ୍ତ ଦୁଇରେ ବ୍ୟାପକ ସଂସ୍କାର ଆସିବ ବୋଲି CHSE ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ କହିଛନ୍ତି। ସେ କହିଛନ୍ତି, ମାଟ୍ରିକ ଭଳି ଯୁକ୍ତ ଦୁଇ ପରୀକ୍ଷା ଢାଞ୍ଚା ବଦଳିବ। CHSE ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଖୁବଶୀଘ୍ର ବିଧିବଦ୍ଧ ଘୋଷଣା ହେବ। ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଫଳ ବାହାରିବ।

Leave a Reply

Your email address will not be published. Required fields are marked *