ବାହାନଗା ରେଳ ଦୁର୍ଘଟଣା: ମିଳିଲା ଭଦ୍ରକର ତିନି ମୃତକଙ୍କ ପରିଚୟ

ରାଜ୍ୟ
Share

ଭଦ୍ରକ: ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଦ୍ରକ ଜିଲ୍ଲାର ତିନି ମୃତକଙ୍କର ପରିଚୟ ମିଳିଛି। ସେମାନଙ୍କ ଭିତରୁ ଜଣେ ହେଲେ ମଞ୍ଜୁରୀ ରୋଡ଼ର ରୂପକ ନାୟକ। ସେ ବାଲେଶ୍ଵର ବି ସି ଇ ଟିରେ ଚାକିରି କରିଥିଲେ। ଏଣେ ଆର ଜଣକ ହେଲେ ଭଦ୍ରକ ସାବରଙ୍ଗର ରାଜେଶ କୁମାର ବଳ। ତାଙ୍କର ବି ଟ୍ରେନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତେଣେ ତିହିଡି ବ୍ଲକ କୁବେର ଗ୍ରାମର ହରିହର ସାହୁ ବି ଏହି ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାଯାଇଛି।
ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଭୟାନକ ଦୁର୍ଘଟଣାରେ ଆହତ ହୋଇଥିବା ୭୯ଜଣ ବ୍ୟକ୍ତି ଭଦ୍ରକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏଠାରେ ୨ଜଣଙ୍କ ମୃତ୍ୟୁ ଘଟିଛି। ୧୪ଜଣ ଆହତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ୪୮ ଜଣ ଡାକ୍ତର ଚିକିତ୍ସାରେ ଲାଗିଛନ୍ତି।

ସୂଚନାଯୋଗ୍ୟ,ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼‌ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୩୩ ଜଣ ଯ‌ାତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ‌ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୮୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *