ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିବ ରମା ଦେବୀ ଜୁନିଅର କଲେଜ୍

ରାଜ୍ୟ
Share

ଭୁବନେଶ୍ବର: ରାଜଧାନୀର ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରମା ଦେବୀ ଜୁନିଅର କଲେଜ୍ ଚାଲିବ। ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର ପାଠପଢ଼ା ହେବ। ଏନେଇ ଗଣଶିକ୍ଷା ବିଭାଗ ସ୍ବତନ୍ତ୍ର ସଚିବଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦଶାଳୟର ନିର୍ଦ୍ଦେଶକ। ତେବେ ସେଠାରେ ଲ୍ୟାବ୍ ନଥିବାରୁ ବିଜ୍ଞାନ ବିଭାଗର ଛାତ୍ରୀମାନେ ରମା ଦେବୀ ବିଶ୍ଵବିଦ୍ୟାଳୟରେ ପଢ଼ିବେ ବୋଲି ଜଣାଯାଇଛି।
ଅନ୍ୟପଟେ ୟୁନିଟ୍ ୯ବାଳିକା ବିଦ୍ୟାଳୟକୁ ୟୁନିଟ୍ ୯ ବାଳକ ବିଦ୍ୟାଳୟରେ ମିଶ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ପକ୍ଷରୁ ଏନେଇ ସୁପାରିସ କରାଯାଇଛି। ରମା ଦେବୀ ବିଶ୍ଵବିଦ୍ୟାଳୟର କୁଳପତି ଶୀଘ୍ର ଜୁନିଅର କଲେଜ୍ କୁ ପୃଥକ୍ କରିବାକୁ ଚାପ ପକାଉଥିବା କୁହାଯାଉଛି।
ଏଣେ ୟୁନିଟ୍‌-୯ ବାଳିକା ହାଇସ୍କୁଲର ମିଶ୍ରଣ ପ୍ରତିବାଦରେ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ବିଦ୍ୟାଳୟ ଗେଟରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରୀ ଓ ଅଭିଭାବକ। ୟୁନିଟ୍ – ୯ ବାଳିକା ହାଇସ୍କୁଲକୁ ସବୁ ଦିନ ଲାଗି ତାଲା ପକାଇବାକୁ ସରକାରଙ୍କ ନିଷ୍ପତ୍ତି ପରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରାଣକେନ୍ଦ୍ର ପାଲଟିଥିବା ଏହି ହାଇସ୍କୁଲ ୟୁନିଟ୍ -୯ ହାଇସ୍କୁଲ ସହ ମିଶ୍ରଣ ହେବା ଦ୍ୱାରା ଛାତ୍ରୀମାନଙ୍କ ପାଠପଢ଼ା ପ୍ରଭାବିତ ହେବ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି ।
କିଛି ବର୍ଷ ହେଲା ଦଶମ ବୋର୍ଡ ପରୀକ୍ଷାରେ ଏଠାକାର ଛାତ୍ରୀମାନେ ୟୁନିଟ୍ -୯ ହାଇସ୍କୁଲ ତୁଳନାରେ ଭଲ ନମ୍ବର ରଖୁଛନ୍ତି । ଏକାଧିକ ଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖୁଛନ୍ତି। ରମା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଜମି ଦେବାକୁ ଯାଇ ରାଜ୍ୟ ସରକାର ଏଭଳି ଏକ ପୁରାତନ ଶିକ୍ଷାନୁଷ୍ଠାନର ସତ୍ତା ହଜାଇଦେବା ନିଷ୍ପତ୍ତିକୁ ଅଭିଭାବକ ଓ ଛାତ୍ରୀ ବିରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *