ଝଙ୍କଡ଼ : ମୁହୂର୍ତ୍ତ ବଦଳେ, ଦିନ ତ ବଦଳେ, ବଦଳେ ମାସ ବରଷ, ବର୍ଷବର୍ଷ ହୋଇ ହଜି ଯେ ଗଲାଣି ଜୀବନର ୩୩ ବର୍ଷ । ସ୍ବପ୍ନ ପରି ଲାଗେ କେବେ ଦିନେ ସାଥି ହୋଇ ୧୯୮୮ ମସିହାରେ ଶାରଦା ଏକାଡେମୀ ରେ ଛାତ୍ରଛାତ୍ରୀ ଭାବେ ଅଧ୍ୟୟନ କରୁଥିଲେ । କିଏ କାହାର ବହି ଚିରି ଦେଉଥିଲେ ତ କିଏ କାହାର ରଙ୍ଗୀନ ପେନସିଲ ଭାଙ୍ଗି ନେଇଯାଉଥିଲେ । ଏସବୁ ସତ୍ୱେ ପାଠପଢାରେ ଚାଲୁଥିଲା ପ୍ରତିଦ୍ବନ୍ଦିତା । କିଏ ହେବ ପ୍ରଧାନଶିକ୍ଷକଙ୍କ ପ୍ରିୟ ? ଏଭଳି ଅବିସ୍ମରଣୀୟ ଦିନକୁ ମନେ ପକେଇଥିଲେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ କନକପୁରସ୍ଥିତ ଶାରଦା ଏକାଡେମୀର ୧୯୮୮ ବ୍ୟାଚ ର ଶିକ୍ଷାର୍ଥୀ ମାନେ ।
ଏହି ବ୍ୟାଚରେ ସର୍ବାଧିକ ଶିକ୍ଷାର୍ଥୀ ଉଚ୍ଚଶିକ୍ଷା ପାଇ ଭିନ୍ନ ଭିନ୍ନ କର୍ମକ୍ଷେତ୍ର ରେ ଦେଶ ବିଦେଶରେ ଅବସ୍ଥାପିତ ହୋଇଥିଲେ ମଧ୍ୟ ଶିକ୍ଷା ସମୟର ସ୍ମୃତିକୁ ଉଦ୍ଜୀବିତ କରାଇବାକୁ ନିଜନିଜର ପରିବାର ସହିତ ସମ୍ମିଳିତ ହୋଇଥିଲେ ଭୁବନେଶ୍ୱର ର ନନ୍ଦନକାନନ ବଟାନିକାଲ ପାର୍କ ରେ । ଭୁରିଭୋଜନ ସାଙ୍ଗକୁ ବନ୍ଧୁମିଳନର ମଜ୍ଜା ସମ୍ପୂର୍ଣ୍ଣ ନିଆରା ଲାଗୁଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ, ନୃତ୍ୟଗୀତ,କୋଳାକୋଳି, କରମର୍ଦ୍ଦନ ସହିତ ପ୍ରତ୍ୟେକ ପ୍ରତ୍ୟେକଙ୍କ ପରିବାର ଓ ଜୀବନ ଶୈଳୀ ବିଷୟରେ ଭାବ ଆଦାନପ୍ରଦାନ ଅତି ରୋମାଞ୍ଚକର ଲାଗୁଥିଲା । ସବୁଠୁ ଆନନ୍ଦଦାୟକ ଥିଲା ବିଭିନ୍ନ ଲୋକେସନରେ ସାମୁହିକ ଫଟୋ ସୁଟ । ଏସବୁର ଦାୟିତ୍ୱ ନେଇଥିଲେ ସମାଜସେବୀ ସତ୍ୟଭୂଷଣ ଦାସ, ନାରାୟଣ ପ୍ରସାଦ ଜେନା, ଦିନେଶ ମହାନ୍ତି ଓ କିଶୋର ବେହେରା । ସକ୍ରିୟସହଯୋଗ କରିଥିଲେ ମାନସ ମଲ୍ଲିକ, ସଂଯୁକ୍ତା ନାୟକ, ମନେନ୍ଦ୍ର ପଣ୍ଡା, ଚିତ୍ତରଞ୍ଜନ ନାୟକ, ବିନୋଦ ବିହାରୀ ଦାସ, ଦେବଦତ୍ତ ରାଉତ, ସୁବ୍ରତ ସାହୁ, ଅରବିନ୍ଦ ମହାନ୍ତି,ବ୍ରଜକିଶୋର ଦାସ, ମନୋଜ ରାଉଳ,ଶାରଦା ପ୍ରସାଦ ଦାସ,ପ୍ରଶାନ୍ତ କୁମାର ସେନାପତି,ନିରୁପମା ନନ୍ଦ, ମମତା ମହାନ୍ତି,ରାଜଶ୍ରୀ ନନ୍ଦ, ସ୍ୱପ୍ନା ସାହୁ,ରଞ୍ଜିତା ସ୍ୱାଇଁ, ଆଶାଲତା ସିଂହ,ଭବାନୀ ସାହୁ ଏବଂ ଭବାନୀ ବେହେରା !ଆଗାମୀ ବର୍ଷରେ ଏହି ମିଳନ ଉତ୍ସବକୁ ସରସ ସୁନ୍ଦର କରାଯିବାକୁ ସମସ୍ତ ବନ୍ଧୁମାନେ ସଂକଳ୍ପ କରିଥିବାର ଦେଖାଯାଇ ଥିଲା ।