ଭାଜପାରେ ମିଶିବେ ସୌମ୍ୟରଞ୍ଜନ ଓ ପାଟ୍ଟଶାଣୀ !

ରାଜ୍ୟ
Share

ଭୁବନେଶ୍ବର : ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା ହେଉଛି କି ବିଜେଡିର ବଡ଼ ନେତା ତଥା ଏମପି ପ୍ରସନ୍ନ ପାଟ୍ଟଶାଣୀ ଓ ଦଳ ଛାଡିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଭାଜପାରେ ଯୋଗ ଦେଇ ପାରନ୍ତି। ଯାହାକୁ ନେଇ ଏବେଠୁ କଳ୍ପନାଜଳ୍ପନା ଆରମ୍ଭ ହେଲାଣି।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି । ଗତ ବର୍ଷ ବିଜେଡିରୁ ନିଲମ୍ବିତ ହୋଇଥିଲେ ସୌମ୍ୟରଞ୍ଜନ । ଏବେ ସୌମ୍ୟ ଭାଜପାରେ ଯୋଗ ଦେଇପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କିନ୍ତୁ ଏ ସମ୍ପର୍କରେ ସୌମ୍ୟଙ୍କ ପକ୍ଷରୁ ସ୍ପଷ୍ଟ ହୋଇନାହିଁ । ସେହିପରି ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀଙ୍କୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।
କୁହାଯାଉଛି ପ୍ରସନ୍ନ ପାଟ୍ଟଶାଣୀ ଭାଜପାରେ ଯୋଗ ଦେଇପାରନ୍ତି ! ଏ ସମ୍ପର୍କରେ ମଧ୍ୟ କୌଣସି ଆନୁଷ୍ଠାନିକ ସୂଚନା ମିଳୁ ନ ଥିବାବେଳେ ଜୋରସୋର ଚର୍ଚ୍ଚା ହେଉଛି। କିଛିଦିନ ତଳେ ସେ ଚିଲିକା ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲ। ତେବେ ଟିକେଟ ଘୋଷଣା ନ ହେବାରୁ ପାଟ୍ଟଶାଣୀ ଦଳ ଛାଡ଼ିପାରନ୍ତି ବୋଲି ଆକଳନ କରାଯାଉଛି। ଭୁବନେଶ୍ୱରରୁ ଲଗାତାର ୫ ଥର ଏମପି ହୋଇଥିବା ପାଟ୍ଟଶାଣୀଙ୍କୁ ୨୦୧୯ରେ ବିଜେଡି ଟିକେଟ ମିଳି ନ ଥିଲା। ପରେ ସେ ରାଜ୍ୟ ସଭା ଟିକେଟ୍‌ ଲାଗି ଆଶାୟୀ ଥିଲେ । ମାତ୍ର ତାଙ୍କ ଆଶା ପୂରଣ ହୋଇପାରି ନ ଥିଲା ।
ତେବେ ଚଳିତ ଥର ବିଧାନସଭା ନିର୍ବାଚନ ପାଇଁ ଚିଲିକାରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ କିଛି ଦିନ ପରେ ଏ ଚର୍ଚ୍ଚା ଥମି ଯାଇଥିଲା। ନିକଟରେ ପାଟ୍ଟଶାଣୀଙ୍କ ଜ୍ୱାଇଁ ତଥା ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର ନିକଟରେ ବିଜେଡି ଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି। ଉତ୍ତର ଭୁବନେଶ୍ୱରରୁ ପ୍ରିୟଦର୍ଶୀଙ୍କୁ ଭାଜପା ପ୍ରାର୍ଥୀ କରିଛି। ତେଣୁ ପାଟ୍ଟଶାଣୀ ମଧ୍ୟ ଭାଜପାକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ମାତ୍ର ଏନେଇ କୌଣସି କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ।
ତେବେ ଭାଜପା ପ୍ରଭାରୀ ବିଜୟପାଲ ସିଂହ ତୋମାରଙ୍କ ଏକ ବୟାନ ଏଭଳି ଚର୍ଚ୍ଚା ଲାଗି ଖୋରାକ ଯୋଗାଇଛି । ଗତକାଲି ବିଜୟ ପାଲ ସିଂ ତୋମାରଙ୍କୁ ସାମ୍ବାଦିକ ମାନେ ପ୍ରଶ୍ନ କରିଥିଲେ କେଉଁ କେଉଁ ନେତା ଭାଜପାରେ ଯୋଗ ଦେଉଛନ୍ତି? ଏହାର ଉତ୍ତରରେ ସେ କହିଥିଲେ, ଅନେକ ବଡ଼ ନେତା ଯୋଗାଯୋଗରେ ଅଛନ୍ତି । ଆସନ୍ତାକାଲି ହିଁ ଏହା ସ୍ପଷ୍ଟ ହୋଇଯିବ ।
ଏହାପରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ହୁଏତ ସୌମ୍ୟରଞ୍ଜନ ଓ ପାଟ୍ଟଶାଣୀ ଭାଜପାରେ ଯୋଗ ଦେଇପାରନ୍ତି । ତେବେ ଏଯାଏ ଉଭୟ ନେତାଙ୍କ ପକ୍ଷରୁ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିନାହିଁ । ଗତ ବର୍ଷ ସେପ୍ଟେମ୍ବର ମାସରେ ଦଳ ବିରୋଧୀ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ବିଜେଡିରୁ ନିଲମ୍ବିତ ହୋଇଥିଲେ ସୌମ୍ୟ ପଟ୍ଟନାୟକ । ଏହାପରେ ଆଗାମୀ ରାଜନୈତିକ ଯୋଜନା ବିଷୟରେ ସେ ଚିନ୍ତା କରୁଥିବା କଥା କହିଥିଲେ । ବିଜେଡିରୁ ନିଲମ୍ବିତ ହେବା ପରେ ତାଙ୍କ ରାଜନୈତିକ କ୍ୟାରିୟର ଶେଷ ହୋଇ ନ ଥିବା କହିଥିଲେ ସୌମ୍ୟ । ସେ କହିଥିଲେ, ‘ବର୍ତ୍ତମାନ ମୁଁ କୌଣସି ଦଳରେ ନାହିଁ । ରାଜନୀତି କେବଳ କୌଣସି ଦଳରେ ରହି ନିର୍ବାଚନ ଲଢ଼ିବା ନୁହେଁ । ମୁଁ ଅନ୍ୟ ଉପାୟରେ ରାଜନୀତିକୁ ବ୍ୟବହାର କରି ଲୋକଙ୍କ ସେବା କରି ପାରିବି’ ।

Leave a Reply

Your email address will not be published. Required fields are marked *