ଝଙ୍କଡ଼ : ବାଣୀକ୍ଷେତ୍ର ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଠାକୁରାଣୀ ଙ୍କ ବିଜେସ୍ଥଳୀ, କନକପୁର ବଜାର ଶହ ଶହ ଦୋକାନ ବଜାର, ଘୋ ଘୋ ଡାକୁଥିଲା । ଓଡିଆ ଭାଷା ସାହିତ୍ୟ ସଂସ୍କୃତି ଓ କାବ୍ୟ କଳାର ଆରାଧ୍ୟା ଦେବୀ ମା ସାରଳା ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ପ୍ରତିଦିନ ରାତି ପାହିଲେ, ସହସ୍ରାଧିକ ଶ୍ରଦ୍ଧାଳୁ ଭକ୍ତ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କ ଧାଡ଼ି ଛୁଟୁଥିଲା, ଏଇ ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠକୁ। ଦିନରାତି ଚକଚଞ୍ଚଳ ହୋଇ ଉଠୁଥିଲା ଏହି ପବିତ୍ର ପୀଠ ସ୍ଥଳି । ଯାତ୍ରୀ ମାନଙ୍କ ରହିବା, ଖାଇବା ଓ ରାତ୍ରୀଯାପନ ପାଇଁ ମଧ୍ଯ ଯଥେଷ୍ଟ ସୁବିଧା ସୁଯୋଗ ଥିଲା। ମାତ୍ର ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ ଏହି ଯାତ୍ରୀ ମାନଙ୍କ କିଣା ବିକା ଉପରେ ନିର୍ଭରଶୀଳ ହୋଇ,ପରିବାର ପ୍ରତିପୋଷଣ କରି ଆସୁଥିବା ୫୦୦ ରୁ ଉର୍ଦ୍ଧ୍ବ ଦୋକାନୀ ଙ୍କ ମଧ୍ୟରୁ ୨୦୦୯ ମସିହାରେ, ପୀଠର ସମ୍ପ୍ରସାରଣ ନିମନ୍ତେ ପ୍ରଥମ ପର୍ଯ୍ୟାୟରେ ଶତାଧିକ ଦୋକାନୀ ଙ୍କୁ ଉଠାଇ ଦିଆଗଲା ।
ସେହିପରି ୨୦୧୫ ମସିହାରେ ଏଠାରେ, ବଡ଼ଠାକୁର ବଳଭଦ୍ର ଦେବ ଙ୍କ ବ୍ରହ୍ମଦାରୁ ଚିହ୍ନଟ ହେବାପରେ ପୁନର୍ବାର ୨୦୦ ରୁ ଉର୍ଦ୍ଧ୍ବ ଦୋକାନଘର କୁ ପ୍ରଶାସନ ତରଫରୁ ବୁଲ୍ଡୋଜର ଲଗାଇ ଭାଙ୍ଗି ଦିଆଗଲା । ତତ୍ କାଳୀନ ଶ୍ରୀ ମନ୍ଦିରର ମୂଖ୍ୟପ୍ରଶାସକ ସୁରେଶ ମହାପାତ୍ର ଓ ଜଗତସିଂହପୁର ଜିଲ୍ଲାପାଲ ସତ୍ୟ କୁମାର୍ ମଲ୍ଲିକ ଦୋକାନୀ ମାନଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଲେଯେ, ବଡ଼ ଠାକୁର ଙ୍କ ଦାରୁ ଆବିର୍ଭାବ ହେବା ପରେ, ସାରାବିଶ୍ଵର ଲୋକମାନଙ୍କର ଏଠାକୁ ସୁଅ ଛୁଟିଛି। ଏ ପୀଠ ଏକ ଅନ୍ତର୍ଜତୀୟ ମାନ୍ୟତା ଲାଭ କରିସାରିଛି । ତେଣୁ ଆମେ ମାତ୍ର ତିନିମାସ ମଧ୍ୟରେ ସମସ୍ତ୍ ଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ, ମାର୍କେଟ କମ୍ପ୍ଲେକ୍ସ କରିଦେବୁ। ସମସ୍ତଙ୍କୁ ନୁଆ ଘର ଯୋଗାଇଦେବୁ। ହେଲେ ପ୍ରଶାସନ ର ଏହି ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତିରେ ହିଁ ରହିଗଲା।
ପରିଶେଷରେ ସାରଳା ମନ୍ଦିର ପରିଦର୍ଶନ ରେ ଆସି ତତ୍ କାଳୀନ ୫ଟି ସଚୀବ ଭି କେ ପାଣ୍ଡିଆନ୍ ଗସ୍ତ କରିବା ପରେ ୨୦୨୨ ଜୁନ ଦୁଇ ତାରିଖରେ , ରାଜ୍ୟ ସରକାର ସାରଳାପୀଠ ର ରୂପାନ୍ତକରନଣ ପାଇଁ ପ୍ରଥମ ପର୍ଯ୍ୟାୟ ରେ ୪୨ କୋଟି ଟଙ୍କା ମଞ୍ଜୁର କରିବା ସହିତ, ଏହି ପ୍ରକଳ୍ପ ମାତ୍ର ୧୮ ମାସ ମଧ୍ୟରେ ଶେଷ ହେବ ଓ ସମସ୍ତ ବିସ୍ଥାପିତଙ୍କୁ ଉନ୍ନତ ମାନର ଦୋକାନ ଗୃହ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ ,ତୃତୀୟ ପର୍ଯ୍ୟାୟ ରେ ଅବଶିଷ୍ଟ ୨୦୦ରୁ ଉର୍ଦ୍ଧ୍ବ ଦୋକାନୀଙ୍କୁ ମଧ୍ୟ ଉଠାଇ ଦିଆଗଲା। ଯାହା ଫଳରେ ରୋଜଗାର ହରାଇ ଶହ ଶହ ଛୋଟ ବଡ ଦୋକାନୀ, ବହୁ ଦୁଃଖ କଷ୍ଟରେ,ଜୀଵନ ଯାପନ କରିବା ସହିତ ସେମାନଙ୍କ ମଧ୍ୟରୁ କେତେକ ପେଟ ପୋଷି ନପାରି ମରି ଗଲେଣି ।
ଅପର ପକ୍ଷରେ ଏଠାରେ ଥିବା, କୁବେରପୁତ୍ର ଧର୍ମଶାଳା, କରୁଣା ନିବାସ ଧର୍ମଶାଳା କୁ ବୁଲ୍ଡୋଜର ଚଢ଼ାଇ ମାଟିରେ ମିଶାଇ ଦେଇ ଥିବା ବେଳେ, ଜଳସମ୍ପଦ ବିଭାଗ ତରଫରୁ ନିର୍ମିତ ହେଇଥିବା ଝଙ୍କଡ଼ ବିଶ୍ରାମାଗାର ଓ ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ତରଫରୁ ଆଉ ଏକ ଦ୍ଵିତଳ ପାନ୍ଥ ନିବାସ ୫ ବର୍ଷ ପୁର୍ବରୁ ପୁନଃ ନିର୍ମାଣ ଓ ନବନିର୍ମାଣ କାର୍ଯ୍ୟ ଶେଷ ହେବା ପରେ , ୨ବର୍ଷ ପୁର୍ବରୁ ଏହା ଖୋଦ୍ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଭରଚୁଆଲ ଉଦଘାଟନ କରା ଯାଇ ଥିଲେ ମଧ୍ୟ ବାସ୍ତବ କ୍ଷେତ୍ରରେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ଏଠାକୁ ଆସୁଥିବା ତୀର୍ଥଯାତ୍ରୀ ଓ ପର୍ଯ୍ୟଟକ ମାନେ ବର୍ଷ ବର୍ଷ ଧରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଭାରତବର୍ଷ ର ମହାନ ତୀର୍ଥ ଅଯୋଧ୍ୟା ରେ ରାମଲାଲ୍ ଙ୍କ ଭବ୍ୟ ମନ୍ଦିର ନିର୍ମାଣ କରି ଥିବା ବିଜେପି ସମ୍ପ୍ରତି ଦେଶ ଓ ଆମ ରାଜ୍ୟ ଓଡ଼ିଶାରେ ଶାସନ ଭାର ଗ୍ରହଣ କରିବା ପରେ, ଓଡିଆ ଭାଷା ସାହିତ୍ୟ ସଂସ୍କୃତିର ଆଦି ପୀଠ ଝଙ୍କଡ଼ ସାରଳାଙ୍କ ମନ୍ଦିର ର ଚାଲିଥିବା ଏହି ରୁପାନ୍ତକରଣ୍ କାର୍ଯ୍ୟ ର ମନ୍ଥରଗତି କୁ ତ୍ୱରାନ୍ୱିତ କରିବେ ବୋଲି, ପୂର୍ବଉପକୂଳ ର ଅଧିବାସୀ ମାନେ ଉତ୍କଣ୍ଠା, ଆଗ୍ରହ ଓ ଆବେଗର ସହିତ ଚାହିଁ ରହିଛନ୍ତି।ବିଶେଷ କରି ସାରଳାପୀଠ କୂ ଆସୁଥିବା ଶହ ଶହ ଟୁରିଷ୍ଟବସ ଓ ଯାନବାହାନ ଯାତାୟାତ କ୍ଷେତ୍ରରେ ଘୋର ଅସୁବିଧାର ସମ୍ମୁଖୀନ ହେଉଥିବାରୁ, ସଂଲଗ୍ନ ରାସ୍ତା ଘାଟ ର ସମ୍ପ୍ରସାରଣ, ସାରଳାପୀଠର ଏହି ନବୀକରଣ କାର୍ଯ୍ୟ ରେ ବାରମ୍ବାର ମୂଳ ନକ୍ସା ର ପରିବର୍ତ୍ତନ, ନିମ୍ନ ମାନର ନିର୍ମାଣ କାର୍ଯ୍ୟ ର ବିଧିବଦ୍ଧ ତଦନ୍ତ ଓ ଏ କ୍ଷେତ୍ରରେ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଝଙ୍କଡ଼ ଅଞ୍ଚଳ ର ଅଧିବାସୀ ମାନେ ରାଜ୍ୟ ସରକାରଙ୍କ ନିକଟରେ ଦୃଢ଼ ଦାବୀ କରି ଅଛନ୍ତି।
ଦେଖିବାକୁ ବାକି ରହିଲା ରାଜ୍ୟରେ ଏକକ ସଂଖ୍ୟା ଗରିଷ୍ଠତା ଲାଭକରିଥିବା ମାନ୍ୟବର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀ ଙ୍କ ଡବଲ ଇଞ୍ଜିନ ସରକାର , ସାରଳା ପୀଠ ର ନବୀକରଣ କାର୍ଯ୍ୟ କୁ ପୂର୍ଣ୍ଣାଙ୍ଗ କରିବା ପାଇଁ କି ପଦକ୍ଷେପ ନେଉଛନ୍ତି।