ଝଙ୍କଡ଼ : ତିର୍ତ୍ତୋଲର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ଦ୍ୱାରା ଆରମ୍ଭ ହୋଇଥିବା, ତିର୍ତ୍ତୋଲ ଅଞ୍ଚଳର ଗଣପର୍ବ ଚେଳିତୋଳ ବାଲିଯାତ୍ରା-୨୦୨୪ ରେ ବିଧାୟକ ଡଃ ରମାକାନ୍ତ ଭୋଇଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଅଛି । ଚଳିତ ବର୍ଷର ଏହି କାର୍ଯ୍ୟକ୍ରମରେ ଯଦିବା ଆଧ୍ୟାତ୍ମିକ, ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ତ୍ରିବେଣୀସଙ୍ଗମ ଧାରା ପ୍ରବାହିତ ହୋଇଥିବାର ଦେଖିବାକୁ ମିଳିଥିଲା, ତଥାପି ସର୍ବଦଳୀୟ ଓ ସାର୍ବଜନୀନ ହୋଇ ନଥିବାରୁ, ସାଧାରଣରେ ଏହାର ସମାଲୋଚନା ଓ ଚର୍ଚ୍ଚା ହେଉଛି । ପଦ୍ମଶ୍ରୀ ବାବା ବଳିଆ ଙ୍କ ଦ୍ଵାରା ଉଦଘାଟନ, ପଣ୍ଡିତ ଅଭୟ କୁମାର ଦାଶଙ୍କ ଦ୍ଵାରା, ଭାଗବତ ଟୁଙ୍ଗି ବାଲିଯାତ୍ରା ମହୋତ୍ସବ ରେ ଆଧ୍ୟାତ୍ମିକତା ର ବାର୍ତ୍ତା ବହନ କରୁଥିବା ବେଳେ, କବିତା ପାଠୋତ୍ସବ ଓ ସାରଳା ସାହିତ୍ୟ ସଂସଦ ର ପ୍ରତିଷ୍ଠାତା ସଭାପତି ଇଂ ପ୍ରଭାକର ସ୍ୱାଇଁ ଙ୍କ ସମେତ କେତେକ ବିଶିଷ୍ଟ ସାରସ୍ୱତ ସାଧକ ମାନଙ୍କ ଦ୍ଵାରା ତଥ୍ୟ ସମ୍ବଳିତ ବକ୍ତବ୍ୟ ସାରସ୍ୱତ ଭାବନାକୁ ରୁଦ୍ଧିମନ୍ତ କରିଥିଲା ।
ଓଡିଶା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ପ୍ରାୟୋଜିତ ଓ ସ୍ଥାନୀୟ କଳାକାର ମାନଙ୍କ ଦ୍ଵାରା ପରିବେଷିତ ନୃତ୍ୟ ସଙ୍ଗୀତ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସାଂସ୍କୃତିକ ବାସନା ର ମହକ ଚେଳିତୋଳ ବାଲିଯାତ୍ରା ମହୋତ୍ସବ କୁ ସରସ ସୁନ୍ଦର କରିଥଲେ ମଧ୍ୟ ଦୀର୍ଘ ୨୦/୨୨ ବର୍ଷ ଧରି ଏହି ବାଲିଯାତ୍ରା ମହୋତ୍ସବ ର ପ୍ରତିଷ୍ଠାତା ସଦସ୍ୟ, ପୃଷ୍ଠପୋଷକ, ଓ ସଂସ୍କୃତି ଗବେଷକ ମାନଙ୍କୁ ଅଖୋଜା ଅଲୋଡ଼ା ଓ ଅଣଦେଖା କରାଯାଇଥିଲା। ବିଶିଷ୍ଟସମାଜସେବୀ ପତିତପାବନ ହୋତା , ତିର୍ତ୍ତୋଲ ର ପୂର୍ବତନ ସରପଞ୍ଚ ମନୋରଞ୍ଜନ ମହାପାତ୍ର, ଛାତ୍ରନେତା ବଟକୃଷ୍ଣ ଦାଶ, ବିଶିଷ୍ଟ ସମାଜସେବୀ ନରହରି ମିଶ୍ର, ଗୋପାଳପୁର ପଞ୍ଚାୟତର ସରପଞ୍ଚ ପ୍ରକାଶ ଚନ୍ଦ୍ର ସ୍ଵାଇଁ , ପୂର୍ବତନ ଜିଲ୍ଲାପରିଷଦ ଅଜୟ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ୟ ରବିନାରାୟଣ ସାହୁ , ଆତ୍ମାଅଧ୍ୟକ୍ଷ ଦେବେନ୍ଦ୍ର କୁମାର ମଲ୍ଲିକ, ଗୋବିନ୍ଦପୁରର ସମାଜସେବୀ ଭାସ୍କର ଚନ୍ଦ୍ର ନାୟକ, ନିୟୁଜ 7 ର ଉପସ୍ଥାପକ ବିଭୂତି ଭୁଷଣ ବିଶ୍ବାଳ, ଦୂରଦର୍ଶନକେନ୍ଦ୍ରର ଅଧିକାରୀ ଚନ୍ଦ୍ରକାନ୍ତ ରାୟଙ୍କ ସମେତ ଅନେକ ଶୁଭେଚ୍ଛୁ ଜ୍ଞାନୀଗୁଣୀ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ଦୀର୍ଘ ୭ଦିନବ୍ୟାପି ଏହି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିନଥିଲା । ଅପରପକ୍ଷରେ ନିମନ୍ତ୍ରଣ ପତ୍ରରେ ଛପା ଯାଇଥିବା ଅତିଥିମାନଙ୍କ ମଧ୍ୟରେ ବହୁ ଅତିଥି ନ ଆସିବାରୁ ପୂର୍ବତନ ବିଧାୟକ, ଜିଲ୍ଲାପରିଷଦ, ସରପଞ୍ଚ ଆଦିଙ୍କୁ ଧରାବର କରି ଅତିଥି ଭାବେ ମଞ୍ଚାସୀନ କରାଯାଇଥିଲା । ଆଉ ଜଣେ ଦିଜଣ ବ୍ୟକ୍ତିଙ୍କୁ ପ୍ରତିଦିନ ମଞ୍ଚ ଉପରେ ଅତିଥିମାନଙ୍କ ପଛ ପାଖରେ ବସି ମିଡ଼ିଆରେ ଫଟୋ ଉଠାଇବା ସହିତ ନିଜ ନିଜକୁ ବିଜ୍ଞାପିତ କରିବାର ପ୍ରୟାସ କରୁଥିବା ବେଳେ, ଆଉ କେତେକ ନିଜକୁ ମଞ୍ଚ ପରିଚାଳନାର ସର୍ବମୟକର୍ତ୍ତା ଭାବରେ ମନେକରୁଥିବା ଭଳି ହାସ୍ୟାସ୍ପଦ ଘଟଣା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ସବୁଠୁଁ ବଡ଼କଥା ହେଲା, ବିଜେପି ଓ କଂଗ୍ରେସର ନେତୃବୃନ୍ଦ ଓ ସମର୍ଥକମାନେ ଏହି ଗଣପର୍ବ ବାଲିଯାତ୍ରା କୁ ବର୍ଜ୍ଜନ କରିଥିବା ସ୍ପଷ୍ଟ ହୋଇଥିବା ବେଳେ, ବିଜେଡ଼ି ଦଳର ବହୁ ଜନପ୍ରତିନିଧି ମାନେ, ବିଧାୟକ ତଥା ଚେଲିତୋଳ ବାଲିଯାତ୍ରା କମିଟି ର ସଭାପତି ଡଃ ରମାକାନ୍ତ ଭୋଇଙ୍କର ଏ ପ୍ରକାରର ମନମାନି କୁ ସହଜରେ ଗ୍ରହଣ କରିପାରି ନାହାନ୍ତି । ମୁଁ ନୁହେଁ ଆମେ ସମସ୍ତେ ମିଳିମିଶି ଏହି ବାଲିଯାତ୍ରା କୁ ପାଳନ କରୁଛୁ ବୋଲି, ନାରା ଦେଉଥିବା ବିଧାୟକଙ୍କର ବାସ୍ତବ କାର୍ଯ୍ୟକ୍ରମ ଓଲଟା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ବାଲିଯାତ୍ରାର ରୌପ୍ୟଜୟନ୍ତି ପାଳନ ପାଇଁ କମିଟି଼ର ଅଧ୍ୟକ୍ଷ ଭାବରେ, ଏହାର ପ୍ରତିଷ୍ଠାତା ଦେବାଶିଷ ସାମନ୍ତରାୟ ଦାୟିତ୍ଵ ବହନ କରିବେ ବୋଲି, ବିଧାୟକ ସୂଚନା ଦେଇଥିବା ବେଳେ, ଦେଖିବାକୁ ବାକି ରହିଲା ଋଷିବାବୁ, କେତେଦୂର ଏହି ଗଣପର୍ବ ଚେଳିତୋଳ ବାଲିଯାତ୍ରାକୁ ସର୍ବଦଳୀୟ ଓ ସାର୍ବଜନୀନ କରିପାରୁଛନ୍ତି ?