ଝଙ୍କଡ଼ : ଉତ୍କଳୀୟ ପରମ୍ପରାରେ କେଉଁ ଅନାଦିକାଳରୁ ପାଳିତ ହୋଇ ଆସୁଥିବା ଚୈତ୍ର ଶୁକ୍ଳ ମଧୁ ପାର୍ବଣ ବାସନ୍ତୀ ପୂଜା ଗତ ୯ତାରିଖ ମଙ୍ଗଳ ବାର ଠାରୁ ଆରମ୍ଭ ହୋଇ, ୧୮ ତାରିଖ ଗୁରୁବାର, ସୁଦଶା ବ୍ରତ ଦିନ ଦଶହରା ରେ ଉଦଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପ୍ରତ୍ୟେହ ପ୍ରାତଃ ସମୟରେ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ପରେ ମାର୍ଜନା, ଅଭିନବ ବେଶରେ ମାଆଙ୍କୁ ସଜ୍ଜିତ କରାଯିବା ପରେ, ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ସମର୍ପଣ , ଦଶଦିଗପାଳପୂଜା, ପାର୍ଶ୍ଵ ଦେବଦେବୀପୂଜା, ସୂର୍ଯ୍ୟପୂଜା , ଦୈନିକ ପାଞ୍ଜିପାଠ, ବାଳଭୋଗ ପୂଜା , ଓ ସମୂହ ସପ୍ତଶତୀ ଚଣ୍ଡୀ ମନ୍ତ୍ର ଧ୍ବନି ରେ, ମାଆଙ୍କ ବେଢ଼ାରେ ଏକ ଅପୂର୍ବ ଭକ୍ତି ଭାବମୟ ପରିବେଶ ସୃଷ୍ଟି ହୋଇଥିଲା। ପରେ ପରେ ପ୍ରଥମ୍ ପ୍ରହର ଧୂପ କରାଯାଇ ବଡସିଂହାର ଓ ଷୋଡ଼ଶ ଉପଚାର ପୂଜା ସହିତ ବିଶ୍ଵଶାନ୍ତି ଯଜ୍ଞ ରେ ଆହୂତି ପ୍ରଦାନ କରାଯାଇଥିଲା । ଦ୍ୱିତୀୟପ୍ରହର ଧୂପ ଶେଷରେ ପଲଙ୍କ ଶଯ୍ୟା କରାଯାଇ ପହୁଡ଼ ପଡ଼ିଥିଲା। ଅପରାହ୍ନ ୩ ଟାରେ ପୁନଶ୍ଚ ପହୁଡ଼ ଖୋଲାଯାଇ, ମାର୍ଜନା ପରେ ସନ୍ଧ୍ୟା ବେଶ ରେ ମାଆଙ୍କୁ ସଜ୍ଜିତ କରାଯାଇଥିଲା । ପଣା ଓ ପୁରୀ ମରିଚ ଲଡ଼ୁ ଭୋଗ ଅର୍ପଣ ପରେ ସନ୍ଧ୍ୟା ଆରତୀ, ଜପଯଜ୍ଞ, ବଡ଼ସିଂହାର ବେଶ ଓ ଷୋଡ଼ଶ ଉପଚାର ପୂଜା ପରେ ଦ୍ବିତୀୟ ପ୍ରହର ଧୂପ ରେ ଦହି ପଖାଳ ଭୋଗ ଓ ପଇଡ ଜଳ ଅର୍ପଣ କରାଯାଇ ପହୁଡ଼ ପଡ଼ିଥିଲା।
ତେବେ ଏହି ସମସ୍ତ ନିତିକାନ୍ତି ରେ ମାଆଙ୍କ ବଡପଣ୍ଡା ରଞ୍ଜନ କୁମାର ପଣ୍ଡା, ପରିଚ୍ଛା ପଣ୍ଡିତ ସୁଦାମ ଚରଣ ପଣ୍ଡା , ପୁରୋହିତ ପଣ୍ଡିତ ପୀତାମ୍ବର ଆଚାର୍ଯ୍ୟ, ପୁସ୍ତକl ଚାର୍ଯ୍ୟ ପଣ୍ଡିତ ପ୍ରସନ୍ନ କୁମାର ଆଚାର୍ଯ୍ୟ ଙ୍କ ସମେତ, ପାଳିଆ ସେବକ ଓ ଛତିଶା ନିଯୋଗ ମାନଙ୍କ ସହିତ ସମସ୍ତ ସେବାୟତ ମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିବାର ଦେଖିବାକୁ ମିଳିଥିଲା। ଆଶ୍ୱିନ ପାର୍ବଣ ଭଳି ଏହି ବାସନ୍ତୀ ପୂଜାରେ ମଧ୍ୟ ପ୍ରତିଦିନ ମଣ୍ଡା ପିଠା ଭୋଗ ମାଆଙ୍କ ନିକଟରେ ପୂଜା ହୋଇଥାଏ।