ବଜାରରେ ଇଲିସି କିଲୋ ୩ ହଜାର ଟଙ୍କା

ଭଦ୍ରକ ରାଜ୍ୟ
Spread the love

ଭଦ୍ରକ, ୧୨/୯: ବ୍ରିଟିଶ ଶାସନ ସମୟରେ ଧାନ ଆଉ ମୀନର ସହର ଭାବରେ ପ୍ରତିଷ୍ଠା ଲାଭ କରିଥିଲା ଚାନ୍ଦବାଲି ଓ ଧାମରା। ସମୁଦ୍ରରୁ ଧାମରା ଇଲିସିର ବାସ୍ନା ଥିଲା ନିଆରା। ସେଥିପାଇଁ  ଏଠାରେ ଧାମରା ମତ୍ସ୍ୟ ପୋତାଶ୍ରୟ ପ୍ରତିଷ୍ଠା କରାଯାଇଥିଲା। ପୁରାତନ ମାଛଧରା ବନ୍ଦର ଭାବରେ ଓଡ଼ିଶାରେ ଭଦ୍ରକ  ଜିଲ୍ଲାରେ  ଧାମରା ବନ୍ଦର ଓ ଚୁଡ଼ାମଣି ବନ୍ଦର ଥିଲା। ମାଛ ଧରା ପାଇଁ ଏଇ ବନ୍ଦରରେ ରାତି ପାହିଲେ ହଜାର ହଜାର ବୋଟ ଲାଗୁଥିଲା। ଏକଦା ଏହି ଅଞ୍ଚଳରୁ ଇଲିସି ମାଛ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହ କୋଲକତା ଓ ଅନ୍ୟ ରାଜ୍ୟକୁ ଯୋଗାଣ କରାଯାଇ ଚାନ୍ଦବାଲି-ଧାମରା ଅଞ୍ଚଳ ଅର୍ଥନୈତିକ ପ୍ରଗତିରେ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଥିଲା।

ଚାନ୍ଦବାଲିରେ ସରକାରୀ ବରଫ କଳ ଓ ରାଇସମିଲ ଗଢ଼ି ଉଠିଥିଲା। ସମକ୍ରମେ ବଙ୍ଗୋପସାଗର, ବୈତରଣୀ, ସାଳନ୍ଦୀ, ମନ୍ତେଇ ନଦୀରେ ପ୍ଲାଷ୍ଟିକ, ଚୁଙ୍ଗୁଡ଼ି ଘେରିର ରାସାୟନିକ ପଦାର୍ଥ ଜଳରେ ମିଶି ନଦୀ ସାଗର ଜଳକୁ ପ୍ରଦୂଷଣ କରିବା ସଙ୍ଗେ ସଙ୍ଗେ ବିଷ ବଳୟ ମଧ୍ୟକୁ ଠେଲି ହୋଇଗଲା। ଫଳରେ ମାଛ, କଙ୍କଡ଼ା, ଜାଆଁଳା କମିଗଲା। ଚାହିଦା ଅନୁସାରେ ସମୁଦ୍ର ମାଛ ଆମଦାନୀ ହୋଇପାରିଲା ନାହିଁ। ବିଶେଷ କରି ଇଲିଶି ମାଛର ଆମଦାନୀ କମିଲା ଓ ଖାଉଟିମାନଙ୍କ ଚାହିଦା ଅନୁସାରେ ଇଲିଶି ମାଛ କେଜି ପନ୍ଦରଶହଠାରୁ ତିନିହଜାର ଟଙ୍କାରେ ପହଞ୍ଚିଲା। ଗରିବ ମଧ୍ୟବିତ୍ତ ଲୋକେ ଇଲିଶି ମାଛ କିଣିବାରେ ଅସମର୍ଥ ହେଲେ। ଯାହା ଆମଦାନୀ ହେଲା ତାହା ଚଢ଼ା ଦରରେ ବିକ୍ରି ହେବା ପାଇଁ ବାହାର ରାଜ୍ୟକୁ ଚାଲାଣ ହୋଇଗଲା। ବର୍ଷକୁ ବର୍ଷ ଚୁଙ୍ଗୁଡ଼ି ଚାଷ ବୃଦ୍ଧି ହେବା ଫଳରେ ଚୁଙ୍ଗୁଡ଼ି ମାଫିଆଙ୍କ କବଳରେ ଚାଷ ଜମି କ୍ରମଶଃ ଧୀରେ ଧୀରେ କମି କମି ଗଲା ଓ ଧାନଚାଷ କ୍ଷତିଗ୍ରସ୍ତ ହେଲା। ଅପରପକ୍ଷରେ ମାଛ ବଜାରରେ ଇଲିଶି ମାଛ ଆଉ ବିଶେଷ ଭାବରେ ଦେଖିବାକୁ ମିଳିଲା ନାହିଁ ।

Leave a Reply

Your email address will not be published. Required fields are marked *