ଭୁବନେଶ୍ୱର: ଭତ୍ତା ଅପେକ୍ଷାରେ ଥିବା ହିତାଧିକାରୀଙ୍କ ପାଇଁ ଆକ୍ସନ ମୋଡକୁ ଆସିଛନ୍ତି ସରକାର । । ଖୁବ୍ଶୀଘ୍ର ରାଜ୍ୟର ହଜାର ହଜାର ଯୋଗ୍ୟ ଆବେଦନକାରୀଙ୍କୁ ମିଳିବ ‘ମଧୁବାବୁ ପେନସନ୍ ଯୋଜନା’ର ଲାଭ । ଆସନ୍ତା ଅଗଷ୍ଟ ୧୮ ତାରିଖ ସୁଦ୍ଧା ପେଣ୍ଡିଂ ଥିବା ସମସ୍ତ ଆବେଦନଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କ ପ୍ରମୁଖ ଶାସନ ସଚିବ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ।
ସମସ୍ତ ଜିଲ୍ଲାପାଳ, ଆରଡିସି ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଏହି କାର୍ଯ୍ୟ ମିଶନ୍ ମୋଡରେ ଶେଷ କରିବାକୁ କୁହାଯାଇଛି । ସରକାରୀ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ଲକ୍ଷ ୭୫ହଜାରରୁ ଉର୍ଦ୍ଧ୍ୱ ହିତାଧିକାରୀ ଏହି ଯୋଜନାରେ ପେନସନ୍ ପାଉଛନ୍ତି । ତେବେ ଅଗଷ୍ଟ ୧୨ ସୁଦ୍ଧା ୬୩,୮୪୮ଟି ଅନଲାଇନ୍ ଆବେଦନ ଯାଞ୍ଚ ନ ହୋଇ ପଡ଼ିରହିଛି । ଏହି ଆବେଦନଗୁଡ଼ିକ ମୁଖ୍ୟତଃ ବ୍ଲକ୍ ସ୍ତରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ, ପୌରାଞ୍ଚଳ ସ୍ତରରେ ସମ୍ପୃକ୍ତ କାର୍ଯ୍ୟାଳୟଗୁଡ଼ିକରେ ଅଟକି ରହିଛି ।
ଯୋଜନା ବିଷୟରେ
ମଧୁବାବୁ ପେନସନ ଯୋଜନା (MBPY) ହେଉଛି ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ । ଏହା ଦ୍ୱାରା ରାଜ୍ୟର ବୃଦ୍ଧବୃଦ୍ଧା, ବିଧବା, ଭିନ୍ନକ୍ଷମ ଏବଂ ଅସହାୟ ବ୍ୟକ୍ତିମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ ।
| ହିତାଧିକାରୀଙ୍କ ବର୍ଗ | ମାସିକ ପେନସନ ଟଙ୍କା |
| ବରିଷ୍ଠ ନାଗରିକ (୬୦ ରୁ ୭୯ ବର୍ଷ) | ୧,୦୦୦ ପ୍ରତି ମାସ |
| ବରିଷ୍ଠ ନାଗରିକ (୮୦ ବର୍ଷ ବା ତା’ଠାରୁ ଅଧିକ) | ୩,୫୦୦ ପ୍ରତି ମାସ |
| ଗୁରୁତର ଭିନ୍ନକ୍ଷମ (୮୦% ବା ତା’ଠାରୁ ଅଧିକ ଅକ୍ଷମତା) | ୩,୫୦୦ ପ୍ରତି ମାସ |
| ଭିନ୍ନକ୍ଷମ ବ୍ୟକ୍ତି (୪୦% ରୁ ୭୯% ଅକ୍ଷମତା) | ୧,୨୦୦ ପ୍ରତି ମାସ |
| ବିଧବା, କୁଷ୍ଠରୋଗୀ ଏବଂ କିନ୍ନର | ୧,୦୦୦ ପ୍ରତି ମାସ |
