ମାହାଙ୍ଗା : ୧୮୩ ବର୍ଷରେ ସାହାପୁର ଗ୍ରାମର ସରସ୍ଵତୀ ପୂଜା

କଟକ ରାଜ୍ୟ
Spread the love

* ୧୮୪୩ ମସିହାରେ ଗାଁ ଚାଟଶାଳୀ ରେ ହୋଇଥିଲା ଆରମ୍ଭ
* ତ୍ରୀ-ଦିବସୀୟ ପୂଜା ରେ ମାନସିକଧାରୀ ପରିବାରଙ୍କ ପକ୍ଷରୁ ପ୍ରସାଦ ଲାଗି ହୁଏ
ମାହାଙ୍ଗା , ୨୪/୧ ( ଅଜୟ କୁମାର ମହାନ୍ତି ) : ପୂର୍ବକାଳରେ ବିଦ୍ୟାର୍ଥୀମାନେ ଋଷି ଆଶ୍ରମରେ ରହି ବିଦ୍ୟାଶିକ୍ଷାକରି ନିଜ ଜୀବନକୁ ଗଢିବା ସହ ସୁନିୟନ୍ତ୍ରିତ କରୁଥିଲେ । ସେହି ନ୍ୟାୟରେ ଗଢି ଆସିଥିବା ଗୁରୁ ଛାତ୍ର ପରମ୍ପରାର ଅନନ୍ୟ ନମୁନା ହେଉଛି “ଚାଟଶାଳୀ ପାଠ” । ଏହି ପରମ୍ପରାକୁ ଯଥାବିଧି ସମ୍ମାନ ଜଣାଇ ଅପରୂପା ବିରୂପା ନଦୀର କୂଳରେ ଅବସ୍ଥିତ ସାହାପୁର ଗାଁର ବଉଳଦାଣ୍ଡ ଠାରେ ଏକ ଚାଟଶାଳୀ ଘର ଗଢି ଉଠିଥିଲା ୧୮୪୩ ମସିହାରେ । ଏହାର ପ୍ରଥମ ଅବଧାନ ଥିଲେ ସ୍ବର୍ଗତ ସାଧୁ ଚରଣ ମହାନ୍ତି। ପରେ ପରେ ସ୍ବର୍ଗତ ବୈଷ୍ଟଵ ମହାନ୍ତି ଅବଧାନ ଥିଲେ , ଯିଏକି ପରବର୍ତ୍ତୀ ସମୟରେ ବ୍ୟାସକବି ଫକୀରମୋହନ ସେନାପତି ଙ୍କୁ ବାଲେଶ୍ଵରର ମଲ୍ଲିକାଶପୁର ଠାରେ ତାଙ୍କର ଅବଧାନ ଭାବରେ ଶ୍ରୀ ଅକ୍ଷର ଶିକ୍ଷା ଦେଇଥିଲେ ବୋଲି ଗ୍ରାମବାସୀଙ୍କ ସୂତ୍ରରୁ ଜଣାପଡିଛି।
ସେବେଠାରୁ ଚାଟଶାଳୀରେ ଆରମ୍ଭ ହୋଇଥିଲା ବିଦ୍ୟାଦେଵୀ ମା ସରସ୍ଵତୀଙ୍କର ପୂଜାର୍ଚ୍ଚନା। ଯାହାକି ଆଜି ପର୍ଯ୍ୟନ୍ତ ବର୍ଷ ବର୍ଷ ଧରି ପାଳିତ ହୋଇଆସୁଛି ଏବଂ ଆଜି ୧୮୩ ବର୍ଷରେ ପଦାର୍ପଣ କରିଛି।କ୍ରମାନୁଯାୟୀ ସ୍ବର୍ଗତ ରାଜକିଶୋର ମହାନ୍ତି, ସ୍ବର୍ଗତ ଆର୍ତ୍ତତ୍ରାଣ ମହାନ୍ତି, ସ୍ବର୍ଗତ ଗୋପୀନାଥ ନାୟକ , ସ୍ବର୍ଗତ ବ୍ରଜ କିଶୋର ନାୟକ ପ୍ରମୁଖ ଅବଧାନ ମାନେ ଏହି ଚାଟଶାଳୀ ଘରେ ଶିକ୍ଷାଦାନ କରାଇଥିଲେ।
୧୯୫୩ ମସିହାରେ ସ୍ବର୍ଗତ ବ୍ରଜମୋହନ ମହାନ୍ତି ଓ ସ୍ବର୍ଗତ ଗୌର ମୋହନ ମହାନ୍ତି ସରକାରଙ୍କ ଅନୁମତି କ୍ରମେ ନିମ୍ନ ପ୍ରାଥମିକ ବିଦ୍ୟାଳୟଟିଏ ସ୍ଥାପନ କରିଥିଲେ।
ସେହି ସରକାରୀ ବିଦ୍ୟାଳୟ ପବିତ୍ର ବସନ୍ତ ପଞ୍ଚମୀ ତିଥିରେ ଏହି ଚାଟଶାଳୀରେ ଆରମ୍ଭ ହୋଇଥିଲା। ପରବର୍ତ୍ତୀ କାଳରେ ଏହି ବିଦ୍ୟାଳୟ ଚାଟଶାଳୀରୁ ଅନ୍ୟତ୍ର ସ୍ଥାନାନ୍ତରିତ ହୋଇଥିଲା। ମାତ୍ର ସେହି ପୁରୁଣା ଚାଟଶାଳୀ ଗୃହଟି “କୋଠଘର”ରେ ପରିବର୍ତ୍ତିତ ହୋଇଯାଇ ସେଠାରେ ଦୈନିକ ଭାଗବତ ପାଠ କରାଯିବା ସହ ଖୁଦୁରୁକୁଣୀ ଓଷା , ବୁଧେଇ ଓଷା , ସରସ୍ଵତୀ ପୂଜା ଆଦି କରାଗଲା ବୋଲି ଗ୍ରାମବାସୀ ତଥା ପୂଜା କମିଟିର ସଭାପତି ଅମୂଲ୍ୟ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଅନ୍ୟ ଓଷା ଓ ପୂଜାର୍ଚ୍ଚନା ମଧ୍ୟରେ ସରସ୍ଵତୀ ପୂଜା ବସନ୍ତ ପଞ୍ଚମୀ ଦିନଠାରୁ ଆରମ୍ଭ ହୋଇ ୩ ଦିନ ବ୍ୟାପୀ ଖୁବ୍ ଯାକଜମକରେ ପାଳିତ ହୋଇଥାଏ। ପ୍ରତ୍ୟେକ ଦିନ ରାତିରେ ନିର୍ଦ୍ଧିଷ୍ଟ ପରିବାରଙ୍କ ପକ୍ଷରୁ ମାନସିକ ସ୍ୱରୂପ ରନ୍ଧାଯାଉଥିବା ପ୍ରସାଦ ମା’ଙ୍କ ପାଖରେ ଭୋଗ ଲଗାଯିବା ପରେ ସହସ୍ରାଧିକ ଶ୍ରଦ୍ଧାଳୁ ପ୍ରସାଦ ସେବନ କରିଥାନ୍ତି ବୋଲି ପୂଜା କମିଟି ସେକ୍ରେଟାରୀ ଉମାକାନ୍ତ ମହାନ୍ତି ପ୍ରକାଶ କରିଛନ୍ତି।
ସହସ୍ରାଧିକ ଲୋକଙ୍କୁ ପ୍ରସାଦ ବଣ୍ଟନ କରିଆସୁଥିବା ମାନସିକଧାରୀ ପରିବାରଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ୱେଶ୍ଵର ମହାନ୍ତି, ଅଜୟ ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ଉମାକାନ୍ତ ମହାନ୍ତି, ଜ୍ଞାନେନ୍ଦ୍ର ମହାନ୍ତି , ଜିତେନ୍ଦ୍ର ମହାନ୍ତି, ଅଶୋକ ମହାନ୍ତି ,ଉମାକାନ୍ତ ସାହୁ, ପବିତ୍ର ମୋହନ ମହାନ୍ତି, ସତ୍ୟବ୍ରତ ମହାନ୍ତି, ପ୍ରିୟବ୍ରତ ମହାନ୍ତି, ରବିନାରାୟଣ ମହାନ୍ତି, ଭାରତ ଚନ୍ଦ୍ର ମହାନ୍ତି, ସୁରେଶ ଚନ୍ଦ୍ର ମହାନ୍ତି, ଅଶ୍ଵିନୀ ମହାନ୍ତି,ମନୋରଞ୍ଜନ ମହାନ୍ତି, ପ୍ରମୋଦ ବାରିକ, ଭବାନୀ ଶଙ୍କର ମହାନ୍ତି, ସତ୍ୟନାରାୟଣ ମହାନ୍ତି, ଦାଶରଥି ବାରିକ, କୈଳାଶ ଚନ୍ଦ୍ର ମହାରଣା, ଭଗ୍ୟଧର ମହାରଣାଙ୍କ ପରିବାର ବର୍ଷ ବର୍ଷ ଧରି ପ୍ରଚଳିତ ଏହି ଦୈନିକ (୩ ଦିନ) ପ୍ରସାଦ ସେବନର ପରମ୍ପରାକୁ ବଜାୟ ରଖିଛନ୍ତି ବୋଲି ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସୂତ୍ରରୁ ପ୍ରକାଶ।
ଝାଟିମାଟି ଚାଳ ଛପରର “କୋଠଘର” ୨୦୦୩ ମସିହାରୁ ପକ୍କାଘରରେ ପରିଣତ ହୋଇ ସାରିଥିବାର ଦେଖିବାକୁ ମିଳିଛି ।

ଗ୍ରାମବାସୀ ଙ୍କ ମୁଖରୁ…………… 

ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ସାହାପୁର

 ୧୮୩ ବର୍ଷର ଏହି ଅନୁଷ୍ଠାନଟି ହେଉଛି ଆମ ବାପା ଅଜାଙ୍କ ହାତଗଢା ଏକ ଦୁର୍ମୂଲ୍ୟ ସମ୍ପତ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। ଯାହାକି ଆମ ଗାଁ ର ଲୋକମାନଙ୍କୁ ଦୀର୍ଘ ବର୍ଷ ହେଲା ଏକାଠି ରଖି ପାରିଛି। ଏହି ସମ୍ପତ୍ତି ର ଉଚିତ୍ ରକ୍ଷଣା ବେକ୍ଷଣ ସହ ଏହାକୁ ଦୀର୍ଘସ୍ଥାୟୀ କରାଇବା ଆମମାନଙ୍କ କର୍ତ୍ତବ୍ୟ ଭାବି ବର୍ଷ ବର୍ଷ ର ପରମ୍ପରାକୁ ଯଥାବିଧି ପୂର୍ବପରି ପାଳନ କରି ଆସୁଛୁ। ଗାଁ ର ଛାତ୍ର ଓ ଯୁବକ ମାନେ ମଧ୍ୟ ଏଥିରେ ସାମିଲ ହୋଇ ବୟସ୍କ ମାନଙ୍କୁ ସହଯୋଗ କରି ପରମ୍ପରାକୁ ବଜାୟ ରଖି ଆସୁଛନ୍ତି। ଆଗାମୀ ବର୍ଷ ମାନଙ୍କରେ ସରସ୍ଵତୀଙ୍କର ପୂଜା ଅକ୍ଷୁର୍ଣ୍ଣ ରହୁ ଏହାହିଁ ମା’ ଙ୍କ ନିକଟରେ ପ୍ରାର୍ଥନା।

ପାର୍ଥ ସାରଥୀ ବାରିକ, ଯୁବ ସମାଜସେବୀ
ସାହାପୁର

ଐତ୍ୟିହ୍ୟ ସମ୍ପନ୍ନ ତଥା ପରମ୍ପରାକୁ ଜାବୁଡି ଧରିଥିବା ଆମ ଗାଁ ସାହାପୁରର ଭାଇଚାରା ସମ୍ପୂର୍ଣ୍ଣ ନିଆରା। ଏହାର ଅନୁଷ୍ଠାନ ଅନନ୍ୟ ଓ କାର୍ଯ୍ୟଧାରା ଅନ୍ୟ ଅନୁଷ୍ଠାନ ଠାରୁ ଯଥେଷ୍ଟ ଭିନ୍ନ। ସେ କାଳର ପ୍ରସାଦ ରେ ଲାଗି ହେଉଥିବା “ଜାଉ” ଆଜିର ଦିନରେ “ପାଏସ୍” ରେ ପରିଣତ ହୋଇଯାଇଛି ସତ, କିନ୍ତୁ ଗାଁରେ ଥିବା ପରିବାର ପରିବାର ମଧ୍ୟରେ ଭାଇଚାରାର କୌଣସି ବ୍ୟତିକ୍ରମ ଦେଖିବାକୁ ମିଳିନାହିଁ । ଏହି ଅନୁଷ୍ଠାନଟି ଗାଁ ର ସମସ୍ତଙ୍କୁ ଏକାଠି କରାଇବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି।

Leave a Reply

Your email address will not be published. Required fields are marked *