ବାଣୀକ୍ଷେତ୍ର ଝଙ୍କଡ଼ ସାରଳା ପୀଠରେ ବାଣୀପର୍ବର ଉଦଘାଟନୀ ଉତ୍ସବ

ଜଗତସିଂହପୁର ରାଜ୍ୟ
Spread the love

ଝଙ୍କଡ଼ : ଆଦିକବି ଶୁଦ୍ରମୁନି ସାରଳାଦାସଙ୍କ ଓଡ଼ିଆ ଭାଷାସାହିତ୍ୟ ପ୍ରତି ଅନ୍ୟନ ଅବଦାନର ଛଅଶହବର୍ଷ ପୂର୍ତ୍ତି ଅବସରରେ ଜାତୀୟ ସାହିତ୍ୟ ମହୋତ୍ସବ, ବାଣୀପର୍ବ 2026-27 ର ଉଦଘାଟନ ଉତ୍ସବ ଗତ ଶନିବାର ଦିନ ଅପରାହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପ୍ରଫେସର ଡଃ ବୈଷ୍ଣବ ଚରଣ ସାମଲ ଯୋଗଦେଇ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତ ରେ ଭିନ୍ନଭିନ୍ନ ସ୍ୱତନ୍ତ୍ର ଚରିତ୍ର ର ଅବତାରଣା କରାଯାଇଥିବା ବେଳେ ଆମ ଭାଷାସାହିତ୍ୟ କୁ ବିଶ୍ୱଦରବାରରେ ପରିଚିତ, ପ୍ରତିଷ୍ଠିତ ଓ ବିଶ୍ୱବନ୍ଦିତ କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ ।

ମୁଖ୍ୟବକ୍ତା ଆମ ଓଡିଶା ଓ ସମ୍ବାଦ ର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ, କହିଲେ ଯେ, ଓଡ଼ିଆ ଅସ୍ମିତା କଥା ଯଦି କୁହାଯାଏ ତେବେ ଆମର ମହାପ୍ରଭୁ ଜଗନ୍ନାଥ ଙ୍କ ସହିତ ସାରଳାଦାସ, ଉପେନ୍ଦ୍ରଭଞ୍ଜ ଓ ଜଗନ୍ନାଥଦାସ ଙ୍କୁ ନେଇ ଆମର ଅସ୍ମିତା ଭାବରେ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି । ଦୀର୍ଘ ବର୍ଷବ୍ୟାପି ଏହି ବାଣୀପର୍ବ ର ଜୟଯାତ୍ରା ର ସଫଳତା କାମନା କରି ଆୟୋଜକ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ବିଧାୟକ ସାରଦା ପ୍ରସାଦ ଜେନା, ଜିଲ୍ଲାପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଜେଏନୟୁ ସାରଳା ଚେୟାର ର ପ୍ରଫେସର ଉଦୟ ନାଥ ସାହୁ, ଆରବ ଏମିରେଟସ ସଙ୍ଗଠନ ର ସଭାପତି ବିଦ୍ୟାଭୂଷଣ ମହାନ୍ତି, ତିର୍ତ୍ତୋଲ ବ୍ଲକ ଅଧ୍ୟକ୍ଷ ମନୋଜ କୁମାର ବେହେରା, ସାହିତ୍ୟିକ ଡଃ. ଅଜୟ ମିଶ୍ର, ସାରଳାମନ୍ଦିରର ମୁଖ୍ୟପୂଜକ ରଞ୍ଜନ କୁମାର ପଣ୍ଡା ପ୍ରମ୍ମୁଖ ଯୋଗଦେଇ ସାରଳାଦାସ ଙ୍କ କୃତି ଓ ସ୍ମୃତି ଉପରେ ଆଲୋଚନା କରି, ଏହି କାର୍ଯ୍ୟକ୍ରମ କୁ ସୁଦୂରପ୍ରସାର କରିବାପାଇଁ ଆହ୍ୱାନ ଦେଇଥିଲେ ।

ବାଣୀପର୍ବର ସଭାପତି ଗୌରାଙ୍ଗ ଚରଣ ହୋତା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ସଭାରେ ଆବାହକ ଦେବେନ୍ଦ୍ର ନାଥ ରାଉତ ନିମନ୍ତ୍ରିତ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଦୂରଦର୍ଶନର ଉପସ୍ଥାପକ ଅଭିନନ୍ଦନ ଦାସ, ପଣ୍ଡିତ ସିଦ୍ଧେଶ୍ୱର ପଣ୍ଡା, ଓ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ମଞ୍ଚ ସଂଚାଳନ କରିଥିଲେ । ପରିଶେଷରେ ଅନୁଷ୍ଠାନର ସଂଯୋଜିକା ସ୍ନେହମୟୀ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ପାଇକ ଆଖଡ଼ା ଏବଂ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା ।

ବାଣୀପର୍ବ ତରଫରୁ ନିମନ୍ତ୍ରିତ ଅତିଥି ଓ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ମାନିତ ଓ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ, ଅତିଥିମାନଙ୍କ ଦ୍ୱାରା ଓ ପ୍ରଫେସର ଉଦୟନାଥ ସାହୁ ଓ ଡଃ ରମେଶ ଚନ୍ଦ୍ର ମଲ୍ଲିକ ଙ୍କ ସମ୍ପାଦନା ରେ ପ୍ରକାଶିତ ଗ୍ରନ୍ଥ ” ଶତାବ୍ଦୀ ର ସାରଳା ସମୀକ୍ଷା ” ର ଶୁଭ ଉନ୍ମୋଚନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *