ଢାକା: ପ୍ରାୟ ୨୮ ମାସ ପରେ ବାଂଲାଦେଶରେ ପୁଣି ବ୍ୟାପକ ଜନ ଅସନ୍ତୋଷ ଦେଖାଦେଇଛି। ତେବେ ଏଥର ସତ୍ତା ପରିବର୍ତ୍ତନ ପାଇଁ ନୁହେଁ ବରଂ ଦରମା ବୃଦ୍ଧି ଦାବିରେ ପୋଷାକ ଶିଳ୍ପର ଲକ୍ଷ ଲକ୍ଷ କର୍ମଚାରୀ ରାସ୍ତାକୁ ଓହ୍ଲାଇଛନ୍ତି। ଅକ୍ଟୋବର ୩୧ରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଢାକା, ମିରପୁର, ଆଶୁଲିଆ, ସାଭାର ଓ ଗାଜିପୁର ଭଳି ଶିଳ୍ପାଞ୍ଚଳକୁ ବ୍ୟାପିଛି। ଆନ୍ଦୋଳନ ଯୋଗୁ ୫୨୯ଟି ପୋଷାକ କାରଖାନାରେ ଉତ୍ପାଦନ ବ୍ୟାହତ ହୋଇଛି।
ଶ୍ରମିକଙ୍କ ଆନ୍ଦୋଳନ ଆଜି ଅନେକ ସ୍ଥାନରେ ଉଗ୍ର ରୂପ ନେଇଛି। ପୁଲିସ ସହ ସେମାନଙ୍କର ସଂଘର୍ଷ ହୋଇଛି। ଆନ୍ଦୋଳନକାରୀମାନେ ପୁଲିସ ଗାଡ଼ିରେ ନିଆଁ ଲଗାଇବା ସହ ଅନେକ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ଏହାଦ୍ୱାରା ଦେଶର ପ୍ରମୁଖ ଶିଳ୍ପାଞ୍ଚଳରେ ଉତ୍ତେଜନା ବଢ଼ିଛି। କର୍ମଚାରୀମାନେ ମାସିକ ବେତନ ୧୨,୫୦୦ ବାଂଲାଦେଶୀ ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି ଦାବିରେ ଆନ୍ଦୋଳନ ଚଳାଇଛନ୍ତି। ମୁଦ୍ରାସ୍ଫୀତି, ଘରଭଡ଼ା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦର ବୃଦ୍ଧି ଯୋଗୁଁ ପରିବାର ଚଳାଇବା କଷ୍ଟକର ହୋଇପଡ଼ିଛି ବୋଲି ଶ୍ରମିକମାନେ ମତ ଦେଇଛନ୍ତି।
ଗାଜିପୁରରେ ଶ୍ରମିକମାନେ ଢାକା-ଟାଙ୍ଗାଇଲ ରାଜପଥ ଅବରୋଧ କରିଛନ୍ତି।
ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହବୁହା ଗ୍ୟାସ୍ ପ୍ରୟୋଗ ସହ ଲାଠିଚାଳନା କରିଛି। ଅନେକ ସ୍ଥାନରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଛି। ଏଭଳି ସ୍ଥିତିରେ ବାଂଲାଦେଶ ସରକାର ରବିବାର ଏକ ୬ ଜଣିଆ ମଜୁରି ବୋର୍ଡ ଗଠନ କରିଛନ୍ତି। ଏହି ବୋର୍ଡ ପୋଷାକ ଶିଳ୍ପର ସର୍ବନିମ୍ନ ଦରମା ସମୀକ୍ଷା କରିବ। ଅନ୍ୟପକ୍ଷରେ ଏହି ଆନ୍ଦୋଳନକୁ ନେଇ ସରକାର ରାଜନୈତିକ ଷଡ଼୍ଯନ୍ତ୍ରର ଅଭିଯୋଗ ଆଣିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସହ ଜଡ଼ିତ ବ୍ୟକ୍ତିମାନେ ଶ୍ରମିକ ଆନ୍ଦୋଳନକୁ ଉସ୍କାଇ ଅରାଜକତା ସୃଷ୍ଟି କରୁଛନ୍ତି ବୋଲି ସରକାରୀ ପକ୍ଷରୁ ଅଭିଯୋଗ ହୋଇଛି।
