ଓଡ଼ିଶାରେ ମିଶିବ ଆନ୍ଧ୍ରର ୫ ଗାଁ !

ରାଜ୍ୟ
Spread the love

ମାଲକାନଗିରି: ନିଜ ରାଜ୍ୟର ଗାଁକୁ ଅବହେଳା। ଓଡ଼ିଶା ଗାଁ ପ୍ରତି କିନ୍ତୁ ଦରଦ। ଆନ୍ଧ୍ର ସରକାରଙ୍କ ଏପରି ଦୋମୁହାଁ ନୀତିକୁ ବିରୋଧ କରିଛନ୍ତି ୫ଟି ଗାଁର ଲୋକ। ଓଡ଼ିଶାରେ ମିଶିବାକୁ ଆଗ୍ରହ ପ୍ରକାଶ କରି ମାଲକାନଗିରି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି। ମୌଳିକ ସୁବିଧା ଯୋଗାଇ ଦେବାକୁ ନିବେଦନ ପରେ କିଛି ଅଞ୍ଚଳକୁ ରାସ୍ତା ଓ ବିଦ୍ୟୁତ୍‌ ଯୋଗାଇଛି ଓଡ଼ିଶା। ଯାହା ଆନ୍ଧ୍ର ପ୍ରଶାସନର ମୁଣ୍ଡବ୍ୟଥା ବଢ଼ାଇଛି।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳର ଧୂଳିପୁଟ ପଞ୍ଚାୟତକୁ ଲାଗି ରହିଛି ଆନ୍ଧ୍ରର ୫ରୁ ୬ ଟି ଗାଁ। ଓଡ଼ିଶା ସୀମାନ୍ତରେ ଥିବା ଗାଡ଼ିବନ୍ଧ, ଡନ୍ତୁରାଇ, କାଣ୍ଡଳପଡ଼ୁ, ଶୋଉପଳା ଓ ଗଜେଟ ପରି ଗାଁଗୁଡ଼ିକର ବିକାଶ ପ୍ରତି ଆନ୍ଧ୍ର ଆଖି ବୁଜି ଦେଇଛି। ଏହି ଗାଁଗୁଡ଼ିକୁ ଯାତାୟାତ ପାଇଁ ରାସ୍ତା ନାହିଁ। ପଞ୍ଚାୟତକୁ ଯିବା ପାଇଁ ୨୦ରୁ ଊର୍ଦ୍ଧ୍ବ କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ଘୋଡ଼ା ହିଁ ଯାତାୟାତର ଏକ ମାତ୍ର ମାଧ୍ୟମ। ଧୂଳିପୁଟ ପଞ୍ଚାୟତକୁ ଲାଗିଥିବା ଆନ୍ଧ୍ରର କିଛି ଗାଁକୁ ଯିବା ପାଇଁ ଓଡ଼ିଶା ରାସ୍ତା ନିର୍ମାଣ କରିଛି। ସେହିପରି ଗାଡ଼ିବନ୍ଧ ଓ ଡନ୍ତୁରାଇ ଗାଁକୁ ମାଲକାନଗିରି ପ୍ରଶାସନ ବିଦ୍ୟୁତ୍‌ ଯୋଗାଇଛି। ଓଡ଼ିଶାରୁ ମୌଳିକ ସୁବିଧା ସୁଯୋଗ ମିଳିବା ପରେ ଏହି ଗାଁଗୁଡ଼ିକ ଓଡ଼ିଶାରେ ମିଶିବା ପାଇଁ ଅନୁରୋଧ କରିଛନ୍ତି। ଧୂଳିପୁଟ ସୀମାରେ ଥିବା ଲିମାଟାଙ୍ଗ ଗ୍ରାମକୁ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ଆନ୍ଧ୍ରର ଗାଡ଼ିବନ୍ଧ ବାସିନ୍ଦା ଯନ୍ତ୍ରୀଙ୍କୁ ଘୋଡ଼ା ପିଠିରେ ବସାଇ ନେଇ ନିଜ ଗାଁ ସମସ୍ୟା ସମ୍ପର୍କରେ ଅବଗତ କରିଛନ୍ତି। ଗାଁକୁ ରାସ୍ତା, ପାନୀୟ ଜଳ, ଶିକ୍ଷା, ସ୍ବାସ୍ଥ୍ୟ ସେବା ସୁବିଧା ଓଡ଼ିଶା ସରକାର ଯୋଗାଇ ଦେଲେ ଓଡ଼ିଶାରେ ମିଶିବୁ ବୋଲି ଗ୍ରାମବାସୀ କହିଛନ୍ତି। ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା ଏବଂ ଓଡ଼ିଶା ସରକାରଙ୍କ ଅନୁମତି ମିଳିଲେ ବିକାଶମୂଳକ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଯନ୍ତ୍ରୀ ଫେରି ଆସିଛନ୍ତି।
ଆନ୍ଧ୍ର ସରକାର ଓଡ଼ିଶା ସୀମାନ୍ତକୁ ଲାଗିଥିବା ୫ଟି ଗାଁକୁ କୌଣସି ମୌଳିକ ସୁବିଧା ସୁଯୋଗ ଯୋଗାଇ ନାହାନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ସୁବିଧାରୁ ବଞ୍ଚିତ ହୋଇ ଗ୍ରାମବାସୀ ଭଗବାନଙ୍କ ଭରସାରେ ବଞ୍ଚୁଛନ୍ତି। ଗ୍ରାମବାସୀ ନିଜର ପାରମ୍ପରିକ ଚାଷ ସହିତ ଗଞ୍ଜେଇ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି। ସମସ୍ତ ଗ୍ରାମବାସୀ ତେଲୁଗୁରେ କଥାବାର୍ତ୍ତା ହେଉଥିବା ବେଳେ ଓଡ଼ିଶାରେ ମିଶିଲେ ପିଲାଙ୍କୁ ଓଡ଼ିଆ ପାଠ ପଢ଼ାଇବୁ ବୋଲି କହିଛନ୍ତି। ସୂଚନାଯୋଗ୍ୟ, ଚିତ୍ରକୋଣ୍ଡା ବ୍ଲକ ଧୂଳିପୁଟ ପଞ୍ଚାୟତର ଜୁମଡାଙ୍ଗ ଗ୍ରାମକୁ ଆନ୍ଧ୍ର ସମସ୍ତ ସୁବିଧା ଯୋଗାଇ ନିଜ ଅଧୀନକୁ ନେବାକୁ ଯୋଜନା କରୁଥିଲା। ‘ସମ୍ବାଦ’ ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇ ଏହି ଗ୍ରାମକୁ ସମସ୍ତ ମୌଳିକ ସୁବିଧା ପହଞ୍ଚାଇଥିଲା। ଫଳରେ ଆନ୍ଧ୍ର ଏହି ଗାଁରୁ ମୁହଁ ଫେରାଇ ନେଇଥିଲା।

Leave a Reply

Your email address will not be published. Required fields are marked *