ପୁରୀ, ୨୧/୧୧: ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୧୦ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଡକାୟତି ଯୋଜନା କରୁଥିବା ବେଳେ ପୁରୀ ସହରାଞ୍ଚଳ ପୁଲିସ ସେମାନଙ୍କୁ ଧରିଛି। ସେମାନଙ୍କ ନିକଟରୁ ତିନିଟି ମାଉଜର, ତିନିଟି ମାଗାଜିନ, ଚାରିଟି ଅଫୁଟା ଗୁଳି, ତିନିଟି କଟୁରି, ଲୁହାଛଡ଼, ମୋବାଇଲ ଫୋନ୍, ୮ଶହ ଟଙ୍କା ଓ ଗୋଟିଏ ବାଈକ୍ ଜବତ କରାଯାଇଛି। ଟାଉନ ଥାନା ଓ ତାଳବଣିଆ ଥାନାରେ ଏ ନେଇ ଦୁଇଟି ମାମଲା ରୁଜୁ ସହ ଗିରଫ ଡକାୟତଙ୍କୁ କୋର୍ଟଚାଲାଣ କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଏସ୍ପି ପ୍ରତୀକ ସିଂ କହିଛନ୍ତି, ଏହି ଡକାୟତମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଛି। ଗତକାଲି ବିଳମ୍ବିତ ରାତିରେ ଲୋକନାଥରୋଡ୍ କୁଷୁନି ଖୁଣ୍ଟିଆ ଯାଗା ନିକଟରେ କେତେକ ଦୁର୍ଦ୍ଦାନ୍ତ ଅପରାଧୀ ବସି ଡକାୟତି ଯୋଜନା କରିବା ସମୟରେ ଟାଉନ ଥାନା ପୁଲିସ ଚଢ଼ଉ କରି ଚଳୁଚ୍ଛସାହିର ଲୋକନାଥ ମିଶ୍ର(୩୪), ବାସେଳିସାହି ଥାନା ଅନ୍ତର୍ଗତ ମିଶ୍ରସାହି ବଢ଼େଇ ଗଳି ପଛପଟେ ରହୁଥିବା ସନ୍ତୋଷ କୁମାର ମିଶ୍ର(୪୦), ତାଳବଣିଆ ଥାନା ଅଞ୍ଚଳରେ ରହୁଥିବା ସଦର ଥାନା ଅନ୍ତର୍ଗତ ଛଇତନା ଦକ୍ଷିଣସାହିର କାଳିଆ ପ୍ରଧାନ (୪୦), ବଳିଆପଣ୍ଡା ଥାନା ଅଞ୍ଚଳରେ ରହୁଥିବା ସଦର ଥାନା ଅନ୍ତର୍ଗତ ଖଣ୍ଡିଆବନ୍ଧର ଦୁଃଶାସନ ସାହୁ (୪୬) ଓ ବଳିଆପଣ୍ଡା ବ୍ଲୁ ଲିଲି ନିକଟରେ ରହୁଥିବା ଚନ୍ଦନପୁର ଥାନା ଅନ୍ତର୍ଗତ ଗୋପୀନାଥପୁରର ମାନସ କୁମାର ଭୋଇ (୩୪)କୁ ଧରିଥିଲା। ସେମାନଙ୍କ ଠାରୁ ଦୁଇଟି ମାଉଜର, ତିନିଟି ଗୁଳି, କଟୁରି, ଲୁହାଛଡ଼ ଓ ଅନ୍ୟାନ୍ୟ ଜିନିଷପତ୍ର ଜବତ କରାଯାଇଥିଲା। ଲୋକନାଥ ନାମରେ ୬ଟି ମାମଲା, ସନ୍ତୋଷ ନାମରେ ୭ଟି, କାଳିଆ ନାମରେ ୧୩ଟି, ଦୁଃଶାସନ ନାମରେ ୩ଟି ଓ ମାନସ ନାମରେ ୬ଟି ମାମଲା ରହିଛି।
