ତାତିରେ ସିଝୁଛି ବାରଙ୍ଗ: ପ୍ରଶାସନ ନାକ ତଳେ ଜଳୁଛି ବେଆଇନ ଇଟାଭାଟି, କେବେ ବୁଲିବ ବୁଲଡୋଜର?

କଟକ ରାଜ୍ୟ
Spread the love

କଟକ, ୧୯/୩ (ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବା ବେଳେ ସୂର୍ଯ୍ୟଙ୍କ ରୌଦ୍ରତାପ ଧୀରେ ଧୀରେ ବୃଦ୍ଧି ପାଇ ୩୯ ଡିଗ୍ରୀରେ ପହଞ୍ଚିଲାଣି। ସକାଳ ୧୧ଟା ବାଜିଲେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଏଭଳି ସ୍ଥିତିରେ ବାରଙ୍ଗ ଅଞ୍ଚଳରେ ଜନବସତି ପାର୍ଶ୍ୱରେ ଗଢ଼ି ଉଠିଥିବା ମାଳ ମାଳ ବେଆଇନ ଇଟାଭାଟି ସାଧାରଣ ଲୋକଙ୍କ ଜୀବନକୁ ଅତିଷ୍ଠ କରିଦେଲାଣି। ପ୍ରଶାସନିକ କଟକଣାକୁ ବେଖାତିର କରି ଚାଲିଥିବା ଏହି ଇଟାଭାଟିରୁ ନିର୍ଗତ ଧୂଆଁ ଓ ତାତି ଯୋଗୁଁ ସ୍ଥାନୀୟ ବାସିନ୍ଦାଙ୍କ ସମେତ ପ୍ରାଣୀଜଗତ ମଧ୍ୟ ଗୁରୁତର ଭାବେ ପ୍ରଭାବିତ ହେଉଛନ୍ତି।

ଆଶ୍ଚର୍ଯ୍ୟର ବିଷୟ ହେଉଛି, ବାରଙ୍ଗ ତହସିଲ କାର୍ଯ୍ୟାଳୟଠାରୁ ମାତ୍ର କେଇ ହାତ ଦୂରତାରେ ଏହି ବେଆଇନ ଚିମିନି ଓ ଉପର ଇଟାଭାଟିଗୁଡ଼ିକ ମୁଣ୍ଡ ଟେକିଛି। ସୂଚନା ଅନୁଯାୟୀ, ବେଲଗଛିଆ ପଞ୍ଚାୟତରେ ୬ଟି ଚିମିନି ଇଟାଭାଟି, କୁହ୍ନେଇପଡ଼ା ପଞ୍ଚାୟତରେ ୩ଟି, ରାମଦାସପୁର ପଞ୍ଚାୟତର ଅରିଲୋରେ ଗୋଟିଏ ଏବଂ ନରାଜ ତଳଗଡ଼ରେ ଗୋଟିଏ ଉପର ଇଟାଭାଟି ଜଳୁଛି। ଏହା ସହିତ କଟକ ସଦର ତହସିଲ ଅଞ୍ଚଳର ଦୁଇଟି ଚିମିନି ଇଟାଭାଟି ମଧ୍ୟ ବେଲଗଛିଆ ମୌଜାକୁ ଲାଗି ବର୍ଷ ବର୍ଷ ଧରି ବେଆଇନ ଭାବେ ଚାଲିଛି। ଏହି ଭାଟିଗୁଡ଼ିକରୁ ନିର୍ଗତ ବିଷାକ୍ତ ଧୂଆଁ ଯୋଗୁଁ ଅଞ୍ଚଳବାସୀ ବିଭିନ୍ନ ଦୁରାରୋଗ୍ୟ ବ୍ୟାଧିର ଶିକାର ହେଉଥିବା ବେଳେ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ଗୁରୁତର ପ୍ରଭାବ ପଡ଼ୁଛି।

ଅଭିଯୋଗ ହେଉଛି ଯେ, ଦୀର୍ଘ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଏଠାରେ ବେଆଇନ ଭାବେ ଇଟା ପୋଡ଼ା କାର୍ଯ୍ୟ ଚାଲିଥିଲେ ମଧ୍ୟ ପ୍ରଶାସନ ନୀରବଦ୍ରଷ୍ଟା ସାଜିଛି। କୌଣସି ବୈଧ ଅନୁମତି ନଥାଇ କେବଳ ମୁନାଫା କମାଇବା ପାଇଁ ରାତାରାତି ଏହି କାରବାର ଚାଲିଛି। ଏପରିକି ଏହି ଇଟାଭାଟିଗୁଡ଼ିକରେ ଶିଶୁ ଶ୍ରମିକମାନଙ୍କୁ ମଧ୍ୟ ନିୟୋଜିତ କରାଯାଉଥିବା ନେଇ ସାଂଘାତିକ ଅଭିଯୋଗ ଆସିଛି। ସ୍ଥାନୀୟ କିଛି ବାହୁବଳୀ ନେତା ଏବଂ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଛତ୍ରଛାୟା ତଳେ ରହି ଇଟାଭାଟି ମାଫିଆମାନେ ଆଇନକୁ ସିଧାସଳଖ ଚ୍ୟାଲେଞ୍ଜ କରୁଛନ୍ତି।

ରାଜ୍ୟର ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଉପରେ ପ୍ରଶାସନ ପକ୍ଷରୁ ବୁଲଡୋଜର ଚଢ଼ାଯାଇ ଉଚ୍ଛେଦ କରାଯାଉଥିବା ବେଳେ ବାରଙ୍ଗ ଅଞ୍ଚଳରେ ଏହା କାହିଁକି ସମ୍ଭବ ହୋଇପାରୁ ନାହିଁ, ତାହାକୁ ନେଇ ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରଶାସନ କେବେ ଏହି ବେଆଇନ କାରବାର ଉପରେ ଅଙ୍କୁଶ ଲଗାଉଛି ଏବଂ କେବେ ଏହି ଭାଟିଗୁଡ଼ିକ ଉପରେ ବୁଲଡୋଜର ବୁଲୁଛି, ତାହା ଦେଖିବାକୁ ବାକି ରହିଲା। ତୁରନ୍ତ ଏଦିଗରେ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଅଞ୍ଚଳବାସୀ ଆନ୍ଦୋଳନ ପନ୍ଥା ଗ୍ରହଣ କରିବାକୁ ଚେତାବନୀ ଦେଇଛନ୍ତି।

Leave a Reply

Your email address will not be published. Required fields are marked *