ଜେନ୍‌-ଜି ଭୋଟର ହୋଇପାରନ୍ତି ପରବର୍ତ୍ତୀ ଲୋକସଭା ନିର୍ବାଚନର ନିର୍ଣ୍ଣାୟକ ଶକ୍ତି

ରାଜ୍ୟ
Spread the love

ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଲୋକସଭା ନିର୍ବାଚନରେ ଜେନ୍‌-ଜି (୧୯୯୭ ପରେ ଜନ୍ମିତ ପିଢ଼ି) ଭୋଟରଙ୍କ ଭୂମିକା ସବୁଠୁ ଗୁରୁତ୍ବପୂର୍ଣ୍ଣ ହୋଇପାରେ। ବିଶେଷକରି ଉତ୍ତରପ୍ରଦେଶ, ବିହାର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି ହିନ୍ଦୀଭାଷୀ ରାଜ୍ୟଗୁଡ଼ିକରେ ଏହି ଯୁବ ଭୋଟରଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବାରୁ ରାଜନୈତିକ ଦଳଗୁଡ଼ିକ ସେମାନଙ୍କୁ ଆକର୍ଷିତ କରିବା ପାଇଁ ନୂଆ ରଣନୈତିକ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ଜାତିସଂଘର ବିଶ୍ବ ଜନସଂଖ୍ୟା ସମ୍ଭାବନା ୨୦୨୪, ଭାରତ ସରକାରଙ୍କ ଭବିଷ୍ୟତ ଜନସଂଖ୍ୟା ଆକଳନ ଏବଂ ଦକ୍ଷିଣ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ରାଜନୈତିକ ଭବିଷ୍ୟତ ବିଶ୍ଳେଷଣ ଅନୁଯାୟୀ, ଦେଶର ଜନସଂଖ୍ୟାରେ ଉତ୍ତର ଭାରତ ଏବେ ବି ଯୁବବର୍ଗର କେନ୍ଦ୍ର ହୋଇଥିବାବେଳେ ଦକ୍ଷିଣ ଭାରତରେ ବୃଦ୍ଧ ଜନସଂଖ୍ୟାର ହାର ବଢ଼ୁଛି। ଏହି ଜନସଂଖ୍ୟାଗତ ପରିବର୍ତ୍ତନ ଆଗାମୀ ନିର୍ବାଚନର ରାଜନୀତିକୁ ପ୍ରଭାବିତ କରିବ। ୨୦୨୯ ସୁଦ୍ଧା ଜେନ୍‌-ଜି ଦେଶର ସବୁଠୁ ବଡ଼ ପ୍ରାପ୍ତବୟସ୍କ ପିଢ଼ିରେ ପରିଣତ ହେବାର ସମ୍ଭାବନା ଥିବାରୁ କୌଣସି ଦଳ ସେମାନଙ୍କୁ ଅବହେଳା କରିପାରିବ ନାହିଁ।
୨୦୨୯ ସୁଦ୍ଧା ବିହାରର ୩୬.୭ ପ୍ରତିଶତ ଏବଂ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡର ୩୩.୯ ପ୍ରତିଶତ ଭୋଟର ଯୁବବର୍ଗର ହେବେ। ସେମାନେ ଦେଶର ୧୩୪ ଲୋକସଭା ଆସନ ପାଇଁ ନିର୍ଣ୍ଣାୟକ ହେବେ। ବିହାର, ଉତ୍ତରପ୍ରଦେଶ ଏବଂ ଝାଡ଼ଖଣ୍ଡ ବ୍ୟତୀତ ଆଉ ସାତଟି ରାଜ୍ୟରେ ଅତି କମ୍‌ରେ ୩୦% ଯୋଗ୍ୟ ଯୁବଭୋଟର ଅଛନ୍ତି: ରାଜସ୍ଥାନ (୩୨.୩%), ମଧ୍ୟପ୍ରଦେଶ (୩୧.୪%), ଜମ୍ମୁ-କାଶ୍ମୀର (୩୧.୨%), ଛତିଶଗଡ଼ (୩୦.୭%), ଆସାମ (୩୦.୨%), ଉତ୍ତର-ପୂର୍ବ (୩୦.୨%) ଓ ଉତ୍ତରାଖଣ୍ଡ (୩୦.୦%)। ଏହି ୧୦ଟି ରାଜ୍ୟ ଓ ଅଞ୍ଚଳ ମିଳିତ ଭାବେ ୨୩୪ ଜଣ ସାଂସଦଙ୍କୁ ଲୋକସଭାକୁ ପଠାନ୍ତି, ଯାହା ଗୃହର ୫୪୩ଟି ନିର୍ବାଚିତ ଆସନର ଦୁଇ ପଞ୍ଚମାଂଶରୁ ଅଧିକ।
ସମାନ ବିଶ୍ଳେଷଣ ଉତ୍ତର ଓ ଦକ୍ଷିଣ ଭାରତ ମଧ୍ୟରେ ଏକ ବ୍ୟାପକ ଜନସଂଖ୍ୟା ବିଭାଜନକୁ ଆଲୋକିତ କରେ। ଜେନ୍ ଜି ଭୋଟରଙ୍କ ସଂଖ୍ୟା କେରଳରେ ଦେଶର ସର୍ବନିମ୍ନ ୨୨.୨%, ତାମିଲନାଡୁରେ ୨୨.୬%, ଆନ୍ଧ୍ରପ୍ରଦେଶରେ ୨୪.୩% ଓ ହିମାଚଳ ପ୍ରଦେଶରେ ୨୪.୭% ରହିଛି। ଏହି ଚାରିଟି ରାଜ୍ୟରେ ସାମୂହିକ ଭାବେ ମାତ୍ର ୮୮ଟି ଲୋକସଭା ଆସନ ରହିଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ଗୁଜରାଟ, ତେଲେଙ୍ଗାନା, ଓଡ଼ିଶା, ପଞ୍ଜାବ, ଦିଲ୍ଲୀ ଓ ହରିୟାଣା- ଏହି ୯ଟି ରାଜ୍ୟରେ ଜେନ୍ ଜି ଯୋଗ୍ୟ ଭୋଟରଙ୍କ ସଂଖ୍ୟା ୨୫ରୁ ୩୦% ମଧ୍ୟରେ ରହିଛି।
ରିପୋର୍ଟ ଅନୁସାରେ, ଏହି ପିଢ଼ି ପାରମ୍ପରିକ ଜାତି କିମ୍ବା ଧର୍ମ ଆଧାରିତ ରାଜନୀତି ଅପେକ୍ଷା ନିଯୁକ୍ତି, ଶିକ୍ଷା, ଡିଜିଟାଲ ସୁବିଧା, ଦକ୍ଷତା ବିକାଶ ଏବଂ ପରିବେଶ ଭଳି ପ୍ରସଙ୍ଗକୁ ଅଧିକ ଗୁରୁତ୍ବ ଦେଉଛନ୍ତି। ସୋସିଆଲ ମିଡିଆରେ ସକ୍ରିୟ ଥିବାରୁ ସେମାନେ ବିଭିନ୍ନ ସାମାଜିକ ଓ ଜନସ୍ୱାର୍ଥ ପ୍ରସଙ୍ଗକୁ ଜାତୀୟ ଆଲୋଚନାକୁ ଆଣିବାରେ ମଧ୍ୟ ପ୍ରଭାବଶାଳୀ ହୋଇଉଠିଛନ୍ତି। ଏହି କାରଣରୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ଯୁବ ଭୋଟରଙ୍କ ପାଇଁ ନିଜ ପ୍ରଚାର କୌଶଳରେ ପରିବର୍ତ୍ତନ ଆଣୁଛନ୍ତି। ଡିଜିଟାଲ ଅଭିଯାନ, ସୋସିଆଲ ମିଡିଆ ସଂପର୍କ, ଛାତ୍ର ଓ ଯୁବବର୍ଗ ସହ ସିଧାସଳଖ ସଂଳାପ ଏବଂ ଯୁବ ସମସ୍ୟାକୁ କେନ୍ଦ୍ର କରି ଘୋଷଣାପତ୍ର ପ୍ରସ୍ତୁତି ଉପରେ ଗୁରୁତ୍ବ ଦିଆଯାଉଛି। ରାଜନୈତିକ ବିଶ୍ଳେଷକଙ୍କ ମତରେ, ଭାରତ ବିଶ୍ୱର ସବୁଠୁ ବଡ଼ ଯୁବ ଗଣତନ୍ତ୍ରମାନଙ୍କ ମଧ୍ୟରୁ ଅନ୍ୟତମ। ତେଣୁ ଜେନ୍‌-ଜିର ଆଶା, ଆକାଂକ୍ଷା ଓ ମତାମତକୁ ବୁଝି ସେହି ଅନୁଯାୟୀ ନୀତି ଓ ପ୍ରଚାର କୌଶଳ ଗଢ଼ିପାରୁଥିବା ଦଳ ଆଗାମୀ ନିର୍ବାଚନରେ ବଡ଼ ରାଜନୈତିକ ଲାଭ ପାଇପାରେ।

Leave a Reply

Your email address will not be published. Required fields are marked *