ମାହାଙ୍ଗା : ଦିନେ ଯେଉଁ ଚାଟ୍ଟଶାଳୀ ପିଲାଙ୍କୁ ଡାକ୍ତର, ଇଞ୍ଜିନିୟର, ବିଧାୟକ , ସାଂସଦ ଗଢ଼ିଥିଲା, ଆଜି ସେ ଚାଟ୍ଟଶାଳୀ ମାଟିରେ ମିଶିବାକୁ ଯାଉଛି, ଆଉ କେତେ ଦିନ ବା ସେ ବର୍ଷା ଦାଉ ସମ୍ଭାଳିଥାଆନ୍ତା । ଆଖପାଖର ସବୁ ପିଲା ପାଠ ପଢ଼ୁଥିଲେ, ଆଜି ସେହି ଚାଟ୍ଟଶାଳୀ ପାଲଟିଛି ଛେଳି ଗୁହାଳ। ଯେଉଁ ଗୁରୁମା ଅବୋଧ ପିଲାମାନଙ୍କୁ ପାଠର ମହତ୍ତ୍ଵ ବୁଝାଇ ମଣିଷ କରିଛନ୍ତି ସେ ନିଜେ ଆଜି ଶହେ ବର୍ଷ ବୟସରେ ପର ଘରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି। ଏହି ଶତାୟୁ ଗୁରୁମା ହେଲେ ମାହାଙ୍ଗା ବ୍ଳକ ଅନ୍ତର୍ଗତ ଜାତିପାରିଲୋ ଗ୍ରାମର ମାଳତୀ ଦାସ। ତେବେ ଏ ଦୁର୍ଦ୍ଦିନ ଭିତରେ ବି ଗୁରୁମାଙ୍କ ‘ବେତ’ ଆଜି ଠାକୁର ଘରେ ପୂଜା ପାଉଛି। ଆଜି ବି ଖଡ଼ିଛୁଆଁ ପାଇଁ ଆଖପାଖ ଅଞ୍ଚଳରୁ କୁନି ପିଲାଙ୍କୁ ଲୋକେ ଧରି ଆସନ୍ତି ମାଳତୀ ଗୁରୁମାଙ୍କ ପାଖକୁ ।
କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ଜାତିପାରିଲୋ ଗ୍ରାମର ସ୍ୱର୍ଗତ ଭିକାରୀ ଦାସ ଓ ତାଙ୍କ ପତ୍ନୀ ମାଳତୀ ଦାସ ୫୦ ବର୍ଷ ପୂର୍ବେ ଏକ ଚାଟଶାଳୀ କରି ସ୍ଥାନୀୟ ଅଞ୍ଚଳର ଶହ ଶହ ଶିଶୁଙ୍କୁ ପାଠ ପଢ଼ାଉଥିଲେ। ସ୍ୱର୍ଗତ ଭିକାରୀ ଦାସ ଥିଲେ ‘ବଡ଼ ସାର୍’ ଓ ମାଳତୀ ଦାସ ବୋଲାଉଥିଲେ ‘ସାନ ସାର୍’ । କେବଳ ଜାତିପାରିଲୋ ଗ୍ରାମ ନୁହେଁ, ଆଖପାଖ ଅନେକ ଗ୍ରାମରୁ ପିଲାମାନେ ଏଠାକୁ ପାଠ ପଢ଼ିବା ପାଇଁ ଆସୁଥିଲେ। ସେ ସମୟରେ ପଢା ବାବଦରେ କିଛି ଧାର୍ଯ୍ୟ ଟଙ୍କା କେହି ଦେଉନଥିଲେ । କିଏ ୨ ଟଙ୍କା, କିଏ ୫ ଟଙ୍କା ଦେଉଥିଲେ ତ ଆଉ କିଏ ଚାଉଳ, ଲୁଗାପଟା କିମ୍ବା ଚଦର ଖଣ୍ଡେ ଦେଉଥିଲେ। ଏକ ସମୟରେ ଏହି ଚାଟଶାଳୀରେ ୫୦ରୁ ଅଧିକ ପିଲା ପାଠ ପଢୁଥିଲେ। ପଣକିଆ, ସାହିତ୍ୟ, ଗୀତା, ଭାଗବତ ସମେତ ବିଭିନ୍ନ ବିଷୟର ଶିକ୍ଷା ଏଠାରେ ଦିଆଯାଉଥିଲା।
ଆଜି ସେହି ପିଲାମାନଙ୍କ ମଧ୍ୟରୁ କେହି ଶିକ୍ଷକ, କେହି ଇଞ୍ଜିନିୟର, ତ ଆଉ କେହି ବଡ଼ ବଡ଼ ସଂସ୍ଥାରେ କାର୍ଯ୍ୟରତ। ହେଲେ ଦୁଃଖର ବିଷୟ, ପରିଣତ ବୟସରେ ମାଳତୀ ଗୁରୁମା ଆଜି ନିଜ ପାଇଁ ଘରଟିଏ ନଥିବାରୁ ପଡ଼ିଶାଙ୍କ ଘରେ ଆଶ୍ରୟ ନେଉଛନ୍ତି। ଗତ କିଛି ବର୍ଷ ତଳେ ଭିକାରୀ ଦାସଙ୍କ ଦେହାନ୍ତ ହୋଇଯାଇଥିଲା । ମାଳତୀ ଦାସ ଏବେ ଅସହାୟ ଅବସ୍ଥାରେ ଜୀବନ କାଟୁଛନ୍ତି। ସ୍ବାମୀଙ୍କ ସହ ଯେଉଁ ଚାଳଛପର ଘରେ ରହୁଥିଲେ, ତାହା ରକ୍ଷଣାବେକ୍ଷଣ ଅଭାବରୁ ଭାଙ୍ଗିଯାଇଛି। ଚାଟଶାଳୀ ଘରେ ଛେଳି ରହୁଛନ୍ତି। ଗୁରୁ ଦିବସ ଅବସରରେ ଅନେକ ସ୍ଥାନରେ ଗୁରୁଙ୍କୁ ସମ୍ମାନ ଜଣାଯାଉଥିବା ବେଳେ ମାଳତୀ ଦାସଙ୍କ ପୂର୍ବତନ ଛାତ୍ର ଛାତ୍ରୀ ଆଜି ମଧ୍ୟ ତାଙ୍କୁ ସମ୍ମାନ କରନ୍ତି ।
କିନ୍ତୁ ଦୁଃଖର ବିଷୟ ଯେ ଶେଷରେ କହି ରଖୁଛୁ ମାଳତୀ ଗୁରୁମା ନିଜର ଘରଟିଏ ଭାଙ୍ଗି ଯିବାରୁ ଆଜିବି ଲୁହ ଲହୁ ଭିତରେ ପର ଘରେ ଆଶ୍ରୟ ନେଇଛନ୍ତି ।
