କଟକ ସଦର: ଚଳିତ ବର୍ଷ ଠାରୁ କଟକର ଝାଞ୍ଜିରିମଙ୍ଗଳା-ବାଦାମବାଡ଼ି ଓ ଶଙ୍କରପୁର ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜାକୁ ନେଇ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ଝାଞ୍ଜିରିମଙ୍ଗଳା ପୂଜା କମିଟି ଏବଂ ଶଙ୍କରପୁର-ବାଦାମବାଡ଼ି ପୂଜା କମିଟି ପକ୍ଷରୁ ମା’ ଦୁର୍ଗାଙ୍କ ପ୍ରତିମା ପୂଜା କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।
ଦୀର୍ଘବର୍ଷ ଧରି ଶଙ୍କରପୁର-ବାଦାମବାଡ଼ିର ସ୍ଥାୟୀ ମଣ୍ଡପରେ ମହାଦେବଙ୍କ ପ୍ରତିମା ପୂଜା ହୋଇଆସୁଥିଲା। ମଣ୍ଡପ ସମସ୍ୟା କାରଣରୁ ଏଠାରେ ଦୁର୍ଗାପୂଜା ଆୟୋଜନ ହୋଇପାରୁନଥିଲା। ତେବେ ଚଳିତ ବର୍ଷ ଏହି ପରମ୍ପରାରେ ପରିବର୍ତ୍ତନ ଆଣି ମା’ ଦୁର୍ଗାଙ୍କ ଆରାଧନା କରିବାକୁ କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ସେହିପରି ଝାଞ୍ଜିରିମଙ୍ଗଳା ଶ୍ରୀଶ୍ରୀ ମଦନମୋହନ ପୂଜା ମଣ୍ଡପରେ ମଧ୍ୟ ଚଳିତ ବର୍ଷ ମା’ ଦୁର୍ଗାଙ୍କ ପୂଜା ଆୟୋଜନକୁ ନେଇ ପ୍ରସ୍ତୁତି ଚାଲିଛି। ଏନେଇ ପୂଜା କମିଟି ପକ୍ଷରୁ ବୈଠକ କରାଯାଇ ଆବଶ୍ୟକ ପ୍ରସ୍ତୁତି ଓ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଛି। ପୂଜାକୁ ଆକର୍ଷଣୀୟ କରିବା ସହ ଭକ୍ତମାନଙ୍କ ପାଇଁ ସୁବିଧାଜନକ ପରିବେଶ ସୃଷ୍ଟି ଉପରେ କମିଟି ଗୁରୁତ୍ୱ ଦେଇଛି।
ଶଙ୍କରପୁର-ବାଦାମବାଡ଼ିର ପୂର୍ବରୁ ଥିବା ଚାନ୍ଦି ମେଢର ପରମ୍ପରାକୁ ଦୃଷ୍ଟିରେ ରଖି ମା’ ଦୁର୍ଗାଙ୍କ ପ୍ରତିମା ନିର୍ମାଣ କରାଯିବ ବୋଲି କମିଟିର କର୍ମକର୍ତ୍ତାମାନେ କହିଛନ୍ତି। ଦୁଇ ପୂଜା କମିଟିର ଏଭଳି ନିଷ୍ପତ୍ତିକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ଚଳିତ ଦୁର୍ଗାପୂଜାରେ ଉଭୟ ମଣ୍ଡପରେ ମା’ଙ୍କ ଆରାଧନା ଅଞ୍ଚଳର ପୂଜା ମାହୋଲକୁ ଆହୁରି ଜମାଇବ ବୋଲି ଆଶା କରାଯାଉଛି।
