ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନ ଶିକ୍ଷକ

ରାଜ୍ୟ
Spread the love

ଝଙ୍କଡ଼ :  ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କଟରା ପଞ୍ଚାୟତ ଅଧୀନ ଆଉଟିକିରି ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସ୍ୱାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଘଟଣାରୁ ପ୍ରକାଶ ଯେ ଶ୍ରୀ ସ୍ବାଇଁଙ୍କ ବାସଗୃହ ଖାତା ନମ୍ବର ୧୫୪/୬ ପ୍ଲଟରେ ୧୧କେଭି ବିଦ୍ୟୁତ ତାର ଅନାବଶ୍ୟକ ଭାବେ ଟଣା ହୋଇ ଦୀର୍ଘ ଦିନ ହେଲା ରହିଥିଲା। ନୂତନ ଭାବରେ ଶିକ୍ଷକଙ୍କ ଘର ସାମନାରେ ଥିବା ରାସ୍ତା କଡ଼ରେ ବିଦ୍ୟୁତ ଖୁଣ୍ଟ ପୋତା ଯାଇ ୧୧କେଭି ତାର ଟଣା ଯିବା ପରେ ପୁରୁଣା ଖୁଣ୍ଟ ଓ ତାର ବିଲରୁ ଉଠାଯାଇଥିଲା। ମାତ୍ର ଉଦ୍ଦେଶ୍ୟମୂଳକ ଭାବେ ଶ୍ରୀ ସ୍ବାଇଁଙ୍କ ବାସଗୃହକୁ ଲାଗି ବାଡ଼ିରେ ଥିବା ଉକ୍ତ ପୁରୁଣା ଖୁଣ୍ଟ ଓ ତାରକୁ ଉଠା ନ ଯାଇ ଛାଡ଼ି ଦିଆଯାଇଥିଲା। ଫଳରେ ଏହି ତାରରେ ୧୧ କେଭି ବିଦ୍ୟୁତ୍ ଚାର୍ଜ ରହୁ ଥିବାରୁ ଶିକ୍ଷକଙ୍କ ପରିବାର ପ୍ରତି ବିପଦ ଲାଗି ରହିଥିଲା। ଏହି ଖୁଣ୍ଟ ଓ ତାରକୁ ଉଠାଇବା ପାଇଁ ପ୍ରଥମେ ଶ୍ରୀ ସ୍ବାଇଁ ୧୯୧୨କୁ ଫୋନ୍ କରି ଅବଗତ କରାଇଥିଲେ। କିନ୍ତୁ କିଛି ସୁଫଳ ମିଳି ନଥିଲା।

ଏହାପରେ ସେ ତିର୍ତ୍ତୋଲ ବିଦ୍ୟୁତ ବିଭାଗର ଜୁନିଅର ଇଞ୍ଜିନିୟର, ଏସଡିଓ, ଏକ୍ଜେକ୍ୟୁଟିଭ ଇଞ୍ଜିନିୟର, ଏପରିକି ଜିଲ୍ଲାପାଳ ମହୋଦୟଙ୍କ ପାଖରେ ବାରମ୍ବାର ଗୁହାରି କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଦୁଇ ବର୍ଷ କାଳ ଏ ଅଫିସରୁ ସେ ଅଫିସକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଗତ ସପ୍ତାହରେ ଭୁବନେଶ୍ୱର ଠାରେ ଆୟୋଜିତ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ଶିବିରରେ ଏ‌ହି ସମ୍ପର୍କରେ ଅଭିଯୋଗ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶିବିରରେ ଅଭିଯୋଗ ହେବାର ୨୪ ଘଣ୍ଟା ପୁରଣ ନ ହେଉଣୁ ବିଦ୍ୟୁତ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀ ଓ କର୍ମଚାରୀ ପହଞ୍ଚି ଶିକ୍ଷକଙ୍କ ବାଡ଼ିରେ ଥିବା ଉକ୍ତ ଅନାବଶ୍ୟକ ବିଦ୍ୟୁତ ଖୁଣ୍ଟ ଓ ତାରକୁ ଉଠାଇ ନେଇଥିଲେ। ଏହି ତ୍ୱରିତ ପଦକ୍ଷେପ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝି ଓ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ ଶ୍ରୀଯୁକ୍ତ କନକବର୍ଦ୍ଧନ ସିଂହଦେଓଙ୍କୁ ଶିକ୍ଷକ ବିଜୟ କୁମାର ସ୍ବାଇଁ ଗଭୀର କୃତଜ୍ଞତା ଓ ଧନ୍ୟବାଦ ଜଣାଇଛନ୍ତି। ଅଭିଯୋଗ ପରେ ଏପରି ତତକ୍ଷଣାତ୍ ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳ ବାସିନ୍ଦାଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ପ୍ରତି ଲୋକପ୍ରିୟତା ବୃଦ୍ଧି ପାଇଛି।

Leave a Reply

Your email address will not be published. Required fields are marked *