କେନ୍ଦୁଝର/ ମୟୂରଭଞ୍ଜ: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଚିନ୍ତା ବଢ଼ାଇଛି। ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ, ଆସନ୍ତା ତିନି ଯାଏଁ ପ୍ରବଳ ବର୍ଷା ହେବାକୁ ଥିବାରୁ ସତର୍କ ସୂଚନା ଜାରି କରାଯାଇଛି। ଏମିତିରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି କ୍ରମରେ ସୋମବାର ପାଇଁ କେନ୍ଦୁଝର ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
ମିଳିଥିବା ସୂଚନା ଅନୁସାରେ, ସୋମବାର ପାଇଁ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ମିଳିବା ପରେ, ଜିଲ୍ଲାରେ ସମସ୍ତ ସ୍କୁଲ, କଲେଜ, ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନଷ୍ପତ୍ତି ହୋଇଛି। ସେହିଭଳି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଯୋଡ଼ା ବ୍ଲକରେ ହେବାକୁ ଥିବା ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ସାପ୍ତାହିକ ଅଭିଯୋଗ ଶୁଣାଣିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।
ଏହାସହ ନାଗରିକମାନଙ୍କୁ ଅନାବଶ୍ୟକ ଯାତ୍ରା ନକରିବାକୁ ଏବଂ ପାଣିପାଗ ସମ୍ବନ୍ଧୀୟ ବିପଦ ପ୍ରତି ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ, ସରକାରୀ ନିର୍ଦ୍ଦେଶାବଳୀ ପାଳନ କରିବାକୁ ଏବଂ ଏହି ଖରାପ ପାଣିପାଗ ସମୟରେ କର୍ତ୍ତୃପକ୍ଷଙ୍କୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଲୋକମାନଙ୍କୁ ପାଣିପାଗ ବିଭାଗ ଏବଂ ଜିଲ୍ଲା ପ୍ରଶାସନର ସରକାରୀ ସୂଚନା ମାଧ୍ୟମରେ ଅପଡେଟ୍ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।
ସେହିଭଳି ମୟୂରଭଞ୍ଜ ପାଇଁ ମଧ୍ୟ ପ୍ରବଳ ବର୍ଷା ଅନୁମାନ ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ପାଇଁ ସ୍କୁଲ- କଲେଜ ଏବଂ ଅଙ୍ଗନବାଡ଼ି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।
