ଜୟପୁର: ଅଧିକ ଓ କମ୍ ସମୟରେ ଅମଳ ଆଶାରେ ଚାଷୀଙ୍କ ମଧ୍ୟରେ ହାଇବ୍ରିଡ୍ ବିହନର ଚାହିଦା ବଢ଼ିଛି। ଏହା ସହ ଡିଏପି, ୟୁରିଆ ଓ ପଟାସ୍ ଭଳି ରାସାୟନିକ ସାର ବ୍ୟବହାର ମାତ୍ରା ମଧ୍ୟ ବଢ଼ିଛି। ଫଳରେ ଜୈବ ବିବିଧତାରେ ସମୃଦ୍ଧ କୋରାପୁଟର ସଂରକ୍ଷିତ ଦେଶୀଧାନ ବିହନ ଏବେ ସଂକଟରେ। ମାଟିର ଉର୍ବରତା କମୁଥିବାରୁ ଅନେକ ପାରମ୍ପରିକ କିସମ ବିହନ ବ୍ୟବହାର ମଧ୍ୟ ସୀମିତ ହୋଇଯାଇଛି।
ଏକଦା ପାହାଡ଼ିଆ ଓ ଉପତ୍ୟକା ଅଞ୍ଚଳରେ ସ୍ଥାନୀୟ ମାଟି ଓ ଜଳବାୟୁ ସହ ଖାପ ଖାଉଥିବା ବିଭିନ୍ନ ଦେଶୀଧାନ ଚାଷ ହେଉଥିଲା। ଚାଷୀ ନିଜ ଅମଳରୁ ବିହନ ବାଛି ସଂରକ୍ଷଣ କରି ପରବର୍ତ୍ତୀ ଋତୁରେ ବ୍ୟବହାର କରୁଥିଲେ। ଜୟପୁର ନିକଟସ୍ଥ ବାଟଜଗନ୍ନାଥପୁର ଗ୍ରାମର ଅନୁଭବୀ ଚାଷୀ ମୁକୁନ୍ଦ ଜାନୀଙ୍କ କହିବାନୁସାରେ, ପୂର୍ବରୁ ଗୋବର ଓ ଖତ ବ୍ୟବହାର କରି ଜମିର ଉର୍ବରତା ବଜାୟ ରଖାଯାଉଥିଲା। ଏବେ ସମସ୍ତେ ରାସାୟନିକ ସାର ଉପରେ ନିର୍ଭରଶୀଳ। ବର୍ତ୍ତମାନ ସମୟରେ ଅସନ୍ତୁଳିତ ସାର ପ୍ରୟୋଗ ମାଟିର ଜୈବିକ ଗୁଣ ଓ ଉର୍ବରତାକୁ ପ୍ରଭାବିତ କରୁଛି। ସେପଟେ ଅମଳ ଓ ବଜାର ଚାହିଦା ଯୋଗୁଁ ଆଡଭେଣ୍ଟା, ଡିଟି, ୧୧୫୬, ୧୧୫୩ ଓ ୧୦୧୦ ଭଳି ହାଇବ୍ରିଡ୍ ଓ ସରକାରୀ ରିସର୍ଚ୍ଚ କିସମ ଚାଷୀଙ୍କୁ ଆକର୍ଷିତ କରୁଛି। ବାଉଁଶୁଣିମୁଣ୍ଡି, ଭାଲୁ ଧାନ, ହଳଦୀ ଧାନ, ଗଦାକୁଟା, ବାଗୁରିଚୁରି, ଆସାମଚୁରି ଓ ପାତ୍ରା ଧାନ ଭଳି ପାରମ୍ପରିକ କିସମର ଚାଷ ହ୍ରାସ ପାଇଛି। ତଥାପି ଗ୍ରାମର ମୁକୁନ୍ଦ ଓ ଲୋକନାଥଙ୍କ ଭଳି କିଛି ଚାଷୀ ‘ପାରିଜାତ’, ‘ବାୟା ଅଳସୀ’ ଓ ‘ଯଯାତି’ କିସମ ଦେଶୀଧାନ ଚାଷ କରୁଛନ୍ତି।
କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ‘କଳା ଜିରା’ ଓ ‘ଲିକିଟିମାଛି’ ଭଳି ସୁଗନ୍ଧିତ ଦେଶୀଧାନ ଚାଷ ଏ ଅଞ୍ଚଳର ସମୃଦ୍ଧ କୃଷି ପରମ୍ପରାର ଏକ ଅନନ୍ୟ ପରିଚୟ। ସୁଗନ୍ଧ, ସ୍ୱାଦ ଓ ସ୍ଥାନୀୟ ପରିବେଶ ସହ ଖାପ ଖୁଆଇବାର କ୍ଷମତା ଏହି କିସମର ବିଶେଷତା। ଧୀରେ ଧୀରେ ଦେଶୀବିହନ ବ୍ୟବହାର ହ୍ରାସ ପାଇବା ଯୋଗୁଁ ପାରମ୍ପରିକ କୃଷିଜ୍ଞାନ ଓ ଜୈବ ବିବିଧତା ମଧ୍ୟ ବିପଦରେ। ଜଳବାୟୁ ପରିବର୍ତ୍ତନର ଆହ୍ବାନ ମଧ୍ୟରେ ସ୍ଥାନୀୟ ପରିବେଶରେ ଖାପ ଖୁଆଉଥିବା ଏହି ବିହନ ଭବିଷ୍ୟତ ପିଢ଼ିର ଚାଷୀଙ୍କ ପାଇଁ ମୂଲ୍ୟବାନ ହୋଇପାରେ। ତେଣୁ ଲୁପ୍ତପ୍ରାୟ କିସମର ସର୍ଭେ, ଚିହ୍ନଟ ଓ ସଂରକ୍ଷଣ ସହ ବିହନ ବ୍ୟାଙ୍କ ପ୍ରତିଷ୍ଠା, ଚାଷୀଙ୍କୁ ପ୍ରୋତ୍ସାହନ ଏବଂ ଦେଶୀଧାନ ପାଇଁ ଉଚିତ ବଜାର ସୃଷ୍ଟି କରିବା ଆବଶ୍ୟକ।
