୮ ଜିଲ୍ଲାରେ ହେବ ବାୟୋ ଗ୍ୟାସ୍‌ ପ୍ରକଳ୍ପ; ନିର୍ମାଣ ହେବ ୫ଟି ନୂଆ ତାରକା ହୋଟେଲ୍‌

ରାଜ୍ୟ
Spread the love

ଭୁବନେଶ୍ବର: ଭାରତୀୟ ତୈଳ ନିଗମ ତରଫରୁ ବାଲେଶ୍ବର, ବଲାଙ୍ଗୀର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁରରେ କମ୍ପ୍ରେସ୍‌ଡ ବାୟୋ ଗ୍ୟାସ୍‌ ପ୍ରକଳ୍ପ ସ୍ଥାପନରେ ୯୬୦ କୋଟି ଟଙ୍କା ନିବେଶ କରାଯିବ। କମ୍ପାନି ବାର୍ଷିକ ୩୯,୬୦୦ ଟନ୍‌ ବାୟୋ ଗ୍ୟାସ୍‌ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି। ଏଥି ସହିତ ରାଜ୍ୟରେ ୫ଟି ନୂଆ ତାରକା ହୋଟେଲ୍‌ ନିର୍ମାଣ ହେବାକୁ ଯାଉଛି। ପୋଷାକ ଜଗତର ଅଗ୍ରଣୀ ସଂସ୍ଥା ଡଲାର ଇଣ୍ଡଷ୍ଟ୍ରିଜ୍‌ ମଧ୍ୟ ଖୋର୍ଦ୍ଧାରେ ନିବେଶ କରିବ।
ଆଜି ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୦ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ ମଞ୍ଜୁରି କର୍ତ୍ତୃପକ୍ଷ ବୈଠକରେ ଏହି ପ୍ରକଳ୍ପଗୁଡ଼ିକ ସମେତ ୩୨୮୦ କୋଟି ଟଙ୍କାର ୧୯ଟି ପ୍ରକଳ୍ପକୁ ଅନୁମୋଦନ କରାଯାଇଛି। ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୦,୬୬୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ବୈଠକର ସୂଚନା ଅନୁସାରେ, ଗଞ୍ଜାମରେ ବିବିବି ହୋଟେଲ୍‌ ତରଫରୁ ୨୦୮.୦୪ କୋଟି ଟଙ୍କା ଓ ହୋଟେଲ୍‌ ସି ପର୍ଲ ଓଡ଼ିଶା ପକ୍ଷରୁ ପୁରୀରେ ୧୮୦ କୋଟି ଟଙ୍କା ନିବେଶରେ ପଞ୍ଚତାରକା ହୋଟେଲ୍‌ ନିର୍ମାଣ କରାଯିବ।
ସେହିପରି, ଝାରସୁଗୁଡ଼ାରେ ହାଇଲ୍ୟାଣ୍ଡ ହୋଟେଲ୍‌ ଆଣ୍ଡ୍‌ ରିସୋର୍ଟସ୍‌ ୧୫୦ କୋଟି ଟଙ୍କା, ପୁରୀରେ ପୁରୀ ଇକୋ-ଟୁରିଜମ ଆଣ୍ଡ୍‌ ରି‌ସୋର୍ଟସ୍‌ ୧୨୪ କୋଟି ଟଙ୍କା ଓ ଓଡ଼ିଶେ ଲିଜର୍‌ ପକ୍ଷରୁ କୋରାପୁଟରେ ୧୦୫ କୋଟି ଟଙ୍କା ନିବେଶରେ ୩ଟି ଚାରିତାରକା ହୋଟେଲ୍‌ ନିର୍ମାଣ କରାଯିବ। ଟାଟା ପାୱାର-ଜିସିସି ତରଫରୁ ଖୋର୍ଦ୍ଧାରେ ୫୪.୩୧ କୋଟି ଟଙ୍କାରେ ଏକ ଗ୍ଲୋବାଲ୍‌ କାପାବିଲିଟି ସେଣ୍ଟର (ଜିସିସି) ସ୍ଥାପନ କରାଯିବ। ପୋଷାକ କ୍ଷେତ୍ରରେ ଖୋର୍ଦ୍ଧାରେ ଶ୍ରୀ ଦକ୍ଷିଣେଶ୍ବରୀ ମା ପଲିଫ୍ୟାବ୍‌ସ ୪୦୧.୬୩ କୋଟି ଟଙ୍କା ଓ ସାଇ ୱାର୍କଓୟାର ପୁରୀରେ ୫୯ କୋଟି ଟଙ୍କା ନିବେଶ କରିବେ।
ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍‌ (ଇଣ୍ଡିଆ) ଖୋର୍ଦ୍ଧାରେ ୧୨୦ କୋଟି ଟଙ୍କାରେ ପ୍ୟାକେଜଡ୍‌ ଫୁଡ୍‌ କାରଖାନା ଓ କଟକରେ ଜୟ ଭବାନୀ ଫୁଡ୍‌ସ ୧୦୦ କୋଟି ଟଙ୍କା ନିବେଶରେ ଖାଦ୍ୟ ଓ ଚକୋଲେଟ୍‌ କାରଖାନା କରିବେ। ଇସ୍ପାତ କ୍ଷେତ୍ରରେ ଦେବଗଡ଼ରେ ଏସ୍‌ପିଏସ୍‌ ଅରିହନ୍ତ ଷ୍ଟିଲ୍‌ ଷ୍ଟ୍ରକ୍‌ଚର୍ସ ୧୪୦ କୋଟି ଟଙ୍କା, ସୁନ୍ଦରଗଡ଼ରେ ଷ୍ଟିଲ୍‌ଏଜ୍‌ ଫେବ୍ରିକେସନ୍‌ ୧୦୮.୮୨ କୋଟି ଟଙ୍କା, କଟକରେ ଭୁବନେଶ୍ବର ଉଦ୍ୟୋଗ ୧୦୧.୯୯ କୋଟି ଟଙ୍କା ଓ ଅନୁଗୋଳରେ ରେମୁକା ଗ୍ଲୋବାଲ୍‌ ତରଫରୁ ୫୦.୧୫ କୋଟି ଟଙ୍କା ନିବେଶ କରାଯିବ। କିନେଟା ଗ୍ଲୋବାଲ୍‌ ଗଞ୍ଜାମରେ କମ୍ପ୍ରେସଡ୍‌ ବା‌ୟୋ ଗ୍ୟାସ୍‌ କାରଖାନା ବସାଇବ। ଆକ୍ବାପ୍ରୁଫ୍‌ ୱାଲ୍‌କେୟାର ଇଣ୍ଡିଆ କଟକରେ ୬୨.୬୪ କୋଟି ଟଙ୍କା ଓ ଆସିପିୟା କେମିକାଲ୍‌ସ ଆଣ୍ଡ୍ ସୋଲ୍‌ଭେଣ୍ଟ ଜଗତସିଂହପୁରରେ ୬୦ କୋଟି ଟଙ୍କା ନିବେଶ କରିବେ।
ଏହି ଅବସରରେ ମୁଖ୍ୟ ସଚିବ ଶ୍ରୀମତୀ ଗର୍ଗ କହିଥିଲେ, ଆମର ଲକ୍ଷ୍ୟ କେବଳ ନିବେଶ ହାସଲ କରିବା ନୁହେଁ, ବରଂ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ରାଜ୍ୟର ସବୁ ଅଞ୍ଚଳରେ ଶିଳ୍ପ ବ୍ୟବସ୍ଥାକୁ ସୁଦୃଢ଼ କରିବା। ପ୍ରସ୍ତାବ ଗ୍ରହଣଠାରୁ ପ୍ରକଳ୍ପ କାର୍ଯ୍ୟକାରିତା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ନିବେଶକଙ୍କୁ ସହଯୋଗ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ ବୋଲି ସେ କହିଥିଲେ।

Leave a Reply

Your email address will not be published. Required fields are marked *