ବିରଜାଙ୍କ ପୀଠରେ ଶାରଦୀୟ ଦୁର୍ଗାତ୍ସୋବ

ଜିଲା ଖବର ଯାଜପୁର ରାଜ୍ୟ
Spread the love

ଯାଜପୁର,୨୫/୯: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ନବରାତ୍ରୀ ପୂଜାର ଧୁମ। ଶାରଦୀୟ ଦୁର୍ଗ‌ାତ୍ସୋବ ଅବସରରେ ଗୋଟିଏ ପଟେ ସକାଳେ ମାଙ୍କ ପାଦ ସ୍ପର୍ଶ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ଓ ଅନ୍ୟ ପଟେ ଅପରାହ୍ନରେ ମାଙ୍କ ରଥଟାଣିବାକୁ ଭକ୍ତଙ୍କ ଆଗ୍ରହ ପୂରା ଅଞ୍ଚଳକୁ ଆଧ୍ୟାତ୍ମିକ ପରିବେଶ ଭିତରେ ହଜାଇ ଦେଇଛି। ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ଭିଡ ଭିତରେ ମାଙ୍କ ଦୁର୍ଗାତ୍ସୋବକୁ ସମସ୍ତେ ଉପଭୋଗ କରିବାକୁ ଧାଇଁ ଆସୁଛନ୍ତି।

ମାଆଙ୍କ ଦୁର୍ଗାତ୍ସୋବର ଅୟମାରମ୍ଭ ହୋଇଥାଏ ସୁନିଆ ଦିନଠାରୁ। ଉକ୍ତଦିନ ବନଯାଗ ଯାତ୍ରା କରାଯାଇ ମାଆଙ୍କ ରଥ ପାଇଁ ଅଫଳନ୍ତି ବେଲ ଗଛର କାଠ ସଂଗ୍ରହ କରାଯିବା ପରେ ଉକ୍ତ କାଠକୁ ରଥ ନିର୍ମାଣ ପାଇଁ ମାଙ୍କ ଗର୍ଭଗୃହରେ ରଖାଯାଏ। ଯାହାକି ରଥ ନିର୍ମାଣ କରାଯାଇ ମହାଳୟା ଅବସରରେ ରଥ କାର୍ଯ୍ୟ ଶେଷ ହୋଇଥାଏ। ନବରାତ୍ରୀ ସମୟରେ ମାଙ୍କ ପାଦ ସ୍ପର୍ଶ ଓ ମୁଖ୍ୟ ଦର୍ଶନର ସୁଯୋଗ ପାଆନ୍ତି ଶ୍ରଦ୍ଧାଳୁ। ସକାଳ ସ୍ନାନ ପରେ ଶ୍ରଦ୍ଧାଳୁମାନେ ଏହି ଅପୂର୍ବ ସୁଯୋଗକୁ କେହି ବି ହାତ ଛଡା କରିବାକୁ ଚାହାନ୍ତିନି।

ବିରଜା କ୍ଷେତ୍ରରେ ମା ବିରଜାଙ୍କ ରଥଯାତ୍ରା ସମଗ୍ର ଭାରତୀୟ ଶକ୍ତି ସଂସ୍କୃତିରେ ଏକ ବିରଳ ପରମ୍ପରା। କାରଣ ଅନ୍ୟ କୌଣସି ଶକ୍ତି ପୀଠରେ ଏପରି ରଥଯାତ୍ରା ଦେଖାଯାଏ ନାହିଁ। ମହାଳୟା ପରଦିନ ଅର୍ଥାତ ପ୍ରତିପଦ ତିଥୀରେ ମାଙ୍କର ରଥ ପ୍ରତିଷ୍ଠା ହୋଇ ଅପରାହ୍ନ ମନ୍ଦିର ଚାରି ପଟେ ରଥ ପରିକ୍ରମା କରାଯିବ। ଏହିଭଳି ପ୍ରତିପଦଠାରୁ ମହାନବମୀ ପର୍ଯ୍ୟନ୍ତ ଦିନ ବ୍ୟାପୀ ନଅ ଥର ବୁଲିବ ଏହାକୁ ନବ ଦିନାତ୍ମକ ରଥଯାତ୍ରା କୁହାଯାଏ। ମା ବିଜେ ପ୍ରତିମା ସିଂହଧୂଜ ରଥରେ ବିରାଜମାନ କରିବେ ଏବଂ ରଥ ପରିକ୍ରମା କରାଯିବ। ମହାନବମୀ ତିଥି ରଥଯାତ୍ରାର ଅନ୍ତିମ ଦିନ। ଏହି ରଥ ହେଉଛି ବ୍ରହ୍ମାଙ୍କ ଦ୍ବାରା ନିର୍ମିତ ରଥ ବୋଲି ପୌରାଣିକ ଆଖ୍ୟାନ ରହିଛି। ବ୍ରହ୍ମା ଏହି ରଥକୁ ଦେବୀଙ୍କୁ ଅର୍ପଣ କରିଥିବା ଶାସ୍ତ୍ରରେ କୁହାଯାଇଛି। ରଥ‌ରେ ନିଜେ ପିତାମହ ବ୍ରହ୍ମା ସାରଥୀ ସାଜିଥାନ୍ତି। ରଥରେ ନବ ଦୁର୍ଗାଙ୍କ ଠାରୁ ଆରମ୍ଭ କରି ନବଗ୍ରହ,ସିଦ୍ଧ,ଗର୍ଦ୍ଧବ,କିନ୍ନର ସମସ୍ତେ ଏହି ରଥରେ ମାଙ୍କ ରଥଯାତ୍ରାରେ ସହାୟତା କରିବା ପାଇଁ ଅପେକ୍ଷା କରିଥାନ୍ତି। ଏହି ରଥ ଏକ ଦୁର୍ଲଭ ରଥ। ଶୁଭ ସୁନିଆଠାରୁ ବନଜାଗ ଯାତ୍ରା କରି ରଥ ପାଇଁ କାଠ୍ୟ ସଂଗ୍ରହ ପରେ ରଥ ନିର୍ମାଣ କରାଯାଇଥାଏ। ଏହି ରଥ ନିର୍ମାଣ ପାଇଁ ୮୯୮ ଖଣ୍ଡ କାଠ ଲାଗୁଥିବା ବେଳେ ୧୨ଟି ଚକ ରହିଥାଏ। ଏହି ରଥ ଦେଖିବାକୁ ମା ଶୁଭଦ୍ରାଙ୍କ ପରି ହୋଇଥିବା ବେଳେ ଏହାର ଦୈଘ୍ୟ ୧୪ ହାତ ୪ ଆଙ୍ଗୁଳି,ପ୍ରସ୍ତ ୧୧ ହାତ ୯ ଆଙ୍ଗୁଳି ଓ ଉଚ୍ଚତା ୪୩ ହାତ ୧୬ ଆଙ୍ଗୁଳି ରହିଛି। ରଥରେ ୧୩ଟି ଥାକ ଥାଏ। ୬ଟି ଅଖ ଓ ୨୪ ଟି ଧାରଣା ଏବଂ ୬୪ ଖୁଣ୍ଟି ରହିଥାଏ। ଏହି ରଥଯାତ୍ରାର ଶେଷ ଦିନ ମାଙ୍କ ବିରଜାଙ୍କ ବିଜେ ପ୍ରତିମାକୁ ରଥରୁ ଅବତରଣ କରାଯାଇ ଲାଖବିନ୍ଧା ପଡିଆକୁ ନିଆଯାଏ। ସେଠାରେ ଡାକେଶ୍ବରୀଙ୍କ ପାଖରେ ୪ ଦିଗକୁ ୪ଟି ଲକ୍ଷ୍ୟ ଭେଦ କରାଯାଇ ବିଜୟା ଉତ୍ସବ ପାଳନ କରାଯାଏ। ତେବେ ଏହି ପୂଜା ରୀତି ସଂପୂର୍ଣ୍ଣ ଭାରତରେ ନିଆରା।

Leave a Reply

Your email address will not be published. Required fields are marked *