ଘୁ. ଉଦୟଗିରି, ୫/୧: କନ୍ଧମାଳ ମହୋତ୍ସବ–୨୦୨୬କୁ ନେଇ କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିରେ ଉତ୍ସାହ ଓ ଆନନ୍ଦର ମାହୋଲ ଦେଖାଦେଇଛି। ଏହି ଅବସରରେ ପ୍ରଶାସନ ପକ୍ଷରୁ ଏକ ମଶାଲକୁ ସ୍ୱାଗତ କରାଯିବା ସହ ଏକ ମିନି ମାରାଥନ ର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମର ଆରମ୍ଭରେ ରାଇକିଆ ଠାରୁ କନ୍ଧମାଳ ମହୋତ୍ସବର ମାସ୍କଟ ଓ ମଶାଲ ଘୁମୁସର ଉଦୟଗିରିରେ ପହଞ୍ଚିଥିଲା। ପୂର୍ବରୁ ପ୍ରଶାସନ ତରଫରୁ ଆୟୋଜିତ ଏକ ମିନି ମାରାଥନ ପଦାସାହି ଠାରୁ ଆରମ୍ଭ ହୋଇ ନୂଆହାଟ ନିକଟସ୍ଥ ନାୟାରା ପେଟ୍ରୋଲ ପମ୍ପ ପର୍ଯ୍ୟନ୍ତ ଆସିଥିଲା। ନାୟାରା ପେଟ୍ରୋଲ ପମ୍ପ ନିକଟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସତ୍ୟ ନାରାୟଣ ମିଶ୍ର ଓ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଶୁତୋଷ ଗୌରବ କରଙ୍କ ନେତୃତ୍ୱରେ ମଶାଲ ଓ ମାସ୍କଟକୁ ଭବ୍ୟ ଭାବେ ସ୍ୱାଗତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ ବାଘ, ବିଭିନ୍ନ ୱାର୍ଡର କାଉନସିଲର, ବିଭିନ୍ନ ପଞ୍ଚାୟତ ର ସରପଞ୍ଚ, ଥାନା ଅଧିକାରୀ ବିଜୟ କୁମାର ସ୍ୱାଇଁ, ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ,, ଘୁ. ଉଦୟଗିରି ଶୀତ ମହୋତ୍ସବ କର୍ମକର୍ତ୍ତା, ବିଧାୟକ ଓ ସାଂସଦ ପ୍ରତିନିଧି ସହ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ପରେ ମଶାଲ ଶୋଭାଯାତ୍ରା ନୃତ୍ୟ ଗୀତ ଓ ଆନନ୍ଦ ଉଲ୍ଲାସ ସହିତ ସମ୍ପୂର୍ଣ୍ଣ ନଗର ପରିକ୍ରମା କରି କାଳୀ ମନ୍ଦିର ନିକଟରେ ପହଞ୍ଚିଥିଲା। ସେଠାରେ ଅଭିମନ୍ୟୁ ପ୍ରଧାନଙ୍କ ଦ୍ୱାରା ଆଦିବାସୀ ପରମ୍ପରା ଅନୁସାରେ ପୂଜା ଅର୍ଚ୍ଚନା କରାଯାଇଥିଲା। ପୂଜା ସମାପ୍ତ ପରେ ପୁଣି ନାଚ ଗୀତ ମଧ୍ୟରେ ଶୋଭାଯାତ୍ରା ସହିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ନିକଟକୁ ଯାଇଥିଲେ।
ସେଠାରେ ଆୟୋଜିତ ସଭାରେ ଅତିରିକ୍ତ ବିଡିଓ ସତ୍ୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଓ ଏହାକୁ ଶିକ୍ଷକ ସୁଧୀର କୁମାର ସାହୁ ପରିଚାଳନା କରିଥିଲେ। ଆସିଥିବା ମଶାଲକୁ ରଖି ପ୍ରଦୀପ ପ୍ରଜ୍ୱଳନ କରି ସମ୍ମାନ ସହିତ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ପୂର୍ବରୁ ଆୟୋଜିତ ସାଂସଦ କ୍ରୀଡା ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ବ୍ଲକ ଜୀପିଓ ସୁଧୀର କୁମାର ପ୍ରଧାନ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିବାବେଳେ, ବ୍ଲକ ପକ୍ଷରୁ ସିଆରପି, ଏମ୍ବିକେ, ମିସନ ଶକ୍ତି ଅଧିକାରୀ ଓ ମହିଳା ସଦସ୍ୟାମାନେ କାର୍ଯ୍ୟକ୍ରମକୁ ସୁଚାରୁ ଭାବେ ପରିଚାଳନା କରିଥିଲେ।
