ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମ ଓ ଭଗବାନ ଶ୍ରୀକୃଷ୍ଣଙ୍କ ମଧ୍ୟରେ ତୁଳନା କରି ସମାଲୋଚନାର ଶିକାର ହେବା ପରେ କ୍ଷମା ମାଗିଛନ୍ତି ବାଗେଶ୍ୱର ଧାମର ମୁଖ୍ୟ ପୀଠାଧୀଶ ଧୀରେନ୍ଦ୍ର ଶାସ୍ତ୍ରୀ। ଭିଡିଓକୁ ଅଧା ଦେଖି ଏହାର ଭୁଲ୍ ଅର୍ଥ ବାହାର କରାଯାଇଛି ବୋଲି ଧୀରେନ୍ଦ୍ର ସ୍ପଷ୍ଟୀକରଣ ଦେଇ କହିଛନ୍ତି।
ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର କରେରାରେ ରାମ କଥା ଶୁଣାଉଥିବା ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କୁ ନେଇ ତୁଳନା କରିଥିଲେ। ଏଥିରେ ସେ ଏକାଧିକ ବିବାଦୀୟ ବୟାନ ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ସୋସିଆଲ ମିଡିଆରେ ତାଙ୍କ ଭାଷଣର ଛୋଟ ଛୋଟ ଭିଡିଓ କ୍ଲିପ୍ ବେଶ୍ ଭାଇରାଲ ହୋଇଥିଲା।
ଧୀରେନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ଧାର୍ମିକ ବ୍ୟକ୍ତିବିଶେଷ ଓ ବିଭିନ୍ନ ସଙ୍ଗଠନ ବିରୋଧ କରିବା ପରେ ସେ ସ୍ପଷ୍ଟୀକରଣ ଦେବା ସହ କ୍ଷମା ପ୍ରାର୍ଥନା କରିଛନ୍ତି। ଦୁଇ ଭଗବାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କିମ୍ବା ଭେଦଭାବ ସୃଷ୍ଟି କରିବା ତାଙ୍କର ମୂଳ ଉଦ୍ଦେଶ୍ୟ ନଥିଲା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଘଟଣା ସମ୍ପର୍କରେ ଧୀରେନ୍ଦ୍ର କହିଛନ୍ତି, “ରାମ ଜୀ ଖୁବ୍ ସିଧାସାଧା, ହେଲେ ଠାକୁର ଜୀ କିନ୍ତୁ ତେଢ଼ା। ଅନେକ ଲୋକ ଏହି କଥାର ପ୍ରକୃତ ଅର୍ଥକୁ ଭୁଲ୍ ଭାବରେ ବୁଝିଛନ୍ତି, ଯାହାକୁ ନେଇ ବିଭିନ୍ନ ସ୍ଥାନରେ ଅର୍ଥହୀନ ତଥା ଅନୁପଯୁକ୍ତ ଆଲୋଚନା ଆରମ୍ଭ ହୋଇଯାଇଛି। ମୁଁ ଅତ୍ୟନ୍ତ ବିନମ୍ରତାର ସହ କହିବାକୁ ଚାହେଁ ଯେ, ମୁଁ ନିଜେ ଠାକୁରଜୀ (ଭଗବାନ ଶ୍ରୀକୃଷ୍ଣ)ଙ୍କର ଜଣେ ଅନନ୍ୟ ଭକ୍ତ। ମୁଁ ପବିତ୍ର ବ୍ରଜଭୂମିର ଜଣେ ଭକ୍ତ। ମୁଁ ପ୍ରାର୍ଥନା କଲାବେଳେ ଠାକୁରଜୀଙ୍କ ନିକଟରେ ବ୍ରଜରେ ଜୀବନ ବିତାଇବା ପାଇଁ ଏକ ସୁଯୋଗ ମାଗିଥାଏ। ମୁଁ ନିଜ ସାମର୍ଥ୍ୟ ଅନୁସାରେ ଶ୍ରୀମଦ୍ ଭାଗବତ କଥା ବର୍ଣ୍ଣନା କରିଥାଏ ଏବଂ ନିରନ୍ତର ଠାକୁରଜୀଙ୍କ ଗୁଣଗାନ କରିଥାଏ। ମୋ କଥାର ପ୍ରକୃତ ଅର୍ଥକୁ ଅଲଗା କରି ବିକୃତ ଭାବେ ଦର୍ଶାଯାଇଛି। ତଥାପି ଯଦି ମୋର ଏହି ମନ୍ତବ୍ୟ ଦ୍ୱାରା କାହାର ଧାର୍ମିକ ଭାବନା ପ୍ରତି ଆଘାତ ଲାଗିଥାଏ, ତେବେ ମୁଁ ସର୍ବସାଧାରଣରେ କ୍ଷମାପ୍ରାର୍ଥୀ।”
ଭିଡିଓରେ ବାଗେଶ୍ୱର ବାବା ଆହୁରି ମଧ୍ୟ କହିଛନ୍ତି, “ଏହି ନିନ୍ଦା କିମ୍ବା ଉପମା ମାଧ୍ୟମରେ ପ୍ରଭୁ ରାମ ଓ ଭଗବାନ କୃଷ୍ଣଙ୍କ ମଧ୍ୟରେ ପାର୍ଥକ୍ୟ ସୃଷ୍ଟି କରିବା ମୋର କଦାପି ଉଦ୍ଦେଶ୍ୟ ନଥିଲା। ଯେପରି ଗୋପୀମାନେ ଅତି ନିବିଡ଼ ସ୍ନେହରେ ଭଗବାନ କୃଷ୍ଣଙ୍କୁ ମିଛ ନିନ୍ଦା କରୁଥିଲେ ଏବଂ କବି ବିନ୍ଦୁ ଜୀ ମହାରାଜ ପ୍ରଭୁଙ୍କ ପ୍ରତି ପିଲାଳିଆମୀ ଦେଖାଇ ମଧୁର ଅଭିଯୋଗ ପ୍ରକାଶ କରୁଥିଲେ, ଠିକ୍ ସେହିପରି ମୁଁ ଜଣେ ପୂଜ୍ୟ ସନ୍ଥଙ୍କ ଦ୍ୱାରା ଲିଖିତ ଏକ ଜଣାଶୁଣା ପଦ୍ୟକୁ ଉଲ୍ଲେଖ କରିଥିଲି। ଯେଉଁଥିରେ ବଂଶୀ ବଜାଇବା ଏକପ୍ରକାର ଖେଳ ଏବଂ ଧନୁ ଧରିବା ଏକ ଗମ୍ଭୀର ଦାୟିତ୍ୱପୂର୍ଣ୍ଣ ବିଷୟ ବୋଲି ସୂଚିତ କରାଯାଇଛି। ମୁଁ କେବଳ ସେହି ଭକ୍ତି ଭାବନାର ବ୍ୟାଖ୍ୟା କରିଥିଲି। ତଥାପି ଅନେକ ଲୋକ ସମ୍ପୂର୍ଣ୍ଣ ଭିଡିଓ ନ ଦେଖି ତରବରିଆ ଭାବେ ମୋତେ କୃଷ୍ଣବିରୋଧୀ ବୋଲି ଆକ୍ଷେପ କଲେ।”
ତାତିଲେ ଅଖିଳେଶ ଯାଦବ:ଧୀରେନ୍ଦ୍ର ଶାସ୍ତ୍ରୀ କ୍ଷମା ମାଗିବା ସତ୍ତ୍ୱେ ତାଙ୍କ ଏହି ବିବାଦୀୟ ବୟାନକୁ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା କରାଯାଉଛି। ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବାଗେଶ୍ୱର ବାବାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି। ଏହି ଘଟଣାକୁ ଉଚ୍ଚସ୍ତରରେ ବିଚାରକୁ ନିଆଯିବା ଉଚିତ ବୋଲି ସେ ଦର୍ଶାଇଛନ୍ତି। ଏଭଳି ଦାୟିତ୍ୱହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଆପତ୍ତିଜନକ। ଦୁଇ ପୂଜ୍ୟ ଦେବତାଙ୍କ ମଧ୍ୟରେ ଅଯଥା ତୁଳନା କରି ସନାତନ ଏକତାକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରାଯାଉଛି ବୋଲି ଅଖିଳେଶ ଗୁରୁତର ଅଭିଯୋଗ ଆଣିଛନ୍ତି।
କୃଷ୍ଣଙ୍କ ସମ୍ପର୍କରେ ଦେଇଥିବା ମନ୍ତବ୍ୟ ପାଇଁ ପୁନର୍ବାର କ୍ଷମା ମାଗି ଧୀରେନ୍ଦ୍ର କହିଛନ୍ତି, “ଆମେ କୃଷ୍ଣଙ୍କୁ ବିରୋଧ କରୁନାହୁଁ। ମୁଁ ନିଜେ ଶ୍ରୀ ଠାକୁରଜୀଙ୍କୁ ପୂଜା କରେ ଏବଂ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ପାଇଁ ବାରମ୍ବାର ମୋର ସ୍ୱର ଉତ୍ତୋଳନ କରିଆସିଛି। ଏପରିକି ମୋ ନାମର ଏକ ଅଂଶରେ ସ୍ୱୟଂ କୃଷ୍ଣଙ୍କ ନାମ ରହିଛି। ମୋର ସମଗ୍ର ଅସ୍ତିତ୍ୱ ହିଁ ଶ୍ରୀକୃଷ୍ଣଙ୍କ ପାଇଁ ସମର୍ପିତ। ତଥାପି, ଯଦି ମୋର ଶବ୍ଦ, ଭାବନା କିମ୍ବା ବ୍ୟାଖ୍ୟା ଦ୍ୱାରା କାହାକୁ କୌଣସି ପ୍ରକାରର କଷ୍ଟ କିମ୍ବା ମାନସିକ ଆଘାତ ଲାଗିଥାଏ, ତେବେ ମୁଁ ଅତ୍ୟନ୍ତ ଆନ୍ତରିକତାର ସହ ଏବଂ ନମ୍ରତାର ସହ କ୍ଷମା ପ୍ରାର୍ଥନା କରୁଛି।”
କ’ଣ କହିଥିଲେ ଧୀରେନ୍ଦ୍ର ?
ମଧ୍ୟପ୍ରଦେଶ ଶିବପୁରୀ ଜିଲ୍ଲାର କରେରାରେ ଆୟୋଜିତ ରାମ କଥା ପ୍ରବଚନ ସମୟରେ ଧୀରେନ୍ଦ୍ର ଶାସ୍ତ୍ରୀ ଭଗବାନ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ଚରିତ୍ରକୁ ନେଇ ତୁଳନାତ୍ମକ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, “ତୁମେ ଆମ ଠାକୁରଙ୍କର ଗୋଟିଏ ବି ଫଟୋ ଦେଖିଦିଅ। କେଉଁଠି ଏମିତି ବସିଛନ୍ତି ତ ଆଉ କେଉଁଠି ସେମିତି ବସିଛନ୍ତି। ତୁମ ଠାକୁର ଛିଡ଼ା ବି ହେଉଛନ୍ତି ତ ତିନୋଟି ଜାଗାରେ ତେଢ଼ା ହୋଇ ରହୁଛନ୍ତି। ପାଦ ଉପରେ ପାଦ, କେଉଁଠି ଅଣ୍ଟାରେ ଲଚକ ରହିଛି। ମୁଣ୍ଡ ଏମିତି କରନ୍ତି, ପୁଣି ସେମିତି କରନ୍ତି। ତା’ପରେ ପୁଣି ଏମିତି ତେଢ଼ା ହୋଇ ବଂଶୀ ବଜାନ୍ତି।”
ଏହାପରେ ସେ ଭଗବାନ ଶ୍ରୀରାମଙ୍କ ସହ ତୁଳନା କରି କହିଥିଲେ, “ଆମ ଠାକୁର ଛିଡ଼ା ହେଲେ ବି ଏକଦମ୍ ସିଧା, ଆମ ଠାକୁରଙ୍କ ନାମ ବି ସିଧା, ଆମ ଠାକୁରଙ୍କ ଚାଲିଚଳଣ ବି ସିଧା ଏବଂ ଆମ ଠାକୁର ଦେଖିବାକୁ ମଧ୍ୟ ଅତ୍ୟନ୍ତ ସିଧାସାଧା। କିନ୍ତୁ ତୁମ ଠାକୁରଙ୍କ ନାମ ବି ତେଢ଼ା, ଚାଲନ୍ତି ବି ତେଢ଼ା।” ବିଭିନ୍ନ ପ୍ରକାର ଭାବଭଙ୍ଗୀ ପ୍ରଦର୍ଶନ କରି ଧୀରେନ୍ଦ୍ର କୃଷ୍ଣଙ୍କୁ ସମାଲୋଚନା କରିଥିବା ଅଭିଯୋଗ ହୋଇଛି। ଏଥିସହ ସେ ଆହୁରି ମଧ୍ୟ କହିଥିଲେ ଯେ ବଂଶୀ ବଜାଇବା ଏକ ଖେଳ, କିନ୍ତୁ ଧନୁ ଚଳାଇବା କୌଣସି ଖେଳ ନୁହେଁ। ଏହି ମନ୍ତବ୍ୟକୁ ନେଇ ଭକ୍ତ ତଥା ଧାର୍ମିକ ଗୋଷ୍ଠୀଙ୍କ ମଧ୍ୟରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି।
ଥାନାରେ ମାମଲା ପାଇଁ ପହଞ୍ଚିଲେ ପପୁ ଯାଦବ
ଭଗବାନ ଶ୍ରୀକୃଷ୍ଣଙ୍କ ଉପରେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି ବିବାଦୀୟ ବୟାନକୁ ନେଇ ବିହାରର ପୂର୍ଣ୍ଣିଆ ସାଂସଦ ପପୁ ଯାଦବ ଥାନାରେ ଆନୁଷ୍ଠାନିକ ଭାବେ ଏତଲା ଦାୟର କରିଛନ୍ତି। ଏଥିପାଇଁ ସେ ନୂଆଦିଲ୍ଲୀସ୍ଥିତ ସଂସଦ ମାର୍ଗ ଥାନାରେ ନିଜେ ଉପସ୍ଥିତ ହୋଇ ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଠାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୨୯୯ ଅନୁଯାୟୀ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଏଭଳି ଅପମାନଜନକ ବୟାନ ଯୋଗୁଁ ଦେଶର କୋଟି କୋଟି କୃଷ୍ଣଭକ୍ତଙ୍କ ଧାର୍ମିକ ଭାବନା ପ୍ରତି ଗଭୀର ଆଘାତ ଲାଗିଛି ବୋଲି ସାଂସଦ ଅଭିଯୋଗ ଆଣିଛନ୍ତି।
ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବର ଟ୍ୱିଟର)ରେ ପୋଷ୍ଟ କରି ପପୁ ଯାଦବ କଡ଼ା ଚେତାବନୀ ଦେଇ ଲେଖିଛନ୍ତି ଯେ, ଭଗବାନ ଶ୍ରୀକୃଷ୍ଣଙ୍କ ଅପମାନ କୌଣସି ପରିସ୍ଥିତିରେ ମଧ୍ୟ ବରଦାସ୍ତ କରାଯିବ ନାହିଁ। କୃଷ୍ଣ କହ୍ନେଇଙ୍କୁ ଜାଣିଶୁଣି ଅପମାନିତ କରି ଏହି ମୂର୍ଖ ତଥା ବେଇମାନ ବ୍ୟକ୍ତି ଏବେ କ୍ଷମା ମାଗିବାର ମିଛ ନାଟକ କରୁଛି। ତାକୁ କୌଣସି ପ୍ରକାରେ ଛଡ଼ାଯିବ ନାହିଁ ଏବଂ ତାଙ୍କୁ ଆଇନ ଅନୁଯାୟୀ ଉପଯୁକ୍ତ ଦଣ୍ଡ ମିଳିବା ପରେ ହିଁ ଶାନ୍ତି ମିଳିବ ବୋଲି ପପୁ ଯାଦବ ସ୍ପଷ୍ଟ ଚେତାବନୀ ଦେଇଛନ୍ତି।
