କିଭ୍: ଯୁଦ୍ଧର ବିଭୀଷିକା ଭିତରେ ପୁଣି ରକ୍ତରଞ୍ଜିତ ଖେଳ ଖେଳିଛି ରୁଷିଆ। ୟୁକ୍ରେନର ଏକ ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର ଉପରେ ଭୟଙ୍କର ଆକ୍ରମଣ କରିଛି ରୁଷୀୟ ସେନା। ଏହି ଆକ୍ରମଣରେ ଏଯାଏଁ ମୋଟ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବହୁ ସଂଖ୍ୟାରେ ଲୋକ ଗୁରୁତର ଭାବେ ଆହତ ହୋଇଥିବା ଖବର ସାମ୍ନାକୁ ଆସିଛି। ଯେଉଁଠି ଯୁଦ୍ଧ ପୀଡ଼ିତ ଲୋକଙ୍କୁ ସାହାଯ୍ୟ ଓ ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଉଥିଲା, ସେହି ସ୍ଥାନଟି ଏବେ ମୃତ୍ୟୁପୁରୀରେ ପାଲଟିଛି। ଆକ୍ରମଣ ପରେ ଘଟଣାସ୍ଥଳରେ ତୀବ୍ର ଆତଙ୍କ ଖେଳିଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି।
ଦିନକୁ ଦିନ ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଅଧିକ ଭୟଙ୍କର ରୂପ ଧାରଣ କରୁଛି। ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଆଦୌ ଥମିବାର ନାଁ ନେଉନାହିଁ। ଏଥର ତାଙ୍କ ଟାର୍ଗେଟ୍ରେ ଥିଲା ୟୁକ୍ରେନର ଏକ ରିଲିଫ୍ ସାମଗ୍ରୀ ବଣ୍ଟନ କେନ୍ଦ୍ର। ସେଠାରେ ଯୁଦ୍ଧ ଯୋଗୁଁ ପ୍ରଭାବିତ ତଥା ଅସହାୟ ଲୋକଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ବଣ୍ଟନ କରାଯାଉଥିଲା। ଠିକ୍ ସେହି ସମୟରେ ରୁଷିଆ ପକ୍ଷରୁ ଏହି ପ୍ରଳୟଙ୍କରୀ ବିସ୍ଫୋରଣ ଘଟାଯାଇ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୨୪ ଜଣ ନିରୀହ ଲୋକଙ୍କ ଜୀବନ ଚାଲିଯାଇଛି। ଘଟଣା ପରେ ତୁରନ୍ତ ଉଦ୍ଧାରକାରୀ ଦଳ ଓ ଜରୁରୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯିବା ସହ କଂକ୍ରିଟ୍ ଧ୍ୱଂସାବଶେଷ ତଳେ ଆଉ କେହି ଫସି ରହିଛନ୍ତି କି ନାହିଁ, ସେନେଇ ସର୍ଚ୍ଚ ଅପରେସନ ଜାରି ରହିଛି। ଆକ୍ରମଣ ପରେ ସମଗ୍ର ଅଞ୍ଚଳରେ କେବଳ ଧ୍ୱଂସର ତାଣ୍ଡବଲୀଳା ଦେଖିବାକୁ ମିଳିଛି। ମୃତାହତଙ୍କ ମଧ୍ୟରେ ଅଧିକାଂଶ ରିଲିଫ୍ ସାମଗ୍ରୀ ନେବା ପାଇଁ ଲାଇନ୍ରେ ଛିଡ଼ା ହୋଇଥିବା ନିରୀହ ସାଧାରଣ ନାଗରିକ ଥିବା ଆଶଙ୍କା କରାଯାଉଛି।
ଏହି ଅମାନୁଷିକ ଆକ୍ରମଣକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି ଯେ ଉକ୍ତ ସ୍କୁଲକୁ ଏକ ରିଲିଫ୍ ବଣ୍ଟନ କେନ୍ଦ୍ର ଭାବରେ ବ୍ୟବହାର କରାଯାଉଥିଲା ଏବଂ ବାସହରା ଲୋକମାନେ ସେଠାରେ ଆଶ୍ରୟ ନେଉଥିଲେ। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସ୍କୁଲ କୋଠା ଉପରେ ପ୍ରଥମେ ଏକ ବିମାନ ଆକ୍ରମଣ ହୋଇଥିଲା ଏବଂ ତା’ର କିଛି ସମୟ ପରେ ପୁଣି ଥରେ ଦ୍ୱିତୀୟ ଥର ପାଇଁ ବୋମାମାଡ଼ କରାଯାଇଥିଲା। ଜାପୋରିଝିଆ ସିଟି କାଉନସିଲ ସଚିବ ରେଜିନା ଖାରଚେଙ୍କୋ ପ୍ରକାଶ କରିଛନ୍ତି ଯେ ଏହି ଆକ୍ରମଣ ପରେ ବର୍ତ୍ତମାନ ସୁଦ୍ଧା ୨୭ ଜଣ ଲୋକ ନିଖୋଜ ଅଛନ୍ତି, ଯାହା ସ୍ପଷ୍ଟ ସୂଚାଇ ଦେଉଛି ଯେ ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ଏହି ଘଟଣା ପରେ ୟୁକ୍ରେନ ପ୍ରଶାସନ ତଥା ନେତୃବୃନ୍ଦଙ୍କ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇବା ସହ ସାଧାରଣ ନାଗରିକଙ୍କ ସୁରକ୍ଷାକୁ ନେଇ ପୁଣି ଥରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଯୁଦ୍ଧରେ ସବୁଠାରୁ ଅଧିକ କ୍ଷତି ସାଧାରଣ ଲୋକଙ୍କର ହିଁ ହେଉଛି। ଦୁଇ ଓଳି ରିଲିଫ୍ ଖାଦ୍ୟ ପାଇଁ ଅପେକ୍ଷା କରିଥିବା ନିରୀହ ଲୋକଙ୍କ ଉପରେ ଏଭଳି ବର୍ବରୋଚିତ ଆକ୍ରମଣ ସମଗ୍ର ବିଶ୍ୱସ୍ତରରେ ମାନବିକତା ଉପରେ ଏକ ଗମ୍ଭୀର ପ୍ରଶ୍ନ ଛିଡ଼ା କରିଛି।
