ରାହୁଲ, ଖଡ଼ଗେଙ୍କୁ ଭେଟିବାକୁ ମନା କଲେ ସିଜେଆଇ

ଦେଶବିଦେଶ
Spread the love

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସାକ୍ଷାତ ପ୍ରସ୍ତାବକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସୂର୍ଯ୍ୟକାନ୍ତ ପ୍ରତ୍ୟାଖ୍ୟାନ କରିଛନ୍ତି। କଂଗ୍ରେସ ତଥା ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ପ୍ରମୁଖ ନେତାମାନେ ନିର୍ବାଚନ ଆୟୋଗ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଏକ ସ୍ମାରକପତ୍ର ପ୍ରଦାନ ପାଇଁ ସୋମବାର ସିଜେଆଇଙ୍କ ସହ ଭେଟିବାକୁ ଅନୁରୋଧ କରିଥିଲେ। କିନ୍ତୁ ବିଚାର ବିଭାଗୀୟ ମର୍ଯ୍ୟାଦା ଏବଂ ସମ୍ବିଧାନର କ୍ଷମତା ପୃଥକୀକରଣ ନୀତିକୁ ଦର୍ଶାଇ ପ୍ରଧାନ ବିଚାରପତି ଏହି ସାକ୍ଷାତକାର ପାଇଁ ଅସମ୍ମତି ପ୍ରକାଶ କରିଛନ୍ତି।

ପ୍ରଧାନ ବିଚାରପତି ଏକ ପତ୍ର ମାଧ୍ୟମରେ ସ୍ପଷ୍ଟ କରିଛନ୍ତି ଯେ ବିରୋଧୀ ନେତାମାନେ ଯେଉଁ ବିଷୟଗୁଡ଼ିକ ଉପରେ ଆଲୋଚନା କରିବାକୁ ଚାହୁଁଛନ୍ତି, ସେଗୁଡ଼ିକ ପୂର୍ବରୁ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି। ଅଦାଲତରେ ବିଚାରାଧୀନ ଥିବା ବିଷୟଗୁଡ଼ିକ ଉପରେ ପ୍ରଶାସନିକ ସ୍ତରରେ ବୈଠକ କରି ଆଲୋଚନା କରିବା ସମ୍ବିଧାନର ମୌଳିକ ଢାଞ୍ଚା ତଥା ନ୍ୟାୟିକ ନୀତି ନିୟମର ପରିପନ୍ଥୀ।

ପ୍ରଧାନ ବିଚାରପତି ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଏହି ପ୍ରସଙ୍ଗଗୁଡ଼ିକର ସମାଧାନ ପାଇଁ ସର୍ବୋଚ୍ଚ ଅଦାଲତ ନିକଟରେ କୌଣସି ପ୍ରଶାସନିକ କ୍ଷମତା ନାହିଁ। ତେବେ ଦେଶର ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ନ୍ୟାୟପାଳିକା ସର୍ବଦା ପ୍ରତିବଦ୍ଧ। ନେତାମାନେ ପ୍ରଶାସନିକ ଭାବେ ସ୍ମାରକପତ୍ର ଦେବା ପରିବର୍ତ୍ତେ ନିର୍ଦ୍ଧାରିତ ଆଇନଗତ ପ୍ରକ୍ରିୟା ଅନୁସରଣ କରି ନ୍ୟାୟିକ ମାଧ୍ୟମରେ ଅଦାଲତଙ୍କ ଦ୍ୱାରସ୍ଥ ହେବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି।

ମୁଖ୍ୟ ନିର୍ବାଚନ କମିଶନରଙ୍କ ସମ୍ପର୍କିତ ଦାବି, ଛାତ୍ରଙ୍କ ଗିରଫଦାରୀ ତଥା ଅନ୍ୟାନ୍ୟ ଘଟଣାକୁ ନେଇ ବିରୋଧୀ ଦଳଗୁଡ଼ିକ ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରା କରିବାକୁ ପ୍ରସ୍ତୁତି କରୁଥିବା ବେଳେ ପ୍ରଧାନ ବିଚାରପତିଙ୍କ ଏହି ନିଷ୍ପତ୍ତି ସାମ୍ନାକୁ ଆସିଛି। ବିଚାର ବିଭାଗୀୟ ସ୍ୱାଧୀନତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଦର୍ଶାଯାଇଛି।

Leave a Reply

Your email address will not be published. Required fields are marked *