ବ୍ରଜ ମୋହନ ରାମ ହେଲେ ଓଡ଼ିଶାର ନୂତନ ରାଜ୍ୟପାଳ

ରାଜ୍ୟ
Spread the love

ଭୁବନେଶ୍ୱର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ବ୍ରିଜ ମୋହନ ରାମ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଏହି ସାମ୍ବିଧାନିକ ପଦବୀରେ ନିଯୁକ୍ତି ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ପ୍ରକାଶିତ ସରକାରୀ ବିଜ୍ଞପ୍ତି ଅନୁସାରେ, ସେ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ସ୍ଥାନ ଗ୍ରହଣ କରିବେ। ଦେଶର ଛଅଟି ରାଜ୍ୟରେ ହୋଇଥିବା ରାଜ୍ୟପାଳ ଅଦଳବଦଳ ପ୍ରକ୍ରିୟାରେ ଓଡ଼ିଶାର ଏହି ନୂତନ ନିଯୁକ୍ତି ଅନ୍ତର୍ଭୁକ୍ତ ରହିଛି।

ଝାଡ଼ଖଣ୍ଡ ରାଜନୀତିର ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା ଭାବେ ବ୍ରଜ ମୋହନ ରାମ ବେଶ ପରିଚିତ। ତାଙ୍କର ଜନ୍ମ ୧୯୫୮ ମସିହା ଜାନୁଆରୀ ୧ ତାରିଖରେ ତତ୍କାଳୀନ ଅବିଭକ୍ତ ବିହାର ତଥା ବର୍ତ୍ତମାନର ଝାଡ଼ଖଣ୍ଡସ୍ଥିତ ପଲାମୁ ଜିଲ୍ଲାର ଚାନ୍ଦୱାଠାରେ ହୋଇଥିଲା। ସେ ରାଞ୍ଚି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ନିଜର ଦୀର୍ଘ ରାଜନୈତିକ ଜୀବନ ମଧ୍ୟରେ ସେ ୧୯୯୧ରୁ ୧୯୯୫ ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ପରବର୍ତ୍ତୀ ସମୟରେ ସେ ଭାରତୀୟ ଜନତା ପାର୍ଟି ଟିକେଟରେ ପଲାମୁ ଲୋକସଭା ନିର୍ବାଚନ ମଣ୍ଡଳୀରୁ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ କ୍ରମାଗତ ତିନି ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ସଂସଦରେ କାର୍ଯ୍ୟକାଳ ସମୟରେ ସେ ରେଳ, କୋଇଲା ଏବଂ ବିଦ୍ୟୁତ ଭଳି ଗୁରୁତ୍ୱପୂର୍ଣ୍ଣ ସଂସଦୀୟ କମିଟିରେ ସଦସ୍ୟ ରହି ନିଜର ଦକ୍ଷତାର ପ୍ରମାଣ ଦେଇଥିଲେ। ଏହା ସହିତ ସେ ଦଳୀୟ ସଂଗଠନ ତଥା ଅନୁସୂଚିତ ଜାତି ମୋର୍ଚ୍ଚାରେ ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି। ପଡ଼ୋଶୀ ଝାଡ଼ଖଣ୍ଡ ରାଜ୍ୟର ଜଣେ ଅନୁଭବୀ ଜନପ୍ରତିନିଧି ତଥା ସମାଜସେବୀ ଭାବେ ଓଡ଼ିଶାର ରାଜ୍ୟପାଳ ପଦ ସମ୍ଭାଳିବା ରାଜ୍ୟ ରାଜନୈତିକ ମହଲରେ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି। ଖୁବ୍ ଶୀଘ୍ର ଭୁବନେଶ୍ୱରସ୍ଥିତ ରାଜଭବନରେ ଏକ ଆନୁଷ୍ଠାନିକ ଉତ୍ସବରେ ସେ ଶପଥ ଗ୍ରହଣ କରି ଦାୟିତ୍ୱ ଗ୍ରହଣ କରିବେ। ତାଙ୍କ ନିଯୁକ୍ତିରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

Leave a Reply

Your email address will not be published. Required fields are marked *