ବ୍ରହ୍ମପୁରରେ ନକଲି ଗୁଟଖା ଗୋଦାମ ଉପରେ ପୁଲିସର ଚଢ଼ାଉ, ୫ ଗିରଫ

ରାଜ୍ୟ
Spread the love

ବ୍ରହ୍ମପୁର: ବେଆଇନ ନିଷିଦ୍ଧ ତମାଖୁ ଓ ନକଲି ଗୁଟଖା କାରବାର ବିରୋଧରେ ବ୍ରହ୍ମପୁର ବଡ଼ବଜାର ପୁଲିସ ପକ୍ଷରୁ ଏକ ବଡ଼ ଧରଣର ଚଢ଼ାଉ କରାଯାଇଛି। ବଡ଼ବଜାର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇ ବିପୁଳ ପରିମାଣର ନିଷିଦ୍ଧ ତଥା ଲେବଲବିହୀନ ଗୁଟଖା ଜବତ କରିଛି ପୁଲିସ। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ନିଷିଦ୍ଧ ଓ ନିମ୍ନମାନର ତମାଖୁ ଉତ୍ପାଦ ସଂରକ୍ଷଣ ଏବଂ ବେଆଇନ ବିକ୍ରୟ କରାଯାଉଥିବା ନେଇ ବଡ଼ବଜାର ଥାନା ପୁଲିସକୁ ଏକ ନିର୍ଭରଯୋଗ୍ୟ ସୂଚନା ମିଳିଥିଲା। ଏହି ଗୁଇନ୍ଦା ସୂଚନାକୁ ଭିତ୍ତି କରି ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ବଡ଼ବଜାର ଥାନା ଅଞ୍ଚଳର ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଯୋଜନାବଦ୍ଧ ଭାବେ ଚଢ଼ାଉ କରିଥିଲା।

ଗୌଡ଼ା ସାହି, ବାଛୁବାରୀ ସାହି ଓ ଶଙ୍କର ବଜାରରେ ଥିବା ତିନୋଟି ଖୁଚୁରା ଦୋକାନରେ ତଲାସି ବେଳେ ବିପୁଳ ପରିମାଣର ନିଷିଦ୍ଧ ଗୁଟଖା ଜବତ ହୋଇଥିଲା। ଜବତ ସାମଗ୍ରୀଗୁଡ଼ିକ ମଧ୍ୟରେ ‘ଗୋକୁଳ ଡିଲକ୍ସ ମିକ୍ସ’ ଏବଂ ‘ବିନ୍ଦାସ ଗୋକୁଳ ଡିଲକ୍ସ ମିକ୍ସ’ ବ୍ରାଣ୍ଡର ଗୁଟଖା ରହିଛି। ଏହିସବୁ ଗୁଟଖା ପ୍ୟାକେଟ୍‌ଗୁଡ଼ିକରେ କୌଣସି ଉତ୍ପାଦନ ତାରିଖ କିମ୍ବା ମିଆଦ ଉତ୍ତୀର୍ଣ୍ଣ (ଏକ୍ସପାଏରୀ) ତାରିଖ ଉଲ୍ଲେଖ ନଥିଲା। ଏପରିକି ଖାଦ୍ୟ ସୁରକ୍ଷା ସମ୍ବନ୍ଧୀୟ FSSAI ଲାଇସେନ୍ସ ସମ୍ପର୍କିତ କୌଣସି ତଥ୍ୟ ମଧ୍ୟ ଏଥିରେ ଦର୍ଶାଯାଇ ନଥିବା ନେଇ ପୁଲିସ ତଦନ୍ତରୁ ସ୍ପଷ୍ଟ ହୋଇଛି।

ଏହି ଚଢ଼ାଉ କ୍ରମରେ ପୁଲିସ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ନିଷିଦ୍ଧ ତମାଖୁ ଉତ୍ପାଦର ବେଆଇନ ସଂରକ୍ଷଣ, ଚାଲାଣ ଓ ବିକ୍ରୟ ଉପରେ କଡ଼ା ରୋକ୍ ଲଗାଇବା ପାଇଁ ପୁଲିସର ଏଭଳି ସ୍ୱତନ୍ତ୍ର ଅଭିଯାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଆଶା କରାଯାଉଛି। ତେବେ ଏହି ବେଆଇନ କାରବାର ପଛରେ ଥିବା ପ୍ରକୃତ ମାଷ୍ଟରମାଇଣ୍ଡ କିଏ, ଏହା ପଛରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି ଏବଂ ବାହାର ରାଜ୍ୟ କିମ୍ବା ଜିଲ୍ଲାରୁ ଏହି ନକଲି ଗୁଟଖା କେଉଁଠାରୁ ଚାଲାଣ ହୋଇ ଆସୁଥିଲା, ସେନେଇ ପୁଲିସ ପକ୍ଷରୁ ଅଧିକ ଖୋଳତାଡ଼ ଓ ଗଭୀର ତଦନ୍ତ ଜାରି ରହିଛି।

Leave a Reply

Your email address will not be published. Required fields are marked *