ସମ୍ବଲପୁର: ସମ୍ବଲପୁର-ତାଳଚେର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ତଥା ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ଅଧିକାରୀ ଅଜୟ ଗଡ଼ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ସମ୍ବଲପୁର ଭିଜିଲାନ୍ସ ଟିମ୍ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା।
ମିଳିଥିବା ସୂଚନା ଅନୁଯାୟୀ, ରେଳ ଲାଇନ ସମ୍ପ୍ରସାରଣ ପାଇଁ ଜମି ହରାଇଥିବା ଜଣେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ସପକ୍ଷରେ କ୍ଷତିପୂରଣ ଅର୍ଥ ମଞ୍ଜୁର କରାଇଦେବା ନିମନ୍ତେ ଅଜୟ ଗଡ଼ନାୟକ ମୋଟ ୫ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ପୂର୍ବରୁ ଅଭିଯୁକ୍ତ ଅଧିକାରୀଜଣକ ପ୍ରଥମ କିସ୍ତି ବାବଦକୁ ୨ ଲକ୍ଷ ଟଙ୍କା ନେଇସାରିଥିଲେ। ଅବଶିଷ୍ଟ ଟଙ୍କା ପାଇଁ ସେ କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ଉପରେ ବାରମ୍ବାର ଚାପ ପକାଇବାରୁ, ବାଧ୍ୟ ହୋଇ କ୍ଷତିଗ୍ରସ୍ତ ବ୍ୟକ୍ତିଜଣକ ଏ ସମ୍ପର୍କରେ ସମ୍ବଲପୁର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ପୂର୍ବ ଯୋଜନା ମୁତାବକ ଗତକାଲି ଅବଶିଷ୍ଟ ୩ ଲକ୍ଷ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଛକି ରହିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ହାତେନାତେ କାବୁ କରିଥିଲା।
ଗିରଫଦାରୀ ପରେ ଭିଜିଲାନ୍ସ ଟିମ୍ ଅଜୟ ଗଡ଼ନାୟକଙ୍କ ବିଭିନ୍ନ ଠିକଣାରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ତଥା ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି। ଢେଙ୍କାନାଳ ଜିଲ୍ଲା ରସୋଲ ବ୍ଲକ୍ ଅନ୍ତର୍ଗତ ଗିରିଧାରୀ ପ୍ରସାଦସ୍ଥିତ ପୈତୃକ ବାସଭବନ, ଅନୁଗୁଳରେ ଥିବା ସରକାରୀ ବାସଭବନ ଏବଂ ସମ୍ବଲପୁର ତଥା ଅନୁଗୁଳସ୍ଥିତ ସ୍ୱତନ୍ତ୍ର ଜମି ଅଧିଗ୍ରହଣ କାର୍ଯ୍ୟାଳୟ ସମେତ ଏକକାଳୀନ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।
ସୂଚନା ଅନୁସାରେ, ଅଜୟ ଗଡ଼ନାୟକଙ୍କ ବାପା ୧୯୯୯ ମସିହାରେ ଆଖି ବୁଜିବା ପରେ, ତାଙ୍କୁ ଅନୁକମ୍ପାମୂଳକ ଭିତ୍ତିରେ ସରକାରୀ ଚାକିରି ମିଳିଥିଲା। ସେ ପ୍ରଥମେ ଜଣେ କନିଷ୍ଠ କିରାଣୀ ଭାବେ ସରକାରୀ ସେବାରେ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ପଦୋନ୍ନତି ପାଇ ସେ ଓଡ଼ିଶା ରାଜସ୍ୱ ସେବା (ଓଆରଏସ) ଅଧିକାରୀ ପାହ୍ୟାକୁ ଉନ୍ନୀତ ହୋଇଥିଲେ। ୨୦୨୩ ମସିହାରୁ ସେ ସମ୍ବଲପୁରରେ ତାଳଚେର-ସମ୍ବଲପୁର ରେଳ ଲାଇନ ଦୋହରୀକରଣ ପ୍ରକଳ୍ପର ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ଭାବେ ଅବସ୍ଥାପିତ ଥିଲେ। ଏହି ଘଟଣାରେ ଗିରଫ ଅଧିକାରୀଙ୍କ ନାମରେ ଦୁର୍ନୀତି ନିବାରଣ ଆଇନ ଅନୁଯାୟୀ ଏକ ନିର୍ଦ୍ଦିଷ୍ଟ ମାମଲା ରୁଜୁ କରାଯାଇଛି ଏବଂ ତାଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଆକଳନ ତଥା ଅଧିକ ତଥ୍ୟ ହାସଲ ପାଇଁ ତଦନ୍ତ ଜାରି ରହିଛି।
