ମାହାଙ୍ଗା, ୨/୧୧: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଧୀନ ଭଦ୍ରେଶ୍ୱର ଥାନା ଅନ୍ତର୍ଗତ ଝଡ଼େଶ୍ୱରପୁର ଗ୍ରାମରେ ଏକ ଅତ୍ୟନ୍ତ ହୃଦୟବିଦାରକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ଇମ୍ରାନ ଖାଁଙ୍କ ଦୁଇ ପୁଅ ଜିସାନ ଖାଁ (୬) ଓ ସଲମାନ ଖାଁ (୫) ଏବଂ ତାଙ୍କ ପଡ଼ୋଶୀ ଅବଦୁଲ ଅନୱାର ଖାଁଙ୍କ ପୁଅ ଅରହମ ଖାଁ (୬) ସାଙ୍ଗ ହୋଇ ଗତକାଲି ତା ୧/୧୧/୨୦୨୬ ରବିବାର ସକାଳ ପ୍ରାୟ ୯ ଘଟିକା ସମୟରେ ଖେଳୁଥିଲେ। ଖେଳୁଥିବା ସମୟରେ ପାଖରେ ଥିବା ପାଣ୍ଡିଆ ଯୋର (ପୋଖରୀ)ରେ ଫୁଟିଥିବା କଇଁ ଫୁଲ ପ୍ରତି ଆକର୍ଷିତ ହୋଇ ସେମାନେ ଫୁଲ ତୋଳିବାକୁ ଯାଇଥିଲେ। ଫୁଲ ତୋଳିବା ଉଦ୍ଦେଶ୍ୟରେ ପିଲାମାନେ ଧୀରେ ଧୀରେ କୂଳରୁ ପାଣି ଭିତରକୁ ପଶିଯାଇ ଗଭୀର ପାଣିରେ ବୁଡ଼ି ଯାଇଥିଲେ ଏବଂ ଅକାଳରେ ମୃତ୍ୟୁବରଣ କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ସମଗ୍ର ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।
ଏହି ଦୁଃଖଦ ଖବର ପାଇ ମାହାଙ୍ଗା କଂଗ୍ରେସ ନେତା ଶେଖ ମସୁଦ ଅଲି, ମାହାଙ୍ଗା ବ୍ଲକ କଂଗ୍ରେସ ସଭାପତି ତଥା ଆଇନଜୀବୀ ଦୀପକ କୁମାର ମହାନ୍ତି, କଟକ ଜିଲ୍ଲା କଂଗ୍ରେସର ପ୍ରାକ୍ତନ ସାଧାରଣ ସମ୍ପାଦକ ଶୌକତ ଅଲି, ସମ୍ପାଦକ ରଞ୍ଜନ କୁମାର ପ୍ରଧାନ ଓ ମାନସ ରଞ୍ଜନ ଦାସ, ବ୍ଲକ କଂଗ୍ରେସ ସଂଗଠନ ସମ୍ପାଦକ ସଂଗ୍ରାମ ସାମଲ, ବରିଷ୍ଠ ସଂଗଠକ ଦୀପକ କୁମାର ନାୟକ, ଆକାଶ କୁମାର ପ୍ରଧାନ ଏବଂ ଶେଖ ମଞ୍ଜୁର ଅଲି ପ୍ରମୁଖ ଝଡ଼େଶ୍ୱରପୁର ଗ୍ରାମସ୍ଥିତ ମୃତ ଶିଶୁମାନଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ସେମାନେ ଶୋକାକୁଳ ପରିବେଶ ମଧ୍ୟରେ ପରିବାରବର୍ଗଙ୍କୁ ଭେଟି ଗଭୀର ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଧରିବା ପାଇଁ ସମବେଦନା ଜଣାଇ ସାନ୍ତ୍ୱନା ପ୍ରଦାନ କରିଥିଲେ। ଏହା ସହିତ ନେତୃବୃନ୍ଦ ଏହି ଅମାୟିକ ତଥା କୋମଳମତି ଶିଶୁମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ସର୍ବଶକ୍ତିମାନ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ।
