ଝଙ୍କଡ଼, ୨/୧୧: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କୃଷ୍ଣାନନ୍ଦପୁର ପଞ୍ଚାୟତର ଜଇପୁର-କଟିକଟା ରାସ୍ତା ଶାନ୍ତିବଜାର ପାଇକା ନଦୀବନ୍ଧ ପର୍ଯ୍ୟନ୍ତ ଦୁଇ କିଲୋମିଟର ରାସ୍ତା ନିର୍ମାଣ ନିମନ୍ତେ ଦୁଇ କୋଟିରୁ ଊର୍ଦ୍ଧ୍ୱ ଅର୍ଥ ବ୍ୟୟବରାଦରେ ଜଗତସିଂହପୁର ପୂର୍ତ୍ତ ବିଭାଗ ପକ୍ଷରୁ ଟେଣ୍ଡର କରାଯାଇଛି। ତେବେ ଟେଣ୍ଡର ଚୁକ୍ତି ଅନୁଯାୟୀ ଠିକାଦାର ସଠିକ୍ ଭାବେ କାର୍ଯ୍ୟ କରୁନଥିବା ନେଇ ସ୍ଥାନୀୟ ଅଞ୍ଚଳର ଯୁବ ସମାଜସେବୀ ସେକ୍ କରିମ୍ ଓ କୃଷ୍ଣାନନ୍ଦପୁର ଯୁବମୋର୍ଚ୍ଚା ପକ୍ଷରୁ ବିଭାଗୀୟ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ସେମାନେ କୌଣସି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି।
ଟେଣ୍ଡର ଅଟକଳ ଅନୁସାରେ ରାସ୍ତାର ଦୁଇ ପାର୍ଶ୍ୱକୁ ଚଉଡ଼ା କରିବା ପାଇଁ ଦୁଇ ଫୁଟ ଖୋଳାଯାଇ ବାଲି ଓ ମେଟାଲ୍ ପକାଇ କାମ କରିବା ନିମନ୍ତେ ଏଷ୍ଟିମେଟ୍ ରହିଛି। ହେଲେ ଠିକାଦାର ଉପରେ ଉପରେ କେବଳ ୬ ଇଞ୍ଚ ତାଡ଼ି ଦେଇ ବାଲି ବିଛାଇ ରାସ୍ତା କାମ ସାରିଦେବାକୁ ମସୁଧା ଚଳାଇଥିବା ଯୁବମୋର୍ଚ୍ଚାର ସଦସ୍ୟମାନେ ଅଭିଯୋଗ କରିଛନ୍ତି। ଏହି ରାସ୍ତା ଦେଇ ଦୈନିକ ଶହ ଶହ ଛୋଟବଡ଼ ଯାନବାହାନ ସମେତ ବହୁ ସଂଖ୍ୟାରେ ଯାତ୍ରୀବାହୀ ବସ୍ ଓ ସ୍କୁଲ୍ ପିଲାଙ୍କ ବସ୍ ଯାତାୟାତ କରୁଥିବା ଦେଖାଯାଇଛି। ଅପରପକ୍ଷରେ, ଖରାଦିନେ ପାଇକା ନଦୀର ପାଣି ଶୁଖିଗଲେ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଇ ଏହି ରାସ୍ତା ଦେଇ ବହୁ ସଂଖ୍ୟକ ବାଲି ବୋଝେଇ ହାଇୱା ଯାତାୟାତ କରିଥାଏ। ଏହି ଅଞ୍ଚଳରେ ଏକ ବଡ଼ ସ୍ୱାସ୍ଥ୍ୟକେନ୍ଦ୍ର ମଧ୍ୟ ରହିଛି ଏବଂ କୃଷ୍ଣାନନ୍ଦପୁର ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ରାସ୍ତାଟି ଗୋପାଳପୁର ଶଙ୍ଖେଶ୍ୱର ପର୍ଯ୍ୟନ୍ତ ସଂଯୋଗ ହୋଇଛି। ଏଭଳି ଅତ୍ୟନ୍ତ ନିମ୍ନମାନର ରାସ୍ତା ନିର୍ମାଣ କରାଗଲେ ତାହା ଖୁବ୍ କମ୍ ଦିନରେ ନଷ୍ଟ ହୋଇଯିବ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ ଉଠାଇଛନ୍ତି।
ମହାନଦୀ ଉପରେ ଜଇପୁରଠାରେ ପୋଲ ନିର୍ମାଣ ହୋଇଯିବା ଫଳରେ ଚତୁର୍ଦ୍ଦିଗକୁ ଯାତାୟାତ ତଥା ସଂଯୋଗୀକରଣରେ ବେଶ୍ ସୁବିଧା ହୋଇପାରିଛି ଏବଂ ଏହି ଜଇପୁର-କଟିକଟା ରାସ୍ତା ସ୍ଥାନୀୟ ଅଞ୍ଚଳର ଏକ ମୁଖ୍ୟ ରାସ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ଜନସାଧାରଣଙ୍କ ଟିକସ ପଇସାରେ ସରକାର ସମ୍ପୃକ୍ତ ବିଭାଗ ଜରିଆରେ ରାସ୍ତା ନିର୍ମାଣ କରାଉଛନ୍ତି; ମାତ୍ର ଠିକାଦାର ଏବଂ ବିଭାଗୀୟ ଅଧିକାରୀ ମିଳିମିଶି ଏହି ସରକାରୀ ଅର୍ଥକୁ ଚଳୁ କରିବା ପାଇଁ ହୀନ ଉଦ୍ୟମ ଚଳାଇଥିବା ନେଇ ଯୁବମୋର୍ଚ୍ଚା ପକ୍ଷରୁ ଗଭୀର ସନ୍ଦେହ ପ୍ରକାଶ ପାଇଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ନିର୍ମାଣ ଉପରେ ଦୃଷ୍ଟି ଦେଇ ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଗୁଣାତ୍ମକ କାର୍ଯ୍ୟ କରିବା ପାଇଁ ଯୁବ ସମାଜସେବୀ ସେକ୍ କରିମ୍ ଓ କୃଷ୍ଣାନନ୍ଦପୁର ଯୁବମୋର୍ଚ୍ଚା ପକ୍ଷରୁ ଜୋରଦାର ଦାବି କରାଯାଇଛି।
ଏହି ଅଭିଯୋଗ ପରେ ରାସ୍ତା କାର୍ଯ୍ୟର ତଦନ୍ତ ପାଇଁ କ୍ୱାଲିଟି କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ ଅଧିକାରୀମାନେ ପହଞ୍ଚି ରାସ୍ତାର ମାନ ଯାଞ୍ଚ କରିଥିଲେ ଏବଂ ଅନିୟମିତତା କରୁଥିବା ଠିକାଦାରଙ୍କୁ ତାଗିଦ୍ କରିବା ସହିତ ନିୟମାନୁଯାୟୀ ସଠିକ୍ ଭାବେ ରାସ୍ତା କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଗତକାଲି ୧ ତାରିଖ ବିଳମ୍ବିତ ରାତିରେ ଠିକାଦାର ମେସିନ୍ ସାହାଯ୍ୟରେ ପୁରୁଣା ପିଚୁକୁ ତାଡ଼ି ଫୋପାଡ଼ିବା ପରିବର୍ତ୍ତେ ସେହି ପୁରୁଣା ପିଚୁକୁ ପୁଣି ରାସ୍ତାରେ ମିଶାଇ ଦେଇଥିଲେ। ସେହି ଅଞ୍ଚଳର କେତେକ ଯୁବକ ଘଟଣାସ୍ଥଳରେ ଉପସ୍ଥିତ ରହି ଏହାର ପ୍ରମାଣ ସ୍ୱରୂପ ଫଟୋ ଏବଂ ଭିଡିଓ ଉତ୍ତୋଳନ କରି ବିଭାଗୀୟ ଉଚ୍ଚ ପଦାଧିକାରୀଙ୍କ ନିକଟକୁ ପଠାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ପକ୍ଷରୁ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ସେମାନେ ପ୍ରକାଶ କରିଛନ୍ତି।
ଠିକାଦାର, ବିଭାଗୀୟ ଅଧିକାରୀ ଏବଂ ସ୍ଥାନୀୟ ରାଜନେତାଙ୍କ ମଧୁଚନ୍ଦ୍ରିକା ତଥା ମିଳାମିଶାରେ ହିଁ ଏହି ରାସ୍ତା ନିର୍ମାଣ କାର୍ଯ୍ୟରେ ଏଭଳି ବ୍ୟାପକ ଅନିୟମିତତା ଚାଲିଥିବା ନେଇ ସାଧାରଣରେ ତୀବ୍ର ଆଲୋଚନା ହେଉଛି। ଜନପ୍ରତିନିଧିମାନେ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କୁ ସୁରକ୍ଷା ଦେଇ କାମର ଏଷ୍ଟିମେଟ୍ ତଥା ଏଗ୍ରିମେଣ୍ଟରୁ ଦୁଇ ପ୍ରତିଶତ ପିସି ବା ବଟି ନେଉଥିବାରୁ ହିଁ ଠିକାଦାର ନିର୍ଭୟରେ ଏଭଳି ନିମ୍ନମାନର କାମ କରୁଥିବା ସ୍ଥାନୀୟ ଅଞ୍ଚଳରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କାର୍ଯ୍ୟରେ ସରକାରୀ ରାଜକୋଷର ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହେଉଥିବା ବେଳେ ତୁରନ୍ତ କାର୍ଯ୍ୟ ବନ୍ଦ ରଖି ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଲୋକେ ଦୃଢ଼ ଦାବି କରିଛନ୍ତି। ଏହି ରାସ୍ତା ନିର୍ମାଣରେ ହେଉଥିବା ବ୍ୟାପକ ଦୁର୍ନୀତି ଓ ଅନିୟମିତତାର ନିରପେକ୍ଷ ଭିଜିଲାନ୍ସ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ଜୋର୍ ଧରିଛି।
