ଆଜି ଭାରତ-ପାକିସ୍ତାନ ଟକ୍କର

ଖେଳ ଦେଶବିଦେଶ
Spread the love

ଦୁବାଇ, ୨୮/୯: ଯାହା ୪୧ ବର୍ଷ ଭିତରେ ହୋଇ ନଥିଲା, ତାହା ମାତ୍ର କିଛି ଘଣ୍ଟା ପରେ ହେବାକୁ ଯାଉଛି। ଗତ ୧୬ ସଂସ୍କରଣର ୧୬ଟି ଫାଇନାଲ୍‌ରେ ‌ଯେଉଁ ମହାଯୁଦ୍ଧକୁ କ୍ରିକେଟ୍‌ପ୍ରେମୀ ଦେଖି ନଥିଲେ, ତାହା ଶେଷରେ ଦୁବାଇରେ ଦେଖିବାକୁ ମିଳିବ। ଏସିଆ କପ୍‌ର ଫାଇନାଲ୍‌ରେ ପ୍ରଥମ ଥର ଲାଗି ଦୁଇ ପୁରୁଣା ପ୍ରତିଦ୍ବନ୍ଦ୍ବୀ ଭାରତ-ପାକିସ୍ତାନ ମୁହାଁମୁହିଁ ହେବେ। ଏହି ଟ୍ରଫି ଟକ୍କର ଉପରେ ସମଗ୍ର କ୍ରିକେଟ୍ ଦୁନିଆର ନଜର ରହିଛି। ଚର୍ଚ୍ଚା, ସହର ବଜାରଠାରୁ ଆରମ୍ଭ କରି ଗଳି କନ୍ଦି ପର୍ଯ୍ୟନ୍ତ ବ୍ୟାପିଛି। ସବୁଠି ଏହି ମ୍ୟାଚ୍‌କୁ ନେଇ ହେଉଛି ଆଲୋଚନା ଓ ପର୍ଯ୍ୟାଲୋଚନା। ସେଥିପାଇଁ ସୁପର୍‌ ସନ୍‌ଡେର ଏହି ସୁପର୍ ମୁକାବିଲା କେବଳ ଆଉ ଏକ କ୍ରିକେଟ୍ ମ୍ୟାଚ୍‌ରେ ସୀମିତ ରହିନାହିଁ। ରବିବାର ପୁଣି ଥରେ ବିଜୟର ସେହି ମିଠାମିଠା ସ୍ବାଦ ଚାଖିବାକୁ ଲକ୍ଷ୍ୟ ରଖିଛି ସୂର୍ଯ୍ୟକୁମାରଙ୍କ ଅପରାଜେୟ ସେନା। ଚିର ଶତ୍ରୁ ଦଳକୁ ଲଗାତାର ତୃତୀୟ ଥର ହରାଇ ୧୪୫ କୋଟି ଭାରତୀୟଙ୍କୁ ଆଗୁଆ ଦଶହରା ଭେଟି ଦେବାର ଆଶାରେ ଅଛି। ରବିବାର ରାତି ୮ଟାରୁ ଭାରତୀୟ କ୍ରିକେଟ୍ ଦଳ ଏହି ବହୁ ପ୍ରତୀକ୍ଷିତ ମହାଲଢ଼େଇକୁ ଓହ୍ଲାଇବ। ଅଭିଷେକ ଶର୍ମା-ସାହିନ ଶାହ ଆଫ୍ରିଦି, ଶୁବମନ୍ ଗିଲ୍‌-ହାରିସ୍ ରୌଫ, ମହମ୍ମଦ ନୱାଜ-ହାର୍ଦିକ ପାଣ୍ଡ୍ୟାଙ୍କ ଭଳି କେତେକ ବ୍ୟକ୍ତିଗତ ଲଢ଼େଇ ବି ପ୍ରଶଂସକଙ୍କ ମନ ଜିତିବ। ଭାରତ ନବମ ଥର ଏବଂ ପାକିସ୍ତାନ ତୃତୀୟ ଥର ଏସିଆ କପ୍ ଟ୍ରଫି ଜିତିବା ପାଇଁ ଲଢ଼ିବେ। ଭାରତର ଏହା ଦ୍ବାଦଶ ଏବଂ ପାକିସ୍ତାନର ଷଷ୍ଠ ଏସିଆ କପ୍ ଫାଇନାଲ୍ ହେବ। ୨୦୦୭ ମସିହାର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍ ପରଠାରୁ ଭାରତ-ପାକିସ୍ତାନ ଏହି ଫର୍ମାଟ୍‌ରେ ୧୫ ଥର ଲଢ଼ିଛନ୍ତି। ସେଥିମଧ୍ୟରୁ ଭାରତ ୧୨ଟି ଏବଂ ପାକିସ୍ତାନ ମାତ୍ର ୩ଟି ଜିତିଛି। ତେବେ ପାକିସ୍ତାନ ୩ଟିରୁ ୨ଟି ବିଜୟ ଦୁବାଇରେ ପାଇଛି।

Leave a Reply

Your email address will not be published. Required fields are marked *