ହନିଟ୍ରାପ୍‌ ରାକେଟ୍‌: ବନ୍ଧାହେଲେ ସାମ୍ବାଦିକ, ଖସିଗଲା ପୁଲିସ

ଅପରାଧ ଜିଲା ଖବର ଯାଜପୁର ରାଜ୍ୟ
Spread the love


ଯାଜପୁର,୨୫/୯: ବଡ଼ଚଣା ଥାନାରେ ବ୍ୟବସାୟୀଙ୍କୁ ବେଆଇନ ଭାବେ ଥାନାରେ ଅଟକ ରଖିବା ଘଟଣାରେ ହନିଟ୍ରାପ୍‌ ରାକେଟ୍‌ର ସମ୍ପୃକ୍ତି ରହିଥିଲା। ଗତକାଲି କଟକ ପୁଲିସ ଏହାର ପର୍ଦ୍ଦାଫାସ କରିବା ସହ ରାକେଟ୍‌ରେ ସାମିଲ ଥିବା ଶୁଭାଶିଷ ସାମନ୍ତରାୟ ନାମକ ଜଣେ ସାମ୍ବାଦିକ, ହିମାଂଶୁ ଶେଖର ଲେଙ୍କା ନାମକ ଜଣେ ଚା ଦୋକାନୀ ଓ ସେମାନଙ୍କ ସହଯୋଗୀ ଭାବେ ଇତିଶ୍ରୀ ମହାନ୍ତି ନାମକ ମହିଳାଙ୍କୁ ଗିରଫ କରିଛି। ଆଜି ମଧ୍ୟ ଘଟଣାର ଅନ୍ୟତମ ଅଭିଯୁକ୍ତ ଭାବେ ଆଉ ଜଣେ ସାମ୍ବାଦିକ ଅସିତ ସାମଲକୁ ଗିରଫ କରାଯାଇଛି। ରାଜ୍ୟ ପୁଲିସର ଏଭଳି କାର୍ଯ୍ୟକୁ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି। ହନିଟ୍ରାପରେ ଶିକାର ହୋଇ ଅର୍ଥଦଣ୍ଡ ଭୋଗିଥିବା ପୀଡ଼ିତମାନେ ମଧ୍ୟ ଜଣକ ପରେ ଜଣେ ସାମ୍ନାକୁ ଆସି ସେମାନଙ୍କ କରୁଣ କାହାଣୀ କହିଛନ୍ତି। ଏଭଳି ଏକ ଭୟଙ୍କର ଷଡ଼୍‌ଯନ୍ତ୍ରରୁ ଉଦ୍ଧାର କରି ସରକାର ସେମାନଙ୍କୁ ନ୍ୟାୟ ଦେଇଥିବାରୁ ପୀଡ଼ିତ ଧନ୍ୟବାଦ ଜଣାଇଛନ୍ତି।

ତେବେ ଏହି ଘଟଣାରେ ସଂପୃକ୍ତ ଥିବା ତଥା ଚାକିରିରୁ ନିଲମ୍ବିତ ହୋଇଥିବା ବଡ଼ଚଣା ଥାନାର ପୂୂର୍ବତନ ଆଇଆଇସି ମଧୁସ୍ମିତା ବେହେରାଙ୍କୁ ପୁଲିସ କାହିଁକି ଗିରଫ କରିନାହିଁ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହନିଟ୍ରାପ୍‌ ରାକେଟ୍‌ରେ ଯେତିକି ଦାୟୀ, ସମପରିମାଣରେ ସେ ମଧ୍ୟ ଦାୟୀ ଥିଲେ। ନିଜ ଥାନା ସୀମା ଡେଇଁବା, ଅଭିଯୋଗର ତଦନ୍ତ ନକରିବା, ପୀଡ଼ିତଙ୍କ ପାଖରୁ ମଧ୍ୟସ୍ଥଙ୍କ ଜରିଆରେ ଟଙ୍କା କାରବାର କରିବା, ବିନା କାରଣରେ ଥାନା ଭିତରେ ଜଣେ ଔଷଧ ଦୋକାନୀଙ୍କୁ ଅଟକ ରଖି ମାନସିକ ନିର୍ଯାତନା ଦେବା ଭଳି ସଂଗୀନ ଅଭିଯୋଗ ରହିଛି। ରାଜ୍ୟ ପୁଲିସ ମହାନିର୍ଦେଶକ ଥାନା ଅଧିକାରୀଙ୍କ ବି‌ରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର୍‌ ଧରିଛି। ଏଭଳି ହୀନ କାର୍ଯ୍ୟରେ ଅଭିଯୁକ୍ତଙ୍କୁ ସହଯୋଗ କରି ପୁଲିସ ବିଭାଗର ମୁହଁ ତଳକୁ କରିଥିବା ମହିଳା ଥାନା ଅଧିକାରୀଙ୍କୁ ଏଯାଏ ଗିରଫ କରାଯାଇନାହିଁ। ଥାନା ଅଧିକାରୀଙ୍କ ସହିତ ଦୁଇ ସାମ୍ବାଦିକଙ୍କ ସଂପର୍କର ଖୋଳତାଡ଼ କରିବାକୁ ଏବେ ହନିଟ୍ରାପର ଶିକାର ପୀଡ଼ିତମାନେ ଦାବି କରିଛନ୍ତି। ଏଥିରେ ଆଉ କିଛି ଥାନାର ସଂପୃକ୍ତି କଥା ମଧ୍ୟ ଚର୍ଚ୍ଚାକୁ ଆସିଲାଣି।

ସୂଚନାଯୋଗ୍ୟ, ଏହି ହନିଟ୍ରାପ୍‌ ରାକେଟ୍‌ରେ ଶିକାର ହୋଇଥିବା ଔଷଧ ବ୍ୟବସାୟୀଙ୍କ ପରିବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରୁ ଆରମ୍ଭ କରି ରାଜ୍ୟ ଗୃହ ବିଭାଗ, ପୁଲିସ ଡିଜି, କଟକ ଜିଲ୍ଲା ପୁଲିସ ଓ ଯାଜପୁର ଜିଲ୍ଲା ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏପରିକି ମାନବାଧିକାର କମିସନରେ ମଧ୍ୟ ଏନେଇ ମାମଲା ରୁଜୁ କରାଯାଇଛି। ତେବେ ଗୃହ ବିଭାଗର ନିର୍ଦ୍ଦେଶରେ ଯାଜପୁର ଏସ୍‌ପି ବଡ଼ଚଣା ଥାନାରୁ ପ୍ରଥମେ ଇନ୍ସପେକ୍ଟର ମଧୁସ୍ମିତା ବେହେରାଙ୍କ ବଦଳି ଓ ପରବର୍ତ୍ତୀ ସମୟରେ ନିଲମ୍ବନ କରି କାର୍ଯ୍ୟାନୁଷ୍ଠାନ ସାରି ଦେଇଥିଲେ। ସେପଟେ ହନିଟ୍ରାପ୍‌ ରାକେଟ୍‌ରେ ଥିବା ଅନ୍ୟ ଅଭିଯୁକ୍ତମାନେ ପୀଡ଼ିତ ପରିବାର ଲୋକଙ୍କୁ ବିଭିନ୍ନ ଷଡ଼୍‌ଯନ୍ତ୍ର‌ରେ ଫସାଇ ଆଇନର ଜାଲ‌ରେ ଛନ୍ଦିବାକୁୁ ଚେଷ୍ଟା କରିଥିବା ବେଳେ ପୁଲିସ ସେଥିପ୍ରତି ଧ୍ୟାନ ଦେଇନଥିଲା।

କଟକ ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ ହୋଇ ରାକେଟ୍‌ର ପର୍ଦ୍ଦାଫାସ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏଥିରେ ଇନ୍ସପେକ୍ଟର ମଧୁସ୍ମିତାଙ୍କ ସମ୍ପୃକ୍ତି ରହିଥିଲା ବୋଲି ମଧ୍ୟ ପରୋକ୍ଷରେ ସ୍ବୀକାର କରାଯାଇଛି। ତେଣୁ ଗିରଫ ତାଲିକାରେ ତାଙ୍କ ନାଁ କେବେ ଆସିବ ସେନେଇ ପ୍ରଶ୍ନ ଉଠିଛି। କାରଣ ଜୁନ୍‌ ୨୪ ତାରିଖରେ ଯେଉଁ ମହିଳା ଯାଜପୁର ଜିଲ୍ଲା ବଡ଼ଚଣା ଥାନାରେ ଅସଦାଚରଣ ଅଭିଯୋଗ କରିଥିଲେ, ସେ କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳର ବାସିନ୍ଦା ହୋଇଥିବା ବେଳେ ନିଶ୍ଚିନ୍ତକୋଇଲି ଥାନା ଅଧୀନ କଟିକଟା ବଜାରକୁ ଆସି ଅସଦାଚରଣର ଶିକାର ହୋଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଥିଲେ।

Leave a Reply

Your email address will not be published. Required fields are marked *