ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଏକବିଂଶ ଅଧ୍ୟାୟ: ବିରିତୋଳର ପ୍ରାଚୀନ ଝଙ୍କେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ

ରାଜ୍ୟ
Spread the love

ଝଙ୍କଡ଼, ୩/୧୧: ମାଟିମନସ୍କ ଐତିହ୍ୟାନୁରାଗୀ ବନ୍ଧୁମାନଙ୍କୁ ନେଇ ଜଗତସିଂହପୁର ଐତିହ୍ୟ ପଦଯାତ୍ରାର ଏକବିଂଶତମ ଅଧ୍ୟାୟ ବେଶ୍ ଉତ୍ସାହ ଏବଂ ଉଦ୍ଦୀପନାର ସହିତ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ ଐତିହ୍ୟ ପଦଯାତ୍ରୀଗଣ ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଗ୍ରାମର ଐତିହାସିକ ଝଙ୍କେଶ୍ୱର ମହାଦେବ ମନ୍ଦିର ପରିଦର୍ଶନ କରିଥିଲେ। ପ୍ରାଚୀନତା ଦୃଷ୍ଟିରୁ ବିଚାର କଲେ ଏହି ମନ୍ଦିରଟି ଝଙ୍କଡ଼ର ମା’ ଶାରଳା ମନ୍ଦିରର ସମସାମୟିକ ମନେହୁଏ। ମାତ୍ର ବର୍ତ୍ତମାନ ଦଣ୍ଡାୟମାନ ଥିବା ମନ୍ଦିରଟି ଏକ ଆଧୁନିକ ନିର୍ମାଣ ଅଟେ।

ଏହି ଝଙ୍କେଶ୍ୱର ମହାଦେବ ମନ୍ଦିରରେ ଉମା-ମହେଶ୍ୱରଙ୍କ ଏକ ଅତି କମନୀୟ ପ୍ରସ୍ତର ବିଗ୍ରହ ସହିତ ପାର୍ଶ୍ୱ ଦେବଦେବୀ ରୂପେ ଅଜୈକପାଦ ଭୈରବ, ମହିଷାମର୍ଦ୍ଦିନୀ ଦୁର୍ଗା, ଆସ୍ତିକ-ଜରତ୍କାରୁ, ଗଣେଶ, କାର୍ତ୍ତିକେୟ ଏବଂ ଦେବୀ ପାର୍ବତୀଙ୍କ ପ୍ରାଚୀନ କୀର୍ତ୍ତିରାଜି ସମ୍ବଳିତ ବିଗ୍ରହମାନ ଦେଖିବାକୁ ମିଳିଥାଏ। ଏସବୁ ପ୍ରାଚୀନ ମୂର୍ତ୍ତିକଳା ଓଡ଼ିଶାର ଉତ୍କୃଷ୍ଟ ଭାସ୍କର୍ଯ୍ୟ କଳାର ଜ୍ୱଳନ୍ତ ନିଦର୍ଶନ ବହନ କରେ।

ତେବେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶାରଳା ମନ୍ଦିରର ମୁଖ୍ୟ ପୂଜକ ରଞ୍ଜନ କୁମାର ପଣ୍ଡା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଝଙ୍କଡ଼ ପୀଠାଧୀଶ୍ୱରୀ ମାଆ ଶାରଳା, ଆଦିକବି ଶାରଳା ଦାସ, ନଣ୍ଡା ଦେଉଳ, ପବିତ୍ର ବୃଦ୍ଧାନଦୀ ଏବଂ ଝଙ୍କେଶ୍ୱର ମହାଦେବ ମନ୍ଦିରର ଐତିହାସିକ ଗୁରୁତ୍ୱ ସମ୍ପର୍କରେ ତଥ୍ୟସମ୍ବଳିତ ଅନେକ ଉପାଦେୟ ବିଷୟ ଉପସ୍ଥାପନ କରିଥିଲେ। ଏହି ଐତିହ୍ୟ ସମ୍ପର୍କରେ ଏକ ବିସ୍ତୃତ ଆଲୋଚନା ତାଙ୍କ ସ୍ୱରଚିତ ପୁସ୍ତକ “ଶ୍ରୀଚଣ୍ଡୀ ଶାରଳା ମାଦଳା”ରେ ମଧ୍ୟ ଦେଖିବାକୁ ମିଳେ।

ଏହି ଐତିହ୍ୟ ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠାନର ଯୁବ ସଂଗଠକ ଦେବାଶିଷ ପାତ୍ର, ସମ୍ବିତ ସିଂହ ଓ ତ୍ରିଲୋଚନ ସ୍ୱାଇଁଙ୍କ ପ୍ରତ୍ୟକ୍ଷ ସଂଯୋଜନାରେ ସଫଳତାର ସହିତ ସମ୍ପନ୍ନ ହୋଇଥିଲା। କାର୍ଯ୍ୟକ୍ରମରେ ଅଧ୍ୟାପକ ଭଗବାନ ଦାଶ, ସାମ୍ବାଦିକ ଶଶାଙ୍କ ଶେଖର ପଣ୍ଡା, ବିଶ୍ୱରଞ୍ଜନ ଦେହୁରୀ, ପ୍ରଦୀପ୍ତ ସୁନ୍ଦର ତଥା ଅନୁଷ୍ଠାନର ଆବାହକ ଶ୍ରୀକାନ୍ତ ସିଂହଙ୍କ ସମେତ କୁମାର ଶୁଭମ୍, ଦିନେଶ ସ୍ୱାଇଁ, ରତିରଞ୍ଜନ ପଣ୍ଡା, ଜିନୋଦ ମହାନ୍ତି, ସ୍ୱାଧୀନ, କୁନ୍ଦନ, ସୌରଭ ପ୍ରମୁଖ ସକ୍ରିୟ ଭାବେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ।

ଜଗତସିଂହପୁର, କଟକ, ଭୁବନେଶ୍ୱର ଆଦି ବିଭିନ୍ନ ଅଞ୍ଚଳରୁ ପ୍ରାୟ ତିରିଶ ଜଣ ଐତିହ୍ୟାନୁରାଗୀ ବନ୍ଧୁ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଆଗାମୀ ଦିନରେ ଅଞ୍ଚଳର ଲୁକ୍କାୟିତ ପ୍ରାଚୀନ ଐତିହ୍ୟ ଓ ଲୋକକଳାକୁ ଲୋକଲୋଚନକୁ ଆଣିବା ସହ ଏହାର ସଂରକ୍ଷଣ ନିମନ୍ତେ ଏହି ପଦଯାତ୍ରା ନିରନ୍ତର ଜାରି ରହିବ ବୋଲି ଆୟୋଜକଙ୍କ ପକ୍ଷରୁ ପ୍ରକାଶ କରାଯାଇଛି।

Leave a Reply

Your email address will not be published. Required fields are marked *