ଆଉ ଅଳ୍ପ ଦିନ ପରେ ଆସିବ ବର୍ଷା ଋତୁ। ବର୍ଷା ଋତୁ ଆସିଲେ କଟକ ସହରବାସୀଙ୍କ ଚିନ୍ତା ବଢ଼ିଯାଏ। କାରଣ ବର୍ଷା ଦିନେ ସହରରେ ଦେଖାଯାଏ ଜଳବନ୍ଦୀ ସମସ୍ୟା। ଜଳବନ୍ଦୀ ଯୋଗୁ ସାଧାରଣ ଜନଜୀବନ ସାଂଘାତିକ ଭାବେ ପ୍ରଭାବିତ ହୋଇଥାଏ।
ଚଳିତ ବର୍ଷ ମୌସୁମୀ ବାୟୁ ଆସିବା ପୂର୍ବରୁ କଟକ ସହରବାସୀ ଜଳବନ୍ଦୀ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି। କାରଣ ସହରର ନାଳନର୍ଦ୍ଦମାଗୁଡ଼ିକରୁ ଅଳିଆ-ଆବର୍ଜନା ଓ ପଙ୍କ ବାହାର କରିବା କାର୍ଯ୍ୟ ଶେଷ ହୋଇନାହିଁ। ଏପର୍ଯ୍ୟନ୍ତ ପଙ୍କ କଢ଼ାଯିବା କାର୍ଯ୍ୟ ୫୦% ଶେଷ ହୋଇନଥିବା ଅଭିଯୋଗ କରିଛନ୍ତି ସହରର ୩୩ ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରଦୀପ ସାହୁ।
ସେ କହିଛନ୍ତି ଯେ ପ୍ରତି ମାସରେ ପଙ୍କ ବାହାର କରାଯିବା କଥା। କିନ୍ତୁ ଏହାକୁ ତିନି ମାସରେ ଥରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ହେଲେ ମୌସୁମୀ ବର୍ଷା ଆସୁଥିବା ବେଳେ ଏ ପର୍ଯ୍ୟନ୍ତ ଏହି କାର୍ଯ୍ୟ ଶେଷ ହୋଇପାରିଲା ନାହିଁ। ଏମିତିକି ତାଙ୍କ ନିଜ ୱାର୍ଡରେ ଥିବା ଡ୍ରେନ୍ଗୁଡ଼ିକରୁ ପଙ୍କ ବାହାର କରିବା ପାଇଁ ସେ ବାରମ୍ବାର ସଫେଇ ସଂସ୍ଥାକୁ କହିଲେ ମଧ୍ୟ ସେମାନେ ଶୁଣୁନାହାନ୍ତି।
ସବୁଠାରୁ ବଡ଼ କଥା ହେଉଛି, ସହରର ଜଳବନ୍ଦୀ ସମସ୍ୟାକୁ ଦୂର କରିବା ପାଇଁ ଯେଉଁ ବକ୍ସ ଡ୍ରେନ ନିର୍ମାଣ କରାଯାଇଥିଲା, ତାହା ଅଳିଆ-ଆବର୍ଜନାରେ ଭର୍ତ୍ତି ହୋଇଯାଇଛି। ନା ତା’ ଭିତରୁ ଅଳିଆ-ଆବର୍ଜନା ବାହାର କରାଯାଇ ପାରୁଛି ନା ପଙ୍କ କଢ଼ାଯାଇପାରୁଛି। ବକ୍ସଡ୍ରେନ ଭିତରୁ ଅଳିଆ-ଆବର୍ଜ୍ଜନା ବାହାର କରିବା ପାଇଁ ସୁପର ସେକର ମେସିନ ଏକମାତ୍ର ଭରସା। ଏହି ମେସିନ ସାହାଯ୍ୟରେ କିଛି ପରିମାଣରେ ଅଳିଆ ଆବର୍ଜ୍ଜନା ବାହାରୁଥିବା ବେଳେ ପଙ୍କୋଦ୍ଧାର ହୋଇପାରୁନାହିଁ ବୋଲି କୁହାଯାଉଛି।
କଟକ ମହାନଗର ନିଗମ (CMC)ର ୫୯ଟି ୱାର୍ଡରେ ଥିବା ସମସ୍ତ ଛୋଟବଡ଼ ଡ୍ରେନ୍ରୁ ପଙ୍କ ବାହାର କରିବା ପାଇଁ ତଥା ବକ୍ସ ଡ୍ରେନ୍ର ସଫେଇ ପାଇଁ ଘରୋଇ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ସିଏମ୍ସି ମେୟର ସୁବାସ ସିଂହ କହିଛନ୍ତି ଯେ ମୌସୁମୀର ମୁକାବିଲା ପାଇଁ ସିଏମ୍ସି ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି। ପଙ୍କ ବାହାର କରିବା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବକ୍ସଡ୍ରେନ ସଫେଇ କାମ ମଧ୍ୟ ଜାରି ରହିଛି। ଯେଉଁ ସ୍ଥାନରେ ପାଣି ନିଷ୍କାସନ ହୋଇପାରେ ନାହିଁ ସେଠାରେ ଭଲଭୋ ପମ୍ପସେଟ ବ୍ୟବସ୍ଥା କରାଯିବ।
ସେ କହିଛନ୍ତି, ବର୍ଷା ହେଲେ ସହରରେ ଜଳବନ୍ଦୀ ହୁଏ। ତେବେ କିପରି ତୁରନ୍ତ ଜଳ ନିଷ୍କାସନ କରାଯାଇପାରିବ, ସେ ନେଇ ବ୍ୟବସ୍ଥା କରାଯିବ। ସହରରେ ପୂର୍ବଭଳି ଜଳବନ୍ଦୀ ସମସ୍ୟା ହେବ ନାହିଁ।
ବର୍ଷା ଯୋଗୁ ଉପୁଜୁଥିବା ସ୍ଥିତିର ମୁକାବିଲା ପାଇଁ ପ୍ରତିବର୍ଷ ସିଏମସି ପଦକ୍ଷେପ ନିଆଯାଇଛି ବୋଲି କହିଥାଏ। କିନ୍ତୁ ପ୍ରତ୍ୟେକ ବର୍ଷ ସହରରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥାଏ। ଚଳିତ ବର୍ଷ ଏହି ସମସ୍ୟାର ସମାଧାନ କେତେ ହୋଇପାରୁଛି, ତାହା ଆଗାମୀ ଦିନରେ ଜଣାପଡ଼ିବ।
ସୂଚନାଯୋଗ୍ୟ, ରାଜ୍ୟରେ ବିଗତ କିଛିଦିନ ଧରି ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଲିସ ବିଫଳ ହୋଇଥିବାବେଳେ ସରକାରଙ୍କୁ ବେଶ୍ ସମାଲୋଚିତ ହେବାକୁ ପଡ଼ୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଚଳିତମାସ ୯ ତାରିଖ ଓ ୧୪ତାରିଖରେ ଦୁଇଥର ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିର ଉଚ୍ଚସ୍ତରୀୟ ସମୀକ୍ଷା କରି ପୁଲିସକୁ କଡ଼ା ଭାଷାରେ ଚେତାବନୀ ଦେଇଥିଲେ। ଆଜି ପୁଣିଥରେ ପୁଲିସ ଡିଜି ଓ ଗୃହ ସଚିବଙ୍କ ସହ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନାକୁ ପ୍ରଶାସନିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି।
ରାଜ୍ୟର ବିଜେପି ସରକାର ଆଉ ଦୁଇ ସପ୍ତାହପରେ ନିଜର ଦୁଇବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଥିବାବେଳେ ଆଇନଶୃଙ୍ଖଳା ପରିସ୍ଥିତି ସରକାରଙ୍କ ଚିନ୍ତା ବଢ଼ାଇଛି।
