Img 20250519 Wa0023 750x430

ଦୂଷିତ ପାଣିରେ ସ୍ନାନ କରୁଛନ୍ତି ବାବାମଣି, ପ୍ରଶାସନର ଚିନ୍ତା ନାହିଁ

ରାଜ୍ୟ
Spread the love

ଆରଡି: ଗ୍ରୀଷ୍ମର ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡିପୀଠରେ ଏହା ପ୍ରହସନ ପାଲଟିଛି। ବ୍ଲକ ପ୍ରଶାସନ ପକ୍ଷରୁ ହାତ ଗଣତିରେ ଥିବା ୩ଟି ଜଳଛତ୍ର ଖୋଲାଯାଇଛି। ହେଲେ ଜଳଛତ୍ରରେ କେଉଁଠି ପାଣିବିନା ମାଠିଆ ଗଡୁଛି ତ ଆଉ କେଉଁଠି ମାଠିଆ କି ପାଣି ନାହିଁ। ଜଳଛତ୍ରରେ ଯେଉଁ ମାଠିଆ ବସାଯାଇଛି ତାର ଆକାର ଛୋଟ ଥିବାରୁ ୪\୫ଜଣଙ୍କର ଶୋଷ ମେଣ୍ଟାଇ ପାରୁନି। ସେହିପରି ବସୁଧା ଯୋଜନାରେ ଆସୁଥିବା ଭୂତଳ ଜଳ ସ୍ଥାନୀୟ ଲୋକଙ୍କ ଶୋଷ ମେଣ୍ଟାଇବା ତ ଦୂରର କଥା ଆଗନ୍ତୁକ ଭକ୍ତ ଓ ପର୍ଯ୍ୟଟକଙ୍କ ଶୋଷ ମେଣ୍ଟାଇ ପାରୁନାହିଁ। ଫଳରେ ଭକ୍ତ ଓ ସ୍ଥାନୀୟ ଲୋକ ବାବାମଣିଙ୍କ ଶିବଗଙ୍ଗା ପୁଷ୍କରିଣୀ ଦୂଷିତ ଜଳରେ ଶୋଷ ମେଣ୍ଟାଉଛନ୍ତି।
ମନ୍ଦିର ପ୍ରାଙ୍ଗଣରେ ଥିବା ନଳକୂପ ୨ମାସ ହେବ ଅଚଳ ହୋଇ ପଡିଥିବା ବେଳେ ପୁଷ୍କରିଣୀ ମଧ୍ୟକୁ ନଦୀର ଜୁଆର ପାଣି ଆସୁନଥିବାରୁ ଦୂଷିତ ପାଣିରେ ବାବାମଣିଙ୍କ ସ୍ନାନ (ଜଳାଭିଷେକ) ସହ ଘର୍ଷଣ ଓ ନୀତିଭୋଗ ପ୍ରସ୍ତୁତ ହେଉଛି। ଏବେ ପୁଷ୍କରିଣୀର ଜଳ ନୀଳ ପଡିଯାଇ ଅନାବନା ପତ୍ର ଓ ପଲିଥିନ ଭାସୁଛି। ଆସୁଥିବା ଭକ୍ତ ପ୍ରଥମେ ମନ୍ଦିର ଯିବା ପୂର୍ବରୁ ପୁଷ୍କରିଣୀ ଜଳରେ ସ୍ନାନ, ଶୌଚ କରି ଯାଇଥାନ୍ତି। ହେଲେ ପୁଷ୍କରିଣୀ ପାଣି ଏତେ ଦୂର୍ଗନ୍ଧମୟ ଯାହାକି ସ୍ନାନ କରିବା ତ ଦୂରର କଥା ନାକରେ ଦେଇହେବ ନାହିଁ। ମନ୍ଦିର ପ୍ରଶାସନ ପକ୍ଷରୁ ବସୁଧା ଯୋଜନାରୁ ମଟର ଯୋଗେ ୨ଟି ଟାଙ୍କିରେ ପାଣି ରଖୁଥିଲେ ମଧ୍ୟ ଟାଙ୍କି ସଫା ହେଉନଥିବାରୁ ତାହା ପିଇବା ପାଇଁ ଅନୁପଯୋଗୀ ହୋଇପଡିଛି। ସୋମବାର ଓ ପୂଜାପର୍ବାଣୀରେ ପୀଠରେ ନାହିଁନଥିବା ଭକ୍ତଙ୍କ ସମାଗମ ହେଉଛି। ହେଲେ ଆବଶ୍ୟକତା ଅନୁଯାୟୀ ପିଇବାପାଣିର ବ୍ୟବସ୍ଥା ନଥିବାରୁ ଶୋଷ ମେଣ୍ଟାଇବା ପାଇଁ ଭକ୍ତଙ୍କ ମଧ୍ୟରେ ହାହାକାର ଦେଖାଦେଉଛି। ପିଇବା ପାଣି ପାଣି ଟୋପାଏ ପାଇଁ ମନ୍ଦିର ଠାରୁ ୩/୪ଶହ ମିଟର ଯିବାକୁ ପଡୁଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି। ବସୁଧା ଯୋଜନାରେ ଆସୁଥିବା ଭୂତଳଜଳ ଅନେକ ସାହିକୁ ଯାଉନାହିଁ ଫଳରେ ପିଇବା ପାଣିର ଘୋର ସଂକଟ ଦେଖାଦେଉଛି।

Leave a Reply

Your email address will not be published. Required fields are marked *