ଜଗତସିଂହପୁର/ଝଙ୍କଡ଼ : ବାଣୀ କ୍ଷେତ୍ର ଝଙ୍କଡ଼ ର ଅଧିଷ୍ଠାତ୍ରୀ ଦେବୀ ଉତ୍କଳ ଭାରତୀ ମା ସାରଳା ଠାକୁରାଣୀ ଙ୍କ ବରପୁତ୍ର ଯେଉଁ ସାରଳା ଦାସ ଙ୍କ ପାଇଁ, ଓଡ଼ିଆଜାତି ସମଗ୍ର ବିଶ୍ୱରେ ପରିଚିତ ପ୍ରତିଷ୍ଠିତ ଓ ବିଶ୍ୱ ବନ୍ଦିତ ହେବା ସହିତ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି ଅଜି ସେଇ ସାରଳା ଦାସ ଙ୍କ ଐତିହାସିକ ସ୍ମୃତିସ୍ତମ୍ଭ କୁ ଭାଙ୍ଗି ଧୂଳିସାର୍ କରି ଦିଆଯାଇ ଥିବାରୁ ଚାରିଆଡ଼େ ତୀବ୍ର ନିନ୍ଦା କରାଯିବା ସହିତ ଯେତେ ଶୀଘ୍ର ଏହାର ପୁନଃ ନିର୍ମାଣ ପାଇଁ ଦାବୀ ହେଉଛି। ଆଦିକବି ସାରଳା ଦାସ ଙ୍କ ଶ୍ରାଦ୍ଧୋତ୍ସବ ପଲନ ନିମନ୍ତେ ଦୀର୍ଘ ୭ ଦଶନ୍ଧି ପୁର୍ବରୁ ଏଠାରେ ଗଢ଼ିଉଠିଥିବା ବାଣୀ ବିହାର ନାମକ ସାହିତ୍ୟ ଅନୁଷ୍ଠାନ ର ସଭାପତି ଉତ୍କଳକେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଦ୍ଵାରା ସାରଳା ମନ୍ଦିର ସମୁଖାରେ ୧୯୪୮ ମସିହା ମାଘଶୁକ୍ଲ ସପ୍ତମୀ ଫେବୃଆରୀ ୧୫ ତାରିଖ ଦିନ ପ୍ରତିଷ୍ଠା କରାଯାଉଥିଲା ଏହି ସ୍ମୁତିସ୍ତମ୍ଭ। ସାରଳା ପୀଠକୁ ଆସୁଥିବା ସମସ୍ତ ମାନ୍ୟଗଣ୍ୟ ବିଶିଷ୍ଟବ୍ୟକ୍ତି ମାନେ, ମାଆ ସାରଳା ଙ୍କ ଦର୍ଶନ କରିବା ପରେ ଏହି ସ୍ମୁତିସ୍ତମ୍ଭ ରେ ମାଲ୍ୟାର୍ପଣ କରିଥାଆନ୍ତି। ସେହି ଦିନ ଠାରୁ ଅଜିପର୍ଯ୍ୟନ୍ତ୍ ଏହି ସ୍ତମ୍ଭ କୁ କେନ୍ଦ୍ରକରି ପ୍ରତିବର୍ଷ ଏଠାରେ ମାଘ ସପ୍ତମୀ ଦିନ ସାରଳା ଦାସ ଙ୍କ ଶ୍ରାଦ୍ଧୋତ୍ସବ ପାଳିତ ହୋଇ ଆସୁଅଚ୍ଛି। ମାତ୍ର ଘୋର ପରିତାପର ବିଷୟ ଏହି ଗାରିମାମୟ ସ୍ମୁତିସ୍ତମ୍ଭ କୁ ରାତିଅଧିଆ ଭାଙ୍ଗି ଦିଆ ଯାଇଥିବାରୁ ଏହା ସାରଳା ଦାସ ଙ୍କ ପାଇଁ ଘୋର ଅସମ୍ମାନ ଓ ଅପମାନ ବୋଲି ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ କୁ ଭାଙ୍ଗିଦେବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ। ଏଭଳି ହୀନକାର୍ଯ୍ୟକୁ କେବଳ ଆମ ଅଞ୍ଚଳର ଅଧିବାସୀ ନୁହଁନ୍ତି, ସାରା ରାଜ୍ୟର ସଂସ୍କୃତିପ୍ରେମୀ ଜନସାଧାରଣ ଦୁଃଖିତ ଓ ମର୍ମାହତ । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହିତ ଯୁଦ୍ଧ୍ୟ କାଳୀନ ଭିତ୍ତିରେ ଏ ମାଟିର ମହାକବି ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ର ପୁନଃ ନିର୍ମାଣ ର ଆବଶ୍ୟକ। ଓଡ଼ିଆ ଅସ୍ମିତା କୁ ବଜାୟ ରଖିବାକୁ ହେଲେ ଯେତେ ଶୀଘ୍ର ଏଥିପାଇଁ ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। – ସୁଶିଲ କୁମାର ସ୍ବାଇଁ , ପ୍ରାକ୍ତନ ପ୍ରଧାନଶିକ୍ଷକ

ବାଣୀ କ୍ଷେତ୍ର ଝଙ୍କଡ଼ ସାରଳା ପୀଠ ରେ ଯେଉଁ ଅବକ୍ଷୟ ହୋଇଚାଲିଚି ଏହାର ସ୍ଥାୟୀ ନିରାକରଣ ପାଇଁ ପ୍ରସାଶନିକ ତପ୍ତରତା ର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ହୋଇ ପଡିଛି। ଆଜି ସାରଳା ଦାସ ଙ୍କ ସ୍ମୁତିସ୍ତମ୍ଭ ଭାଙ୍ଗିବା ଅଘଟଣ କୁ ନେଇ ଏପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ କିଛିବି ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଯେତେ ଶୀଘ୍ର ଯଥାର୍ଥ ଅନୁଧ୍ୟାନ କରି ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦରକାର। – ଭାସ୍କର ଚନ୍ଦ୍ର ନାୟକ , ସଭାପତି ଶ୍ରୀରାମ ସେବା ପରିଷଦ, ଗୋବିନ୍ଦପୁର

ଯେତେବେଳେ ନିର୍ବାଚନ ଆସୁଚି, ସେତେବେଳେ ସବୁ ରାଜନୈତିକ ଦଳର ପ୍ରାର୍ଥୀ ମାନେ, ଜିଲ୍ଳାର ଅଧିଷ୍ଠାତ୍ରୀ ଦେବୀ ମା ସାରଳା ଙ୍କ ପୀଠକୁ ଆସି ମାଆଙ୍କ ପୂଜାର୍ଚ୍ଚନା କରି, ଆଶିର୍ବାଦ ଭିକ୍ଷା କରିଥାଆନ୍ତି। ମାତ୍ର ବିଜୟଲାଭ କଲାପରେ ଥର ଟିଏ ହେଲେ, ଏହି ସାରଳା ପୀଠର ଯଥାର୍ଥ ବିକାଶ ପାଇଁ ଆଦୌ ଧ୍ୟାନ୍ ଦିଅନ୍ତି ନାହିଁ। ଆଜି ସାରଳା ପୀଠର ଐତିହ୍ୟ ସଂସ୍କୃତି ଉଜୁଡ଼ି ଯାଉଥିବା ବେଳେ ଆମ ଜିଲ୍ଲାର କରିତକର୍ମା ନେତା ମାନେ ଯଦି ପ୍ରକୃତରେ ଟିକେ ଦୃଷ୍ଟି ଦିଅନ୍ତେ ତେବେ ହୁଏତ ଏହି ମହାନ ଐତିହ୍ୟ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ହୋଇ ପାରନ୍ତା !! – ତ୍ରିଲୋଚନ ରାଉଳ, ବରିଷ୍ଠ ସେବାୟତ ସାରଳା ମନ୍ଦିର
