Faa

ଦଲାଇଲାମାଙ୍କ ଉତ୍ତରାଧିକାରୀ ବାଛିବାର ଅଧିକାର ତାଙ୍କ ନିଜର: ଭାରତ

ଦେଶବିଦେଶ
Spread the love

ନୂଆଦିଲ୍ଲୀ: ନିର୍ବାସିତ ତିବ୍ବତୀୟ ଆଧ୍ୟାତ୍ମିକ ନେତା ଦଲାଇଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଦ୍ବନ୍ଦ୍ବ ଉପୁଜିଥିବା ବେଳେ ଗୁରୁବାର ଦିନ ଭାରତ ଚୀନର ଦାବି ଉପରେ ଏକ ଦୃଢ଼ ଆପତ୍ତି ଉଠାଇଛି। ଭାରତ କହିଛି ଯେ ଦଲାଇଲାମାଙ୍କ ଉତ୍ତରାଧିକାରୀ କିଏ ହେବ; ତା’ର ନିଷ୍ପତ୍ତି କେବଳ ତାଙ୍କ ନିଜସ୍ବ।

ଏକ ବିବୃତିରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, “ଦଲାଇ ଲାମାଙ୍କ ପଦବୀ କେବଳ ତିବ୍ଦତୀୟମାନଙ୍କ ପାଇଁ ନୁହେଁ ବରଂ ବିଶ୍ୱରେ ଥିବା ତାଙ୍କର ସମସ୍ତ ଅନୁଗାମୀଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତାଙ୍କ ଉତ୍ତରାଧିକାରୀ ନିଷ୍ପତ୍ତି ନେବାର ଅଧିକାର କେବଳ ଦଲାଇଲାମାଙ୍କ ପାଖରେ ରହିଛି”।

ରିଜିଜୁ ଏବଂ ଜନତା ଦଳ (ୟୁନାଇଟେଡ୍) ନେତା ଲଲ୍ଲନ ସିଂହ ଭାରତ ସରକାରଙ୍କ ପ୍ରତିନିଧି ଭାବରେ ଦଲାଇ ଲାମାଙ୍କ ୯୦ତମ ଜନ୍ମଦିନ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଧର୍ମଶାଳା ଗସ୍ତ କରୁଛନ୍ତି। ରିଜିଜୁ ଆହୁରି ମଧ୍ୟ କହିଛନ୍ତି ଯେ, “ଏହା ସମ୍ପୂର୍ଣ୍ଣ ଧାର୍ମିକ ଅବସର।”

ବୁଧବାର ପ୍ରକାଶିତ ଏକ ଆନୁଷ୍ଠାନିକ ବିବୃତିରେ ଚତୁର୍ଦ୍ଦଶ ଦଲାଇଲାମା ଘୋଷଣା କରିଛନ୍ତି ଯେ, ତାଙ୍କ ସରକାରୀ କାର୍ଯ୍ୟାଳୟ ଗାଡେନ୍ ଫୋଡରଙ୍ଗ ଟ୍ରଷ୍ଟ ଏକାକୀ ପଞ୍ଚଦଶ ଦଲାଇଲାମାଙ୍କ ମାନ୍ୟତା ଉପରେ ନିଷ୍ପତ୍ତି ନେବ। ଭବିଷ୍ୟତ ଦଲାଇଲାମାଙ୍କ ଚୟନ ପ୍ରକ୍ରିୟା ୨୪ ସେପ୍ଟେମ୍ବର ୨୦୧୧ ବିବୃତିରେ ସ୍ପଷ୍ଟ ଭାବରେ ଉଲ୍ଲିଖିତ ହୋଇଛି। ଏଥିରେ କୁହାଯାଇଛି ଯେ ଏହାର ଦାୟିତ୍ୱ କେବଳ ଗାଡେନ ଫୋଡରଙ୍ଗ ଟ୍ରଷ୍ଟର।

ସେମାନେ ତିବ୍ବତୀୟ ବୌଦ୍ଧ ପରମ୍ପରାର ବିଭିନ୍ନ ମୁଖ୍ୟ ଓ ଦଲାଇଲାମାମାନଙ୍କ ବଂଶ ସହିତ ଅବିଚ୍ଛେଦ୍ୟ ଭାବରେ ଜଡ଼ିତ ଥିବା ବିଶ୍ୱସନୀୟ ଶପଥଧାରୀ ଧର୍ମରକ୍ଷକମାନଙ୍କ ସହ ପରାମର୍ଶ କରିବେ। ସେହି ଅନୁଯାୟୀ ସେମାନେ ପୂର୍ବ ପରମ୍ପରା ଆଧାରରେ ଅନୁସନ୍ଧାନ ଓ ସ୍ୱୀକୃତି ପ୍ରକ୍ରିୟା ସମ୍ପାଦନ କରିବେ। ଏହି ମାମଲାରେ ହସ୍ତକ୍ଷେପ କରିବାର ଅଧିକାର ଅନ୍ୟ କାହାର ନାହିଁ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *