ସାଲେପୁର: ସାପ କାମୁଡ଼ାରେ ବାପା-ମା’ଙ୍କୁ ହରାଇ ଅନାଥ ହୋଇଯାଇଥିବା ଦୁଇ ନିଷ୍ପାପ ଶିଶୁଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଛି କଟକ ସଦରର ଅଗ୍ରଣୀ ସାମାଜିକ ସଙ୍ଗଠନ “ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ”। ଏହି ହୃଦୟ ବିଦାରକ ଘଟଣା ପରେ ସଙ୍ଗଠନ ପକ୍ଷରୁ ଶିଶୁ ଦ୍ୱୟଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ସହ ସେମାନଙ୍କ ଶିକ୍ଷାର ସମସ୍ତ ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦିଆଯାଇଛି।
ଘଟଣାରୁ ପ୍ରକାଶ ଯେ, କଟକ ଜିଲ୍ଲା ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳମିଶ୍ରି ପଞ୍ଚାୟତର ପୁରୁଣାପାରୀ ଗ୍ରାମର ମାନସ କୁମାର ବାରିକ ଓ ତାଙ୍କ ସ୍ତ୍ରୀ ନମିତା ରାଉତଙ୍କର ସାପ କାମୁଡ଼ାରେ ଅକାଳ ବିୟୋଗ ଘଟିଥିଲା। ଏହି ଦୁଃଖଦ ଘଟଣାରେ ସେମାନଙ୍କର ୧୦ ବର୍ଷର ଝିଅ କଲ୍ୟାଣୀ ବାରିକ ଓ ୩ ବର୍ଷର ପୁଅ ସ୍ୱୟଂସିଦ୍ଧୁ ବାରିକ ସୌଭାଗ୍ୟବଶତଃ ବଞ୍ଚିଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଥିଲେ।
ଏହି ଦୁଃଖଦ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ “ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ”ର ସଭାପତି ତଥା ଶିକ୍ଷାବିତ୍ ମନୋଜ ନାୟକ ସଙ୍ଗେ ସଙ୍ଗେ ପୀଡ଼ିତ ପରିବାର ନିକଟରେ ପହଞ୍ଚିଥିଲେ। ସେ ଦୁଇ ଶିଶୁଙ୍କୁ ସମବେଦନା ଜଣାଇବା ସହ ସେମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ, ଗ୍ରାମବାସୀ ଓ ପଡ଼ୋଶୀଙ୍କ ସହ ଆଲୋଚନା କରି ଦୁଇ ଶିଶୁଙ୍କ ଭବିଷ୍ୟତର ପାଠପଢ଼ା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏହି ମହତ କାର୍ଯ୍ୟରେ ସଙ୍ଗଠନର ଉପଦେଷ୍ଟା ବିଜୟ କୁମାର ନାୟକ, ପୂର୍ବତନ ସରପଞ୍ଚ ଅଭିମନ୍ୟୁ ସାହୁ, ସର୍ବେଶ୍ୱର ସ୍ୱାଇଁ, ପୂର୍ବତନ ସମିତି ସଭ୍ୟ ସୁରଥ ସାହୁ ଏବଂ ଉଦୟ ସାସମଲଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ। ଶିକ୍ଷାବିତ୍ ମନୋଜ ନାୟକଙ୍କ ଏହି ମାନବିକତାପୂର୍ଣ୍ଣ ପଦକ୍ଷେପକୁ କଟକ ସଦର ଅଞ୍ଚଳରେ ବ୍ୟାପକ ପ୍ରଶଂସା କରାଯାଉଛି ଏବଂ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି।
