ବୟାଳିଶ ମୌଜା : ବୟାଳିଶ ମୌଜା ସ୍ଥାନୀୟ ଝାରକଟା ଉପ୍ରା ବିଦ୍ୟାଳୟରେ ବେଣ୍ଟକାର ସାଧନ କେନ୍ଦ୍ର ସ୍ତରୀୟ ବୈଠକ ସିଆରସିସି ଆରତ ଭଞ୍ଜନ ସାହୁଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ହୋଇ ଯାଇଛି l ଝାରକଟା ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜିତେନ କୁମାର ଦାଶ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅଇନି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବିଚିତ୍ରାନନ୍ଦ ଭୋଇ ବୈଠକର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସିଆରସିସି ଶ୍ରୀ ସାହୁ ଛାତ୍ରୋପଯୋଗୀ ବିଭିନ୍ନ ଶିକ୍ଷଣ କୌଶଳ ବିଷୟରେ ସମ୍ୟକ ଧାରଣା ଦେବା ସହ ବିଦ୍ୟାଳୟରେ ଏହାର ପ୍ରୟୋଗ ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ l ଏହି ଅବସରରେ ଶିକ୍ଷକ ପ୍ରଶାନ୍ତ କୁମାର ବେହେରା, ଜିତେନ କୁମାର ଦାଶ, ଅଶୋକ କୁମାର ତ୍ରିପାଠୀ ପ୍ରଭୃତି ଶୃଙ୍ଖଳିତ ଶ୍ରେଣୀ ପରିଚାଳନାର ବିଭିନ୍ନ ଦିଗ ଉପରେ ଆଲୋକ ପାତ କରିଥିଲେ l ଜିଲ୍ଲା ସମଗ୍ର ଶିକ୍ଷାର ଶୈକ୍ଷିକ ସଂଯୋଜିକା ଜୟଶ୍ରୀ ଅମାତ ଶିବିର ପରିଦର୍ଶନ କରି ଅନେକ ଶୈକ୍ଷିକ ପ୍ରବିଧି ବିଷୟରେ ସୂଚନା ଦେବା ସହ ଶିକ୍ଷାର ସଫଳତା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ସହଯୋଗ କାମନା କରିଥିଲେ l ଏହି ପରିପ୍ରେକ୍ଷୀରେ ସଂଯୋଜିକା ମହୋଦୟାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଶିବିର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା l ଶେଷରେ ଶିଶୁଆ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶୁଭାକାଂକ୍ଷୀ ସାହୁ ଧନ୍ୟବାଦ ପ୍ରଦାନ ପୂର୍ବକ କାର୍ଯ୍ୟକ୍ରମର ପରିସମାପ୍ତି ଘୋଷଣା କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ସାଧନ କେନ୍ଦ୍ରର ସମସ୍ତ ପ୍ରଧାନ ଶିକ୍ଷକ ଓ ଏଫଏଲଏନ ଶିକ୍ଷକ ଯୋଗ ଦେଇଥିଲେ l
