ଜଗତସିଂହପୁର: ଜଗତସିଂହପୁର ସଦର ମହକୁମାର ନିମାଇଁ ଭବନଠାରେ ଜଗନ୍ନାଥ ଭକ୍ତ ସମାଜ ଆନୁକୂଲ୍ୟରେ ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା “ଦଶମ ବାର୍ଷିକ ଜଗନ୍ନାଥ ପାଞ୍ଚରାତ୍ର”ର ତୃତୀୟ ସନ୍ଧ୍ୟା ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଅନୁଷ୍ଠାନର ମାର୍ଗଦର୍ଶକ ତଥା ଶ୍ରୀଜଗନ୍ନାଥ ସଂସ୍କୃତିର ରାଷ୍ଟ୍ରୀୟ ମହିମା ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ।
ଧାରାବାହିକ ପ୍ରବକ୍ତା ଭାବରେ ଯୋଗଦେଇ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ କହିଥିଲେ ଯେ, ଜଗନ୍ନାଥ ସଂସ୍କୃତି କେବଳ ଏକ ପୂଜା ପଦ୍ଧତି ନୁହେଁ, ବରଂ ଏହା ବିଶ୍ୱର ସମଗ୍ର ମାନବ ସମାଜ ମଧ୍ୟରେ ଭାଇ-ଭଉଣୀର ସମ୍ପର୍କକୁ ସୁଦୃଢ଼ କରିବା ସହିତ ‘ବସୁଧୈବ କୁଟୁମ୍ବକମ୍’ ଚେତନାର ମାର୍ଗଦର୍ଶନ କରିଆସିଛି। ସେ ସ୍କନ୍ଧ ପୁରାଣରେ ବର୍ଣ୍ଣିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ମାହାତ୍ମ୍ୟ ବିଷୟରେ ବିଭିନ୍ନ ପୁରାଣଶାସ୍ତ୍ରର ବାସ୍ତବବାଦୀ ଉଦାହରଣ ମାଧ୍ୟମରେ ନିଜର ଓଜସ୍ୱିନୀ ବକ୍ତବ୍ୟ ଉପସ୍ଥାପନ କରି ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ।
ଜିଲ୍ଲା ଜଗନ୍ନାଥ ଭକ୍ତ ସମାଜର ସଭାପତି ଇଞ୍ଜିନିୟର ବିଷ୍ଣୁ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାବାଜୀ ମହାରାଜଙ୍କ ସମେତ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ମଞ୍ଚକୁ ସ୍ୱାଗତ କରାଯାଇଥିଲା। ମୁଖ୍ୟ ଅତିଥି ଭାବରେ ଜଗତସିଂହପୁର ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ ଏବଂ ସମ୍ମାନିତ ଅତିଥି ଭାବେ ତହସିଲଦାର ଅଜୟ କୁମାର ମହାନ୍ତି, କଟକର କାର୍ଯ୍ୟକାରୀ ସଭାପତି ଇଂ. ପୂର୍ଣ୍ଣଚନ୍ଦ୍ର ସାହୁ ଓ ବିଶିଷ୍ଟ ପଣ୍ଡିତ ଭଗବାନ ଦାଶ ପ୍ରମୁଖ ଯୋଗଦେଇଥିଲେ। ନିଜ ନିଜର ସଂକ୍ଷିପ୍ତ ବକ୍ତବ୍ୟରେ ଅତିଥିମାନେ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜଙ୍କ ଆଧ୍ୟାତ୍ମିକ ମାର୍ଗଦର୍ଶନକୁ ପ୍ରଶଂସା କରିବା ସହ ଏହା ସମାଜ ସଂସ୍କାର ଓ ସାମାଜିକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ପାଇଁ ପ୍ରେରଣାଦାୟୀ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ସାରଳା ସଂସ୍କୃତି ଗବେଷକ ରମାକାନ୍ତ ରାଉଳ ଓ ସାରଳା ମଣ୍ଡଳ ପାଞ୍ଚରାତ୍ର କମିଟିର କର୍ମକର୍ତ୍ତା ବିଶ୍ୱରଞ୍ଜନ ରାଉଳ ସମସ୍ତ ଅତିଥିଙ୍କୁ ମା’ ସାରଳାଙ୍କ ପବିତ୍ର ଅଙ୍ଗବସ୍ତ୍ର ଓ ପ୍ରସାଦ ଦେଇ ସମ୍ବର୍ଦ୍ଧିତ କରିଥିଲେ।
ଆସନ୍ତା ଅଗଷ୍ଟ ୧୫ ତାରିଖ, ଶୁକ୍ରବାର ଦିନ ଏହି ପାଞ୍ଚ ଦିନିଆ କାର୍ଯ୍ୟକ୍ରମ ଉଦ୍ଯାପିତ ହେବ ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ସୂଚନା ପ୍ରଦାନ କରିଛନ୍ତି।
