ନୂଆଦିଲ୍ଲୀ, ୭/୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଅଚାନକ ତାଙ୍କ ଭାରତ ବିରୋଧୀ ଆଭିମୁଖ୍ୟକୁ ନରମ କରିଛନ୍ତି ଏବଂ ଭାରତ ସହ ସଂପର୍କରେ ଉନ୍ନତି ଆଣିବାକୁ ସଙ୍କେତ ଦେଇଛନ୍ତି। ହ୍ବାଇଟ୍ ହାଉସ୍ରେ ସାମ୍ବାଦିକଙ୍କ ପ୍ରଶ୍ନର ଜବାବରେ ଟ୍ରମ୍ପ କହିଛନ୍ତି- ‘ମୁଁ ସର୍ବଦା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବନ୍ଧୁ ଭାବେ ରହିବି। ସେ ଜଣେ ମହାନ ପ୍ରଧାନମନ୍ତ୍ରୀ।’ ଟ୍ରମ୍ପଙ୍କ ମନ୍ତବ୍ୟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ପ୍ରତ୍ୟୁତ୍ତର ଦେଇ ଉଭୟ ଦେଶ ମଧ୍ୟରେ ସକାରାତ୍ମକ ସହଭାଗିତା ଉପରେ ଗୁରୁତ୍ବାରୋପ କରିଛନ୍ତି। ଟ୍ରମ୍ପଙ୍କ ବୟାନ ଭାରତ-ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟ ବିବାଦ ଏବଂ ରାଜନୈତିକ ଉତ୍ତେଜନା ଭିତରେ ଏକ ନୂଆ ଆଶାର କିରଣ ସୃଷ୍ଟି କରିଛି। ଟ୍ରମ୍ପଙ୍କ ପୋଷ୍ଟ୍ର ଜବାବରେ ପ୍ରଧାନମନ୍ତ୍ରୀ କହିଛନ୍ତି- ‘ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ମୁଁ ଗଭୀରଭାବେ ପ୍ରଶଂସା କରୁଛି ଏବଂ ପୂର୍ଣ୍ଣରୂପେ ସମାନ ଭାବନ ପ୍ରକାଶ କରୁଛି। ଭାରତ-ଆମେରିକା ମଧ୍ୟରେ ସକାରାତ୍ମକ ଓ ଭବିଷ୍ୟତମୁଖୀ ବ୍ୟାପକ ସହଭାଗିତା ରହିଛି।’
ଟ୍ରମ୍ପ-ମୋଦୀଙ୍କ ମଧ୍ୟରେ ଆଜିର ବିନିମୟକୁ ଏକ ସକାରାତ୍ମକ ପଦକ୍ଷେପ । ଭାରତ କୃଷି ଏବଂ ଦୁଗ୍ଧଜାତ ସାମଗ୍ରୀ କାରବାର କ୍ଷେତ୍ରରେ ଉଦାରୀକରଣ ନକରିବା ଏବଂ ରୁଷ୍ରୁ ତୈଳ କ୍ରୟ କରିବା ନୀତିରେ କାଏମ ରହିଥିବାରୁ ଏଥିରେ କ୍ଷୁବ୍ଧ ହୋଇ ଟ୍ରମ୍ପ ଭାରତ ବିରୋଧରେ ୫୦ ପ୍ରତିଶତ ଶୁଳ୍କ ଲଗାଇଛନ୍ତି। ଅନ୍ୟପକ୍ଷରେ ଆଜି ମୋଦୀ ତାଙ୍କ ପ୍ରତ୍ୟୁତ୍ତରରେ ‘ବନ୍ଧୁ’ ଶବ୍ଦ ବ୍ୟବହାର ନକରିବା ମଧ୍ୟ ଏକ କୌଶଳଗତ ପଦକ୍ଷେପ ବୋଲି ଚର୍ଚ୍ଚା ହେଉଛି। ଟ୍ରମ୍ପଙ୍କ ଅନିଶ୍ଚିତ ବିଦେଶ ନୀତିକୁ ଦୃଷ୍ଟିରେ ରଖି ଭାରତ ଅତ୍ୟନ୍ତ ସତର୍କତାର ସହିତ ଏବେ ପଦକ୍ଷେପ ନେଉଛି।
