୧୫ ମାସରେ ୩୦ ହଜାର ଟପିଲା ସରକାରୀ ନିଯୁକ୍ତି

ଭୁବନେଶ୍ୱର ରାଜ୍ୟ
Spread the love

ଭୁବନେଶ୍ୱର,୧୬/୯: ସରକାରୀ ଚାକିରୀ କେବଳ ସୁରକ୍ଷିତ ଜୀବନ ଜୀବିକା ପ୍ରଦାନ କରିନଥାଏ, ଏହା ହେଉଛି ଜନସେବାର ଏକ ପ୍ରକୃଷ୍ଟ ଓ ପ୍ରଭାବୀ ମାଧ୍ୟମ ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନିଯୁକ୍ତି ମେଳା ଅବସରରେ ନବ ନିଯୁକ୍ତ ଅଧିକାରୀ ମାନଙ୍କୁ ଉଦ୍‌ବୋଧନ ଦେଇ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ଇଡ୍‌କୋ ପ୍ରଦର୍ଶନୀ ପଡିଆ ଠାରେ ଏକାଦଶତମ ନିଯୁକ୍ତି ମେଳା ଆଜି ଅନୁଷ୍ଠିତ ହୋଇଛି। ଏଥିରେ ୭ଟି ବିଭାଗ ଯଥା- ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସର୍ବାଧିକ ୯୮୨ ଜଣ, ଜଳ ସମ୍ପଦ ବିଭାଗରେ ୪୧୩ ଜଣ, କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ୩୪ ଜଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରେ ୧୩୬ ଜଣ , ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗରେ ୨୩ ଜଣ, ଅର୍ଥ ବିଭାଗରେ ୬୧ ଜଣ ଓ ଆଇନ୍ ବିଭାଗରେ ୩୭ ଜଣଙ୍କୁ ଏହିଭଳି ସମୁଦାୟ ୧୬୮୬ ଜଣଙ୍କୁ ବିଭିନ୍ନ ବର୍ଗରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ସରକାରଙ୍କ ଦ୍ବିତୀୟ ବର୍ଷ ପ୍ରାରମ୍ଭର ଏହା ହେଉଛି ଦ୍ବିତୀୟ ନିଯୁକ୍ତି ମେଳା।

ମୁଖ୍ୟମନ୍ତ୍ରୀ ଉପସ୍ଥିତ ନବ ନିଯୁକ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଆପଣ ମାନଙ୍କର କର୍ତ୍ତବ୍ୟ ହେଉଛି ସରକାରଙ୍କ ନୀତି ନିୟମର ମର୍ଯ୍ୟାଦାରେ ରହି ନିଜ କାର୍ଯ୍ୟ ସମ୍ପାଦନ କରିବା। ଦୁର୍ନୀତିରୁ ଉର୍ଦ୍ଧ୍ୱରେ ରହି ସମସ୍ତେ ଭଲ କାମ କରନ୍ତୁ, ସୁନାମ ଅର୍ଜନ କରନ୍ତୁ, ସଚ୍ଚୋଟତାକୁ ୱାର୍କ କଲ୍‌ଚରର ଅବିଚ୍ଛେଦ୍ୟ ଅଙ୍ଗ ବନାନ୍ତୁ। ଅସୀମିତ ଆତ୍ମସନ୍ତୋଷ ପାଇବେ। ସାଧାରଣ ଗରିବ ଜନତାଙ୍କ ଆଶୀର୍ବାଦ ହେବ ଆପଣଙ୍କ ପାଇଁ ସବୁଠାରୁ ବଡ ପୁଞ୍ଜି।

ସେ ପୁଣି କହିଥିଲେ, ସାଂପ୍ରତିକ ପରିସ୍ଥିତିରେ ଯୁବ ସମାଜ ପାଇଁ ସବୁଠାରୁ ବଡ ଆହ୍ୱାନ ହେଉଛି ରୋଜଗାର ବିଶେଷ ଭାବେ ନିଯୁକ୍ତି। ସେଥିପାଇଁ ମାତ୍ର ୧୫ ମାସ ମଧ୍ୟରେ ୧୧ଟି ନିଯୁକ୍ତି ମେଳା ଜରିଆରେ ସରକାରୀ କ୍ଷେତ୍ରରେ ଆମେ ଆଜିକୁ ମିଶାଇ ସମୁଦାୟ ୩୦,୦୩୨ ଟି ପଦବୀରେ ନିଯୁକ୍ତି ପ୍ରଦାନ କରିଛୁ। ସରକାର ଆସିବାର ପ୍ରଥମ ଦୁଇ ବର୍ଷରେ ୬୫ ହଜାର ସରକାରୀ ପଦବୀ ପୂରଣ କରାଯିବାର ଲକ୍ଷ୍ୟ ରହିଥିଲା। ଜୁନ୍ ୨୦୨୬ ଶେଷ ସୁଦ୍ଧା ଆହୁରି ୪୦ ହଜାର ସରକାରୀ ପଦବୀ ପୂରଣ ହେବ। ସରକାରୀ ପଦବୀ ପୂରଣ କରିବାରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରାଯାଉଛି, ମେରିଟ୍ ବେସିସ୍‌ରେ ଚୟନ କରାଯାଉଛି। ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ରାଜ୍ୟରେ ଯୁବ ବର୍ଗଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଛି। ୧୫ ମାସ ମଧ୍ୟରେ ସରକାରଙ୍କ ପକ୍ଷରୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ୧,୦୭,୯୨୬ ଜଣଙ୍କୁ ନିଯୁକ୍ତି ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତକରି କହିଥିଲେ ଯେ, ଆମ ସରକାରରେ ଯେତେବି ପରୀକ୍ଷା ହେଉଛି କୌଣସି ଠାରେ ଦୁର୍ନୀତି ବା ଅନିୟମିତତାର ଅଭିଯୋଗ ଆସିନାହିଁ। ଯେତେବେଳେ ବି ସାମାନ୍ୟତମ ସୁରାକ ଆସୁଛି, ତା ଉପରେ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଆମ ସରକାରର ଲକ୍ଷ୍ୟ ହେଉଛି, ସବୁ ପରୀକ୍ଷାର୍ଥୀଙ୍କୁ Level Playing Field ପ୍ରଦାନ କରିବା, ଯାହା ଦ୍ୱାରା କେବଳ ଯୋଗ୍ୟ ପ୍ରାର୍ଥୀ ହିଁ ସଫଳତା ପାଇବେ।

ସେ ନବନିଯୁକ୍ତଙ୍କୁ ଆହୁରି କହିଥିଲେ, ନିଜକୁ ଜନସାଧାରଣଙ୍କ ସେବକ ଭାବି ସାଧାରଣ ଲୋକଙ୍କ ଆଶା ଆକାଂକ୍ଷା ପୂରଣ କରିବା ଓ ସେମାନଙ୍କ ସମସ୍ୟାର ସମାଧାନ ଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ କାମ କରନ୍ତୁ, ସରକାରୀ ସ୍ତରରେ ଆପଣଙ୍କ ଦ୍ୱାରା ନିଆଯାଉଥିବା ପ୍ରତ୍ୟେକ ନିଷ୍ପତ୍ତି ଓ କାର୍ଯ୍ୟ ଜନମଙ୍ଗଳ ଉପରେ ଯେପରି ଆଧାରିତ ହେବ ସେଥିପ୍ରତି ଯତ୍ନବାନ ହୁଅନ୍ତୁ।

ମୁଖ୍ୟମନ୍ତ୍ରୀ ୩୦ ଜଣ ନବ ନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ନବନିଯୁକ୍ତଙ୍କ ମଧ୍ୟରୁ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଯୋଗଦେଇଥିବା ସମ୍ବଲପୁରର ଶିବାନୀ ଷଡଙ୍ଗୀ ଓ ଅର୍ଥ ବିଭାଗରେ ଯୋଗଦେଇଥିବା କଟକ ଜିଲ୍ଲାର ବିଶ୍ୱଜିତ୍ ପ୍ରଧାନ ତାଙ୍କ ଅନୁଭୂତି ଓ ଅଭିଜ୍ଞତାରେ ସରକାରଙ୍କ ସ୍ୱଚ୍ଛ ଓ ନିରପେକ୍ଷ ଚୟନ ପଦ୍ଧତି ପାଇଁ କୃତଜ୍ଞତା ପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *