ଜଟଣୀ, ୨୪/୯: ସ୍ଥାନୀୟ ଥାନାଞ୍ଚଳରେ ଲୁଟ୍ ପାଟ୍ କରୁଥିବା ୬ଜଣ ପେଷାଦାର ଲୁଟେରାଙ୍କୁ ଗିରଫ କରିଛି ଜଟଣୀ ପୋଲିସ। ଗିରଫ ଅଭିଯୁକ୍ତଙ୍କ ପାଖରୁ ଚୋରି ବାଇକ, ଲୁହା କଟୁରୀ, ଛୁରୀ ଓ ଦୁଇଟି ମୋବାଇଲ ଫୋନ୍ ଜବତ ବି କରିଛି ପୋଲିସ। ସୂଚନାନୁସାରେ ଗତ ସେପ୍ଟେମ୍ବର ୧୭ତାରିଖରେ ଅଭିଯୋଗକାରୀ ସମରେଶ କୁମାର ଲେଙ୍କା ରାଜା ବଜାରର ମୁଣ୍ଡିଆ ସାହି ଛକ ନିକଟରେ ହୋଇଥିଲେ। ଏହି ସମୟରେ ୪ଜଣ ଅଭିଯୁକ୍ତ ଆସି ତାଙ୍କୁ ପଛରୁ ଧକ୍କା ଦେଇ ମୋବାଇଲ୍ ଫୋନ୍ ଛଡ଼ାଇ ନେଇଥିଲେ। ଅଭିଯୋଗକାରୀ ବିରୋଧ କରିବାରୁ ସେମାନେ ତାଙ୍କୁ ଆକ୍ରମଣ କରିବା ସହ ତାଙ୍କ ସ୍କୁଟି ଡିଗି ଭାଙ୍ଗି ଦେଇଥିଲେ। ଏଥିସହ ତାଙ୍କ ଫୋନ୍ ପେରୁ ୧୭୨ଟଙ୍କା ନିଜ ଫୋନକୁ ସ୍ଥାନାନ୍ତରିତ କରି ଦେଇଥିଲେ। ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ସମୟରେ ଗତକାଲି ରବିବାର ରାତିର ସୀତାରାମ ଛକରେ ପୋଲିସ ପକ୍ଷରୁ ଗାଡ଼ି ଯାଞ୍ଚ ବେଳେ ୩ଟି ବାଇକରେ ୬ଜଣ ଦୃତଗତିରେ ଯାଉଥିବା ସମୟରେ ପୋଲିସ ଅଟକ ରଖିଥିଲା। ଗାଡ଼ି ଯାଞ୍ଚ କରିବା ସମୟରେ ଗାଡ଼ିକାଗଜ ପତ୍ର ଠିକ ନଥିବା ପୋଲିସ ଜାଣିବା ସହ ଗାଡ଼ି ଗୁଡ଼ିକ ଚୋରାଗାଡ଼ି ବୋଲି ଜାଣିବାକୁ ପାଇଥିଲା ପୋଲିସ। ତେବେ ୬ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ଥାନାକୁ ଆଣି ଜେରା କରିଥିଲା। ସେମାନଙ୍କ ଗାଡ଼ିରୁ ବିଭିନ୍ନ ମାରଣାସ୍ତ୍ର ଓ ଚୋରି ମୋବାଇଲ୍ ଫୋନ୍ ଜବତ କରିଥିଲା ପୋଲିସ। ଏକ ୪୩୮/୨୫ ନଂରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି ପୋଲିସ। ତେବେ ସମସ୍ତ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ଜଟଣୀ ଥାନା ଓ ଭୁବନେଶ୍ଵର କ୍ୟାପିଟାଲ ଥାନାରେ ଏକାଧିକ ଅପରାଧିକ ମାମଲା ରହିଥିବା ପୋଲିସ୍ ସୂଚନା ଦେଇଛି।
ଗିରଫ ଅଭିଯୁକ୍ତମାନେ ହେଲେ ଜଟଣୀ ବାଲିଛକ ମୁଣ୍ଡିଆ ସାହିର ଏସ.କେ. ଅବିଦ୍ (୨୮), ନଇମ୍ ହୁସେନ୍ ଖାନ୍ ଓରଫ୍ ରାଜା (୩୦), ଏସ.କେ. ସହାବୁଦ୍ଦିନ୍ ଓରଫ୍ ବାବୁ(୪୦), ଲୋକ କଲୋନୀର ମୋହନ ରାମ ଯାଦବ ଓରଫ୍ ବିବେକ (୧୯), ଗଜପତି ନଗରର ଏସ.କେ. ସ୍ଵାଧୀନ ଓରଫ୍ ବାଦଲ (୩୦) ଓ ରଥିପୁରର ଆନସାର୍ ସାହା ୨୬)।
