କରୁରରେ ଥଲପତି ବିଜୟଙ୍କ ରାଲିରେ ଦଳାଚକଟା ରୁ ୮ଜଣ ପିଲାଙ୍କ ସମେତ ୩୯ଜଣଙ୍କର ମୃତ୍ୟୁ

ଦେଶବିଦେଶ
Spread the love

କରୁର, ୨୮/୯:  ଚେନ୍ନାଇରୁ ପ୍ରାୟ ୪୦୦ କିଲୋମିଟର ଦୂର କରୁରରେ ଅଭିନେତାରୁ ରାଜନେତା ପାଲଟିଥିବା ଥଲପତି ବିଜୟଙ୍କ ରାଲିରେ ଦଳାଚକଟା ହେବାରୁ ୮ଜଣ ପିଲାଙ୍କ ସମେତ ୩୯ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାର କାରଣ ଏବେ ଅସ୍ପଷ୍ଟ ରହିଛି। କିନ୍ତୁ ଅନେକ ତ୍ରୁଟି ଏହି ଦଳାଚକଟା ପାଇଁ ଦାୟୀ ବୋଲି ଅନୁମାନ କରାଯାଉଛି। ପୁଲିସ ଏବେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ କରିଛି। କୁହାଯାଉଛି ଯେ, ଅପରାହ୍ନରେ ବହୁ ସଂଖ୍ୟକ ସମର୍ଥକ ଏକତ୍ରିତ ହେବା ଆରମ୍ଭ କରିଥିଲେ। ବିଜୟଙ୍କ ଏକ ଝଲକ ଦେଖିବା ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିଥିଲେ ଲୋକେ। ବିଜୟ ପ୍ରାୟ ୬ଘଣ୍ଟା ବିଳମ୍ବରେ ରାଲିରେ ପହଞ୍ଚିଥିଲେ, ଏବଂ ଏହି ବିଳମ୍ବକୁ ଦଳାଚକଟାର କାରଣ ଭାବରେ ଦର୍ଶାଯାଉଛି। ବିଶେଷ କରି ଦଳାଚକଟା ପାଇଁ ୩ଟି କାରଣ ଦାୟୀ ବୋଲି କୁହାଯାଉଛି। ରୋଡ୍‌ ସୋ’ ପାଇଁ ନଥିଲା ଅନୁମତି ବିଜୟଙ୍କ ଦଳ ରାଲି ସହିତ ଏକ ରୋଡ୍ ସୋ’ କରିବା ପାଇଁ ଅନୁମତି ମାଗିଥିଲା। କିନ୍ତୁ, ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଏହି ସୋ’ ପାଇଁ ଅନୁମତି ଦେବାକୁ ମନା କରିଦେଇଥିଲା, ୧୦,୦୦୦ ଲୋକଙ୍କ ସମାବେଶକୁ ଅନୁମତି ଦେଇଥିଲା। ଏହି ସଂଖ୍ୟାକୁ ଆଧାର କରି ପୁଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ହେଲେ ପ୍ରାୟ ୨୭,୦୦୦ ଲୋକ ରାଲିରେ ପହଞ୍ଚିଥିଲେ । ତାମିଲନାଡୁର ଡିଜିପି ଜି. ଭେଙ୍କଟରମଣ କହିଛନ୍ତି ଯେ, ଅଭିନେତା-ରାଜନେତା ବିଜୟ କରୁର ରାଲିରେ ପହଞ୍ଚିବାରେ ୭ଘଣ୍ଟା ବିଳମ୍ବ କରିବାରୁ ସମର୍ଥକଙ୍କ ଭିଡ଼ ଅନିୟନ୍ତ୍ରିତ ହୋଇଥିଲା। ବିଜୟଙ୍କ କାର୍ଯ୍ୟକ୍ରମ ଦିନ ୧୨ଟାରେ ହେବାର ଥିଲା, କିନ୍ତୁ ସେ ପ୍ରାୟ ସନ୍ଧ୍ୟା ୭ଟାରେ ପହଞ୍ଚିଥିଲେ। ଏହି ୭ଘଣ୍ଟା ବିଳମ୍ବର କାରଣ କ’ଣ? କୁହାଯାଉଛି ଯେ ୭ଘଣ୍ଟା ବିଳମ୍ବ ଯୋଗୁଁ ସଭାସ୍ଥଳରେ ଏକ ବଡ଼ ଭିଡ଼ ଜମିଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ବିଶାଳ ରାଲିକୁ ସମ୍ବୋଧିତ କରିବା ସମୟରେ ବିଜୟ ଏକ ଗୀତ ଗାଇଥିଲେ ଯେଉଁଥିରେ ଡିଏମକେ ନେତା ଭି. ସେନ୍ଥିଲ ବାଲାଜୀଙ୍କୁ ୧୦ ଟଙ୍କା ପ୍ରତି ବୋତଲ ବାଲା ମନ୍ତ୍ରୀ ଭାବରେ ବର୍ଣ୍ଣନା କରାଯାଇଥିଲା। ଏହା ଶୁଣି ଲୋକଙ୍କ ମଧ୍ୟରେ ଉତ୍ତେଜନା ଆରମ୍ଭ ହୋଇଥିଲା ଏବଂ ତା’ପରେ ହଠାତ୍ ଲାଠିଚାର୍ଜ ଆରମ୍ଭ ହୋଇଗଲା।

Leave a Reply

Your email address will not be published. Required fields are marked *